ଭୁବନେଶ୍ୱର: ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା ଅବସରରେ ଗତ ୧୨ ଓ ୧୪ ତାରିଖରେ ହୋଇଥିବା ଆକ୍ରମଣ ଏବଂ କର୍ମୀଙ୍କ ହତ୍ୟା ଘଟଣାର ତଦନ୍ତ କରିବା ତଥା ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଆଜି ଭୁବନେଶ୍ୱର ଉପ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛି ବିଶ୍ୱ ହିନ୍ଦୁ ପରିଷଦ । ଏହି ଆନ୍ଦୋଳନରେ ସାମିଲ ହୋଇ ବିଶ୍ୱ ହିନ୍ଦୁ ପରିଷଦର ଓଡ଼ିଶା ପୂର୍ବ ପ୍ରାନ୍ତର ସଭାପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ଘଟଣାର ଦୃଢ ନିନ୍ଦା କରିବା ସହ କହିଥିଲେ, ବେଆଇନ ଭାବେ ଆସିଥିବା ବାଂଲାଦେଶୀଙ୍କ ସହାୟତାରେ ସ୍ଥାନୀୟ କିଛି ଲୋକ ଏପରି କାମ କରିଛନ୍ତି । ରାଜ୍ୟ ସରକାର ଏହାକୁ ଦେଖି ମଧ୍ୟ ଚୁପ ରହୁଛନ୍ତି ବୋଲି କହିଛନ୍ତି ଶ୍ରୀ ମିଶ୍ର ।
ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଶାସନ ଏବଂ ସରକାରଙ୍କ ନୀରବତା ହିନ୍ଦୁ ଧର୍ମାବଲମ୍ବୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି ।ଏପରି ଆକ୍ରମଣ ନେଇ ଗୁଇନ୍ଦ ବିଭାଗ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆ ଯାଇଥିଲେ ହେଁ ଓଡ଼ିଶା ସରକାର କୌଣସି ପଦକ୍ଷେପ ନେଇ ନ ଥିଲେ । ଓଡ଼ିଶା ସରକାରଙ୍କର ହିନ୍ଦୁମାନଙ୍କ ପ୍ରତି ଉଦାସୀନତା ମନୋଭାବ ଏପରି ବର୍ବରୋଚିତ ଆକ୍ରମଣ ପାଇଁ ଅପରାଧୀଙ୍କୁ ସୁଯୋଗ ଦେଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।
ସଂଗଠନର ଜିଲ୍ଲା ସଭାପତି ଲକ୍ଷ୍ମୀ ନାରାୟଣ ରଥ ରାଜ୍ୟ ସରକାରଙ୍କ ବାଂଲାଦେଶୀଙ୍କ ପ୍ରତି ଭୋଟ ବ୍ୟାଙ୍କ ମନୋଭାବ ଯୋଗୁ ଏପରି ଘଟଣା ଘଟିଲା ବୋଲି କହିଛନ୍ତି । ସେମାନଙ୍କୁ ଚିହ୍ନଟ କରି ବାହାର କରିବା ପରିବର୍ତ୍ତେ ସରକାର ସେମାନଙ୍କୁ ଥଇଥାନ କରିବା ଲାଗି ଅନୁକୁଳ ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପ୍ରାନ୍ତ କାର୍ଯ୍ୟକାରୀ ସଭାପତି ପବିତ୍ର କୁମାର ସ୍ୱାଇଁ, ପ୍ରାନ୍ତ ସହ ସମ୍ପାଦକ ଉମାଶଙ୍କର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଏହି ଆନ୍ଦୋଳନରେ ବଜ୍ରରଙ୍ଗ ଦଳ ସମେତ ଅନ୍ୟ ହିନ୍ଦୁ ସଂଗଠନ ମଧ୍ୟ ସାମିଲ ହୋଇଥିଲେ ।
Comments are closed.