Latest Odisha News

BREAKING NEWS

ସମ୍ବଲପୁରରେ ୪୮ ଘଣ୍ଟା ପାଇଁ କର୍ଫ୍ୟୁ: ଘରୁ ବାହାରିବାକୁ ମନା, ଇଣ୍ଟରନେଟ ସେବା ବନ୍ଦ

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ରାଲି ପାଖରୁ ଅଶାନ୍ତ ହୋଇପଡ଼ିଥିବା ସମ୍ବଲପୁର ସହରରେ ଶେଷରେ କର୍ଫ୍ୟୁ ଲାଗୁ ହୋଇଛି। ଆଜି ରାତି ୧୨ଟାରୁ ୪୮ ଘଣ୍ଟା ପାଇଁ ଏହି କର୍ଫ୍ୟୁ ଲାଗୁ ହୋଇଛି। ଜିଲ୍ଲା ପ୍ରଶାସନ ଏହି କର୍ଫ୍ୟୁ ଲାଗୁ କରିଥିବା ଏସପି ସୂଚନା ଦେଇଛନ୍ତି। ଘରୁ ବାହାରିବା ଉପରେ କଟକଣା ଲଗାଇଛି ପ୍ରଶାସନ। ଏହି ଅବଧି ମଧ୍ୟରେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ରହିବ ବୋଲି ଏସପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି।

ଶୁକ୍ରବାର ସଂଧ୍ୟାରେ ସହର ଭିତରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବାହାରିଥିଲା। ସଂଧ୍ୟା ୬ଟା ବେଳେ ଧନକଉଡ଼ା ଠାରୁ ଶୋଭାଯାତ୍ରା ବାହାରିଥିଲା।ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଏହି ସମୟରେ ଆଇନ ଶୃଙ୍ଖଳା ଉପରେ ନଜର ରଖିବାକୁ ପୋଲିସ ଡ୍ରୋନ୍ ବ୍ୟବହାର କରିଥିଲା। ଆଉ ନିଜେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଓ ଏସ୍‌ପି ବାତୁଲା ଗଙ୍ଗାଧର ଉପସ୍ଥିତ ଥିଲେ। ପରିସ୍ଥିତି ଉପରେ ନଜର ରଖିବାକୁ ୪୨ ଫ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ବୁଧବାର ସନ୍ଧ୍ୟାରେ ସମ୍ବଲପୁର ସହରରେ ହୋଇଥିବା ହିଂସା ଘଟଣାରେ ସ୍ଥାନୀୟ ପୋଲିସ ଶୁକ୍ରବାର ସୁଦ୍ଧା ୩୨ ଜଣଙ୍କୁ ଗିରଫ କରିଛି। ବୁଦ୍ଧାରାଜା ଅଞ୍ଚଳରେ ଅଗ୍ନିକାଣ୍ଡ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେହି ଦିନ ସନ୍ଧ୍ୟାରେ ମାୟା ବାଗିଚା ଅଞ୍ଚଳରୁ ତିନି ଜଣଙ୍କୁ ଗିରଫ କରାଯାଇଥିଲା।

ପୋଲିସ ଭିଡିଓ ଫୁଟେଜକୁ ଆଧାର କରି ଅନ୍ୟ ୨୫ ଜଣଙ୍କୁ ଖୋଜୁଛି। ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। ସମ୍ୱଲପୁର ଏସପି ବି ଗଙ୍ଗାଧର କହିଛନ୍ତି, ଆମେ ଅଗ୍ନିକାଣ୍ଡ ପାଇଁ ଦୁଇ ଜଣ ଏବଂ ହତ୍ୟା ମାମଲାରେ ତିନି ଜଣଙ୍କୁ ଗିରଫ କରିଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ହିଂସା ପାଇଁ ସମୁଦାୟ ୩୨ ଜଣଙ୍କୁ ଗିରଫ କରାଯାଇଛି।

ସହରରେ ୪୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ନିୟୋଜିତ ଅଛନ୍ତି, ଯେଉଁଥିରେ ୨୬ ଡିଏସପି, ୪୩ ଇନ୍ସପେକ୍ଟର ଏବଂ ୭୦ ସବ-ଇନ୍ସପେକ୍ଟର ରହିଛନ୍ତି। ଏହି ହିଂସା ଘଟଣାରେ ଯେଉଁଥିରେ ୧୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

Comments are closed.