ନବରଙ୍ଗପୁର : ବାରମ୍ବାର ଜଙ୍ଗଲରେ ଲାଗୁଛି ନିଆଁ। ସ୍ବେଛାସେବୀ ସଂଘଠନ ଓ ସ୍ବୟଂ ସହାୟକ ଦଳର ମହିଳା ମାନେ ଗାଁ,ଗାଁ ବୁଲି ଲୋକଙ୍କୁ ସଚେତନ କରିଥିଲେ ମଧ୍ୟ ତଥାପି ପୁଣି ଜଙ୍ଗଲରେ ନିଆଁ ଦେଖିବାକୁ ମିଳୁଛି । ଜଙ୍ଗଲରେ ଏପରି ନିଆଁ ଲାଗିବାର ପ୍ରକୃତ କାରଣ ଖୋଜିବାକୁ ଯାଇ ଓଡ଼ିଶା ସମ୍ବାଦ ଟିମ ପହଞ୍ଚିଥିଲା ଉମରକୋଟ ରେଞ୍ଜର ବେହେଡା ଜଙ୍ଗଲରେ ।
ନବରଙ୍ଗପୁର ନିକଟରେ ଥିବା ଜଙ୍ଗଲରେ ସ୍ଥାନେ ସ୍ଥାନେ ନିଆଁ ଲାଗୁଥିବା ଦେଖିବାକୁ ମିଳୁଛି । ନିଆଁ ଲାଗିବାର ଦୁଇଟି ମୁଖ୍ୟ କାରଣ ହେଉଛି ପ୍ରଥମତଃ ଜଙ୍ଗଲ ମଧ୍ୟରେ ଥିବା ମହୁଲ ଗଛର ଫୁଲ ସଂଗ୍ରହ କରିବା ପାଇଁ ଗ୍ରାମବାସୀ ମାନେ ମହୁଲ ଗଛତଳେ ଝଡି ପଡିଥିବା ଶୁଖିଲା ପତ୍ର ଗୁଡିକୁ ନିଆଁ ଲଗାଇବା ଦ୍ୱାରା ନିଆଁ ବ୍ୟାପିବାରେ ଲାଗିଛି ଏବଂ ଦ୍ୱିତୀୟତଃ ଆଦିବାସୀ ମାନେ ଶିରୋନାମାରେ ପାଇଥିବା ହଜାର ହଜାର ଏକର ଜମିରେ ମକାଚାଷ କରି ଫସଲ ଅମଳ ପରେ ମକା ନଡ଼ାରେ ନିଆଁ ଲଗାଇବା ଦ୍ୱାରା ମଧ୍ୟ ଜଙ୍ଗଲକୁ ନିଆଁ ବ୍ୟାପିବାର ଆଶଙ୍କା କରାଯାଉଛି । ଏଥିସହ କିଛି ଅସାଧୁ ଲୋକ ଚାଷ ଉପଯୋଗୀ ଜମି ସୃଷ୍ଟି କରିବା ପାଇଁ ଗଛ କାଟି ଜଙ୍ଗଲ ସଫାକରି ନିଆଁ ଲଗାଇବା ମଧ୍ୟ ଦେଖିବାକୁ ମିଳୁଛି।
ଅନ୍ୟପଟେ ଜଙ୍ଗଲ ମଧ୍ୟରେ ନିଆଁ ଲାଗିବାରେ ରୋକିବା ପାଇଁ ଏବେ ଜଙ୍ଗଲ ସୁରକ୍ଷା କମିଟି ସହ ମହିଳା ସ୍ୱୟଂସହାୟକ ଦଳ ଓ କିଛି ସାମାଜିକ ସଂଗଠନ ମାନଙ୍କ ସହାୟତାରେ ଗାଁଗାଁ ବୁଲି ପଥପ୍ରାନ୍ତ ନାଟକ, ମିଟିଙ୍ଗ କରିବା ସହ ଲୋକଙ୍କୁ ସଚେତନ କରିବା ପାଇଁ କାନ୍ଥ ବାଡ଼ରେ ପୋଷ୍ଟର ମାରୁଛନ୍ତି । ନବରଙ୍ଗପୁର ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ୧ ହଜାର ୨୯୬ ଟି ଫାଏର ପଏଣ୍ଟ ସେଟଲାଇଟ ଦ୍ୱାରା ଚିହ୍ନଟ ହୋଇଥିବାବେଳେ ଏଥିମଧ୍ୟରୁ ଜଙ୍ଗଲ ମଧ୍ୟରେ ୪୨ଟି ସ୍ଥାନରେ,୧୭ ଟି ଗ୍ରାମ୍ୟ ଜଙ୍ଗଲରେ ଏବଂ ସର୍ବାଧିକ ମକା ଜମିରେ ୧୦୫୮ ଟି ସ୍ଥାନରେ ନିଆଁ ଲାଗିଛି। ଜଙ୍ଗଲ ମଧ୍ୟରେ ନିଆଁ ଲଗାଇବା ଘଟଣାରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୨୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ।
ସେପଟେ ମକା ଜମି ଓ ଜଙ୍ଗଲ ମଧ୍ୟରେ ନିଆଁକୁ ଆୟତ୍ତ କରିବା ସହ ଜଙ୍ଗଲ ଓ ମକା କ୍ଷେତରେ କିଭଳି ଲୋକେ ଆଉ ନିଆଁ ଲଗାଇବେ ନାହିଁ ସେ ଦିଗରେ ବନବିଭାଗ କର୍ମଚାରୀ ମାନେ ସଚେତନ କରୁଛନ୍ତି ବୋଲି ନବରଙ୍ଗପୁର ଡିଏଫଓ କହିଛନ୍ତି ।
ତେବେ ଜଙ୍ଗଲରେ ନିଆଁ ଲାଗିବାରୁ ଜଙ୍ଗଲଜାତ ଦ୍ରବ୍ୟ ନଷ୍ଟ ହେବା ସହ ଜଙ୍ଗଲୀ ନୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହେଉଛି । ଏ ଦିଗରେ ଦୃଷ୍ଟି ଦେଲେ ଆଗାମୀ ଦିନରେ ଜଙ୍ଗଲରେ ନିଆଁକୁ ନିୟନ୍ତ୍ରଣ କରାଯାଇପାରିବ ।
Comments are closed.