Latest Odisha News

ସ୍ୱଳ୍ପ ଗଳ୍ପ : କୃଷ୍ଣଚୂଡ଼ାର ରଙ୍ଗ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬୪

କୃଷ୍ଣଚୂଡ଼ାର ଗୋଟିଏ ସୁନ୍ଦର ନାଆଁ ଅଛି ଇଂରେଜୀରେ, ପିକକ୍ ଫ୍ଲାୱାର୍ । ” ସିସିଲପିନା ” ପ୍ରଜାତିର ଫୁଲ ମାନଙ୍କର ରଙ୍ଗ ବୈଚିତ୍ର୍ୟକୁ ନେଇ ସମ୍ଭବତଃ ଏଇଭଳି ଗୋଟିଏ ନାଆଁ ର ସୃଷ୍ଟି,ମୟୁର ପୁଷ୍ପ ।

ଦାରୁଣ ନିଦାଘକାଳର ଅପସରା ସେ।

ତାହାର ସୁନ୍ଦରପଣରେ ବିମୋହିତ ହୋଇ ଆମର କବି ସୌଭାଗ୍ୟ ମିଶ୍ର ତାହାର ପ୍ରକାଶ୍ୟରୂପରେ ଦେଖିଛନ୍ତି ଗୋଟିଏ ନାଲି ଟହଟହ ଗର୍ବ । କବି ଜଣକ ଯେତେବେଳେ କୌଣସି ଅପରୂପରେ ବିଭୋର ହୋଇ ତାହାକୁ ସର୍ବାୟତ୍ତ କରିବାକୁ ଯାଇ ବିଫଳ ହୁଏ ସେତେବେଳେ ତ ନିଜଠାରୁ ସେହି ସୁନ୍ଦରପଣର ଦୂରତ୍ୱକୁ ପ୍ରକାଶ କରିବାକୁ ଯାଇ କହେ,ସେଇଟି ସମ୍ପୃକ୍ତ ପଦାର୍ଥର ଗର୍ବ।

ରଙ୍ଗର ଗର୍ବ ଆଉ ସୁନ୍ଦରପଣର ଗର୍ବ ସହିତ ଆମେ ଆଉ କୃଷ୍ଣଚୂଡା ନିରନ୍ତର ଏକ ଦୂରତ୍ୱରେ ସହାବସ୍ଥାନ କରୁଛୁ। ଦୂରତ୍ୱକୁ ଭ୍ରମରେ ରୂପାନ୍ତରିତ କରିବାର ପ୍ରଚେଷ୍ଠା କରୁଛୁ। ସେଇଥିପାଇଁ ତ ଆମ ତରଫରୁ ବୀଣାନିନ୍ଦିତ କଂଠରେ ଅକ୍ଷୟ ମହାନ୍ତି ଗାଇଛନ୍ତି :

” ବୟସର କୃଷ୍ଣଚୂଡା ରଙ୍ଗ ତୁମ ମନ୍ଦ ନୁହଁ
ବୟସର ନନ୍ଦିନୀ ଗୋ ସଙ୍ଗ ତୁମ ମନ୍ଦ ନୁହଁ।”

କୃଷ୍ଣଚୂଡାକୁ ନିଜର ବୟସ ବୋଲି ଭାବିଲେ ଭାରି ଭଲ ଲାଗେ । ଲାଗେ ଯେମିତି ଯେତେ ପ୍ରଖର ତାପ ଚାରିପାଖର ପୃଥିବୀକୁ ଆଲିଙ୍ଗନ କରି ରଖିଥାଉ ପଛକେ ଆମର ନାଲି ନାଲି ଏଇ କୃଷ୍ଣଚୂଡା ଆମକୁ ଡାକୁଥିବ ଯେ ଡାକୁଥିବ। ଆଉ ତାହାରି ସହ ତାଳ ସହିତ ଘୁଂଘୁର ଭଳି ଜଡିତ ଥିବ ଆମର ଅପ୍ରତିରୋଧ ଗତି।

କୃଷ୍ଣଚୂଡା ବି ଆମକୁ ମନେ ପକାଇଦିଏ ରଘୁନାଥ ପାଣିଗ୍ରାହୀଙ୍କ ଅନନୁକରଣୀୟ ଗଳା। ଆହା !

