ଭୁବନେଶ୍ୱର: ନିଜ ନିର୍ବାଚନ ମଣ୍ଡଳୀ ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ନଖୋଲିବା କେନ୍ଦ୍ର ସରକାରଙ୍କ ପକ୍ଷପାତିତା ନୀତିକୁ ଦର୍ଶାଉଛି। ଏପରି ଅଭିଯୋଗ ଆଣିଛନ୍ତି ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଅସ୍ଥାୟୀ ଭାବେ ସ୍କୁଲ ଚଳାଇବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜମି ଓ କୋଠା ଯୋଗାଇ ଦିଆଯାଇଥିଲେ ମଧ୍ୟ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ସୋମବାର ବାହିନୀପତି ଏପରି ଅଭିଯୋଗ କରିଛନ୍ତି। ଯେତେବେଳେକି ଦେଶର ଶିକ୍ଷାମନ୍ତ୍ରୀ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ ରହିଛନ୍ତି। ତାରାଙ୍କ ଏହି ଅଭିଯୋଗ ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ରହିଛି।
ଦକ୍ଷିଣ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ସହର ଜୟପୁରରେ କେନ୍ଦ୍ର ସରକାରଙ୍କ ୨୦ରୁ ଅଧିକ ଅଫିସ ଓ ବିଭିନ୍ନ ବ୍ୟାଙ୍କର ଶାଖା ରହିଥିଲେ ମଧ୍ୟ କେନ୍ଦ୍ର ସରକାର ଲୋକଙ୍କର ନ୍ୟାୟସଙ୍ଗତ ଦାବିକୁ ଅଣଦେଖା କରୁଛନ୍ତି ବୋଲି ତାରା ବାହିନୀପତି କହିଛନ୍ତି। ବିଧାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଅନୁରୋଧ କରିଥିଲେ ଏବଂ ମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାବତ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ସୂଚନା ରହିଛି।
ତାରା ବାହିନୀପତିଙ୍କ ସୂଚନା ଅନୁଯାୟୀ, ସ୍ଥାନୀୟ ପ୍ରଶାସନ ଗତ ତିନି ବର୍ଷ ହେଲା ଏ ଦିଗରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ବିଦ୍ୟାଳୟ ପାଇଁ ଆଠ ଏକର ଜମି ଯୋଗାଇ ଦେଇଛି। ଏଥିସହିତ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ପରିଚାଳନା ପାଇଁ ହାଇସ୍କୁଲ ପାଖରେ କୋଠା ଯୋଗାଇ ଦେବାକୁ ପ୍ରଶାସନ ରାଜି ହୋଇଛି। ତାରା ବାହିନୀପତି ଦୁଃଖ ପ୍ରକାଶ କରି କହିଛନ୍ତି ଯେ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଜଣେ ଭୂମିପୁତ୍ର ହୋଇ ମଧ୍ୟ କୋରାପୁଟ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରିଚାଲିଛନ୍ତି।
Comments are closed.