Latest Odisha News

‘କର୍ଣ୍ଣାଟକରେ ରାହୁଲ’ ଯେଉଁ କୋଲାର ପାଇଁ ଭୋଗୁଛନ୍ତି, ସେଇ କୋଲାରରେ କରିବେ ପ୍ରଚାର

ଭୁବନେଶ୍ୱର: କର୍ଣ୍ଣାଟକରେ ଆର ପାରର ଲଢେଇ। ବିଜେପି କଂଗ୍ରେସ ମୁହାଁମୁହିଁ। ଉଭୟ ଦଳ ପାଇଁ କର୍ଣ୍ଣାଟକ ନିର୍ବାଚନ କେବଳ କର୍ଣ୍ଣାଟକ ନୁହେଁ ସାରା ଦେଶରେ ବେଶ ଗୁରୁତ୍ୱ ବହନ କରୁଛି।

ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗ ପରେ ସବୁ ବିରୋଧୀ ଏକ ହୋଇଛନ୍ତି। ତେଣୁ କର୍ଣ୍ଣାଟକରେ ବିଜୟଲାଭ ନ କଲେ କଂଗ୍ରେସ ଦେଶରେ ଆଉ ଉଧେଇ ପାରିବନି ବୋଲି କୁହାଯାଉଛି। ସେପଟେ ବିଜେପି ହାରିଗଲେ ସାରା ଦେଶକୁ ବିଜେପି ହାରିବା ପର୍ବ ଆରମ୍ଭ ହେଲା ବୋଲି ଗୋଟେ ବାର୍ତା ଯିବ ବୋଲି ଆଲୋଚନା ହେଉଛି।

ଏଭଳି ସ୍ଥିତିରେ ବିଜେପି ପାଇଁ ମୁଣ୍ଡବିନ୍ଧା ବଢିଚାଲିଛି। ଜଣଙ୍କ ପରେ ଜଣେ ବରିଷ୍ଠ ନେତା ବିଜେପି ଛାଡ଼ୁଛନ୍ତି। କିଏ କଂଗ୍ରେସରେ ମିଶୁଛି ତ କିଏ ସ୍ୱାଧୀନ ଭାବେ ଲଢ଼ିବାକୁ ପ୍ରସ୍ତୁତ ହେଉଛି।

ଅନ୍ୟପକ୍ଷରେ କଂଗ୍ରେସ ଏଭଳି ସ୍ଥିତିରେ ନିଜର ଟ୍ରମ୍ପ କାର୍ଡ ରାହୁଲଙ୍କୁ ପ୍ରଚାର ମଇଦାନରେ ଓଲ୍ହାଇବାକୁ ପୁରା ପ୍ରସ୍ତୁତି କରିଛି। ଆସନ୍ତାକାଲି ଅର୍ଥାତ ରବିବାର କୋଲାର ଠାରେ ରାହୁଲ ଗାନ୍ଧୀ ବିଶାଳ ସଭାକୁ ଉଦବୋଧନ ଦେବେ। ଯେଉଁ ଜାଗାରେ ୨୦୧୯ ମସିହାରେ ମୋଦି ସାଙ୍ଗିଆକୁ ନେଇ ରାହୁଲ ମନ୍ତବ୍ୟ ଦେବା ସହ ଲୋକସଭା ସଦସ୍ୟ ପଦ ମଧ୍ୟ ହରାଇଛନ୍ତି।

ତେଣୁ ସେହି କୋଲାରରୁ କର୍ଣ୍ଣାଟକ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିବେ ରାହୁଲ। ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ଜୟ ଭାରତ ରାଲିକୁ ସମ୍ବୋଧିତ କରିବେ ରାହୁଲ। ଏହି ରାଲି ଏପ୍ରିଲ ୫ ତାରିଖରେ ହେବାକୁ ଥିବା ବେଳେ ପରେ ୯ ତାରିଖକୁ ଘୁଞ୍ଚିଥିଲା। ଏବେ ଏହା ୧୬ ତାରିଖରେ ହେବାକୁ ସ୍ଥିର ହେବା ସହ ଦଳୀୟ ପ୍ରସ୍ତୁତି ଜୋରଦାର ହୋଇଛି।

ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶବ୍ୟାପୀ ଯେଉଁ ବାତାବରଣ ତିଆରି ହୋଇଛି କୋଲାର ସମାବେଶରେ ଏହାକୁ ନେଇ କଂଗ୍ରେସ ମାହୋଲ ପ୍ରସ୍ତୁତ କରିବ ବୋଲି କୁହାଯାଉଛି। ସେପଟେ ଏହି କୋଲାର ସିଟରୁ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଲଢ଼ିବାକୁ ଇଛା ପ୍ରକାଶ କରିଛନ୍ତି।

ନିଜର ଦ୍ଵିତୀୟ ସିଟ ଭାବେ ସେ ସେଠାରୁ ଲଢ଼ିବାକୁ ଇଛା ପ୍ରକାଶ କରିଥିବା କୁହାଯାଉଛି। ସେପଟେ ଏନସିପି ମଧ୍ୟ କର୍ଣ୍ଣାଟକରେ ୪୦ ରୁ ୪୫ ସିଟରେ ଲଢ଼ିବା ନେଇ ସଂକେତ ଦେଇଛି। ଯେଉଁଠି କଂଗ୍ରେସ ବିଜେପି ଓ ଜେଡିଏସ ତ୍ରିକୋଣୀୟ ଲଢେଇ ହେବ ସେଠି ଏନସିପି ପ୍ରାର୍ଥୀ ଦେବ ବୋଲି କୁହାଯାଇଛି।

କଂଗ୍ରେସର ମେଣ୍ଟ ସହଯୋଗୀ ହୋଇଥିବା ବେଳେ ଏନସିପିର ଏହି ନିଷ୍ପତ୍ତିକୁ ନେଇ ଚର୍ଚା ଜୋର ଧରିଛି। ଏନସିପି ମଇଦାନକୁ ଓଲ୍ହାଇଲେ କାହାକୁ ଫାଇଦା ହେବ ଓ କିଏ କ୍ଷତି ସହିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ ଓ ଖଡ଼ଗେଙ୍କ ସହ ଶରଦ ପାୱାରଙ୍କ ବୈଠକ ପରେ ଏନସିପିର ଏଭଳି ନିଷ୍ପତ୍ତି ବିରୋଧୀ ରଣନୀତିର ଅଂଶ ବୋଲି କୁହାଯାଉଛି।

ସେପଟେ କର୍ଣ୍ଣାଟକରେ ବିଜେପି ପ୍ରାୟ ୩୦ ଟି ଯାଗାରେ ନିଜ ଦଳର ନେତାଙ୍କ ଦ୍ୱାରା କଡା ବିଦ୍ରୋହର ଶିକାର ହେଉଛି। କିଛି ଦିନ ତଳେ ଶେଷ ହୋଇଥିବା ହିମାଚଳ ପ୍ରଦେଶ ନିର୍ବାଚନରେ ଦଳ ବିଦ୍ରୋହୀଙ୍କ ପାଇଁ ବିଜେପି ହାରିଥିଲା। ତେଣୁ କର୍ଣ୍ଣାଟକରେ ଏଭଳି ସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପକ୍ଷରେ କଂଗ୍ରେସରେ ବିଦ୍ରୋହ ବ୍ୟାପକ ହୋଇ ନ ଥିଲେ ମଧ୍ୟ କିଛି ସିଟରେ ଟିକେଟକୁ ନେଇ ଅସନ୍ତୋଷ ରହିଛି । ଜେଡିଏସରେ ମଧ୍ୟ କିଛି ଯାଗାରେ ଟିକେଟକୁ ନେଇ ଅସନ୍ତୋଷ ରହିଛି । ତେଣୁ ଏଭଳି ସ୍ଥିତିରେ କେଉଁ ଦଳ ଏ ସବୁକୁ କିଭଳି ମ୍ୟାନେଜ କରୁଛନ୍ତି ତା ଉପରେ ନଜର ।

Comments are closed.