ନୂଆଦିଲ୍ଲୀ: ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ତାତିରେ ଜୀବଜନ୍ତୁଠାରୁ ମଣିଷ ଛଟପଟ ହେଉଥିବା ବେଳେ ଭାରତୀୟ ପାଣିପାଗ ବିଭାଗର ସତର୍କତା ଚିନ୍ତା ବଢ଼ାଇଛି। ଯେଉଁଥିରେ କୁହାଯାଇଛି ପଶ୍ଚିମବଙ୍ଗ, ବିହାର ଏବଂ ଆନ୍ଧ୍ରପ୍ରଦେଶର ତିନୋଟି ରାଜ୍ୟରେ ଗ୍ରୀଷ୍ମପ୍ରବାହ ପୂର୍ବାନୁମାନ କରାଯାଇଛି। ଏହି ରାଜ୍ୟଗୁଡିକୁ ତେଣୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି ଓଡ଼ିଶା, ସିକ୍କିମ୍, ଝାଡଖଣ୍ଡ, ଉତ୍ତରପ୍ରଦେଶକୁ ମଧ୍ୟ ଆଲର୍ଟ କରାଯାଇଛି। ଏହାବାଦ ହିଟ୍ ଓ୍ବେଭ୍ ତାଲିକାରେ ହରିଆଣା ଏବଂ ପଞ୍ଜବ ରହିଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଏଯାବତ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ଦେଶରେ ୪୫ ଡିଗ୍ରୀ ଉପରେ ରେକର୍ଡ ହୋଇଛି।
ଆସନ୍ତା ଚାରି ଦିନ ପାଇଁ ପୂର୍ବ ଭାରତର କିଛି ଅଂଶରେ ଏବଂ ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ହିଟ୍ ଓ୍ବେଭ୍ ଜାରି ରହିବ ବୋଲି ସୋମବାର ପାଣିପାଗ ବିଭାଗ କହିଛି। ପଶ୍ଚିମବଙ୍ଗ ଏବଂ ବିହାର ସମତଳ ଅଞ୍ଚଳରେ କ୍ରମାଗତ ଚାରି ଦିନ ତାପମାତ୍ରା ବୃଦ୍ଧି ପାଇବ। ସିକ୍କିମ୍, ଓଡିଶା ଏବଂ ଝାଡଖଣ୍ଡରେ ମଧ୍ୟ ଉତ୍ତାପ ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ଜାରି ରହିପାରେ।
ପାଣିପାଗ ବିଭାଗ କହିଛି ଯେ ଏପ୍ରିଲ ୧୮ରେ ପଶ୍ଚିମ ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଉତ୍ତାପ ହେବାର ଆଶଙ୍କା ରହିଛି। ପୂର୍ବ ଉତ୍ତରପ୍ରଦେଶ ମଧ୍ୟ ୧୮-୧୯ ଏପ୍ରିଲରେ ଅତ୍ୟଧିକ ଉତ୍ତାପ ଦ୍ୱାରା ପ୍ରଭାବିତ ହୋଇପାରେ। ଏହିପରି ସ୍ଥିତି ଉପକୂଳ ଆନ୍ଧ୍ରପ୍ରଦେଶରେ ଚାରି ଦିନ ଏବଂ ବିହାରରେ ତିନି ଦିନ ଧରି ଚାଲିଆସୁଛି। ପଶ୍ଚିମବଙ୍ଗର ୧୮ଟି ଜିଲ୍ଲା ପାଇଁ ଆଇଏମଡି ହିଟ୍ ଓ୍ବେଭ୍ ପାଇଁ ସତର୍କ ସୂଚନା ଜାରି କରିଛି।
ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ “ଯେତେବେଳେ ପବନ ପୂର୍ବ ଦିଗରୁ କିମ୍ବା ବଙ୍ଗୋପସାଗର ଦିଗରୁ ପ୍ରବାହିତ ହୁଏ, ସେତେବେଳେ ଅନେକ ଥର ମେଘାଚ୍ଛନ୍ନତା ରହିଥାଏ ଯାହା ପୂର୍ବ ରାଜ୍ୟରେ ତାପମାତ୍ରା ହ୍ରାସ କରିଥାଏ। କିନ୍ତୁ ଉତ୍ତର-ପଶ୍ଚିମରୁ ଉଷ୍ମ, ଶୁଖିଲା ପବନ ପୂର୍ବ ଭାରତରେ ପ୍ରବାହିତ ହେଉଛି, ଯେଉଁଠାରେ ଆର୍ଦ୍ରତା ସ୍ତର ଅପେକ୍ଷାକୃତ ଅଧିକ। ତେଣୁ ପୂର୍ବ ରାଜ୍ୟର ଲୋକମାନେ ଯଥେଷ୍ଟ ଗ୍ରୀଷ୍ମପ୍ରବାହ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ହିଟ୍ ଓ୍ବେଭର ଅର୍ଥ ପ୍ରକୃତରେ ଆର୍ଦ୍ରତା ଏବଂ କେବଳ ତାପମାତ୍ରା ନୁହେଁ। ଉତ୍ତର ପ୍ରଦେଶ ତୁଳନାରେ ଉପକୂଳବର୍ତ୍ତୀ ରାଜ୍ୟମାନଙ୍କରେ ଆର୍ଦ୍ରତା ଅପେକ୍ଷାକୃତ ଅଧିକ ବୋଲି ସେ କହିଛନ୍ତି। ଯେତେବେଳେ ପୂର୍ବରୁ ପବନ ଏବଂ ସମାନ ତାପମାତ୍ରା ପ୍ରାଧାନ୍ୟ ବିସ୍ତାର କରେ, ସେତେବେଳେ ଏହା ଭୟଙ୍କର କିମ୍ବା ସାଂଘାତିକ ହୋଇପାରେ ବୋଲି ସ୍କାଏମେଟ୍ ପାଣିପାଗର ଶୀର୍ଷ ଅଧିକାରୀ ମହେଶ ପାଲୱାଟ କହିଛନ୍ତି। ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷର ପାଗ ଏକ ଅସାଧାରଣ ଭାବରେ ଦେଖାଦେଇଛି। ଯାହା ଚିନ୍ତାଜନକ ଅଟେ।
Comments are closed.