ୱେଷ୍ଟ ଇଣ୍ଡିଜ ର ମହିଳାମାନେ ଏହି କୃଷ୍ଣଚୂଡାକୁ ଅତ୍ୟନ୍ତ ପ୍ରିୟ ଆଉ ଶ୍ରଦ୍ଧାର ଦୃଷ୍ଟିରେ ଦେଖୁଥିଲେ । କୃଷ୍ଣଚୂଡାକୁ ନେଇ ସେମାନେ ନିଜର ସମସ୍ତ ଆହ୍ଲାଦ ଆଉ ଉଚ୍ଛ୍ୱାସକୁ ସବୁବେଳେ ପରିପ୍ରକାଶ କରୁଥିଲେ । କିନ୍ତୁ ସେମାନଙ୍କର ଏଇ ଭଳି ଗୋଟିଏ ଫୁଲ ଅର୍ଥାତ୍ କୃଷ୍ଣଚୂଡା ପ୍ରତି ରହିଥିବା ମାତ୍ରାଧିକ ଆସକ୍ତି ସ୍ୱାଭାବିକ କଥା ନଥିଲା। ସେମାନେ କୃଷ୍ଣଚୂଡାକୁ ସୁନ୍ଦରର ପ୍ରତୀକ ହିସାବରେ ଅଧିକ ପରାଚିତି ପ୍ରଦାନ କରିବା ପଛରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଥିଲା । ସେମାନଙ୍କର ଧାରଣାରେ ସମସ୍ତେ ଯଦି କୃଷ୍ଣଚୂଡାର ସୁନ୍ଦରତାରେ ବିଭୋର ହୋଇ ରହିବେ ତାହାହେଲେ କୃଷ୍ଣଚୂଡାର ଅସଲ ବାସ୍ତବତା ସର୍ବସାଧାରଣଙ୍କଠାରୁ ଦୂରରେ ଅର୍ଥାତ୍ ଗୋପନ ହୋଇ ରହିବ । ଅନ୍ୟଭାବରେ କହିଲେ କୃଷ୍ଣଚୂଡାର ଯାହା ଅସଲ ବ୍ୟବହାରିକ ରୂପ ତାହା କୃଷ୍ଣଚୂଡାର ସୁନ୍ଦରତାର ବଖାଣ କାରଣରୁ ଆଢୁଆଳରେ ରହିଯିବ।

ୱେଷ୍ଟ ଇଣ୍ଡିଜର ମହିଳାମାନେ,ହଁ କେବଳ ମହିଳାମାନେ ଚାହୁଁଥିଲେ ଯେ,କୃଷ୍ଣଚୂଡାର ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚା ହେଉ,ଯେତେ ସମ୍ଭବ ଚର୍ଚ୍ଚା ହେଉ,ଆଉ ତାହା ଫଳରେ କୃଷ୍ଣଚୂଡା ଯାହା ପାଇଁ ଉଦ୍ଦିଷ୍ଟ ସେକଥା ଆଢୁଆଳରେ ରହିପାରିବ। ପୁରୁଷମାନଙ୍କ ଦୃଷ୍ଟିରୁ ଏଇକଥା ଯଥାସମ୍ଭବ ଗୋପନ ରଖାଯିବା ଉଚିତ୍।

ଆମେ ସମସ୍ତେ କୃଷ୍ଣଚୂଡାକୁ ଅନେକ ନିଜର ଭାବୁ। ମାତ୍ର ଇତିହାସ ଦୃଷ୍ଟିରୁ ତାହାର ଆଦିଭୂମୀ ହେଉଛି ୱେଷ୍ଟ ଇଣ୍ଡିଜ୍। ୱେଷ୍ଟ- ଇଣ୍ଡିଜ୍ ରୁ ବାଣିଜ୍ୟ କରିବାକୁ ସେଠିକୁ ଯାଇଥିବା ଇଉରୋପୀୟ ମାନଙ୍କ ସହିତ ,ବିଶେଷ ଭାବରେ ସେଠାରୁ ଆସୁଥିବା କ୍ରୀତଦାସମାନଙ୍କର ସହିତ ଏଇ ଫୁଲ ଅର୍ଥାତ୍ କୃଷ୍ଣଚୂଡା ଆସି ସମଗ୍ର ଇଉରୋପରେ ଜନପ୍ରିୟତା ଅର୍ଜନ କରିଥିଲା । ଇଉରୋପର ଉଦ୍ଭିଦ ସଂଗ୍ରାହକମାନେ ଏଇ ଅଳଙ୍କାରିକ ଫୁଲକୁ ନିଜର ସଂଗ୍ରହରେ ରଖିବା ବ୍ୟତୀତ ଇଉରୋପରୁ ଅନ୍ୟତ୍ର ନେଉଥିଲେ। ଆମେରିକାର ଦକ୍ଷିଣ ରାଜ୍ୟଗୁଡିକରେ ଏହା ଜନପ୍ରିୟ ହେବାରେ ଲାଗିଲା। ତେଣୁ ୱେଷ୍ଟ ଇଣ୍ଡିଜ୍ ଆଉ ସେଇଠୁ ଇଉରୋପ ଏବଂ ଇଉରୋପରୁ ବିଶ୍ୱର ଅନ୍ୟତ୍ର ହେଉଛି କୃଷ୍ଣଚୂଡାର ବିଜୟର ଗତିପଥ ।

ମେରିଆ ସିବିଲା ମେରିଆନ୍ ବୋଲି ଜଣେ ଉଦ୍ଭିଦ-ଆବିଷ୍କାରକ ( ତାଙ୍କୁ ଆବିଷ୍କାରକ ବୋଲି କହିଲେ ଠିକ୍ ହେବ ,କାରଣ ସେ ନୂଆ ନୂଆ ଉଦ୍ଭିଦର ଆବିଷ୍କାର କରି ତାହାର ପ୍ରଜାତି ତଥା ବର୍ଗୀକରଣର ଅଧ୍ୟୟନ,ଯାହାକୁ ଉଦ୍ଭିଦବିଦ୍ୟାରେ ” ଟାକ୍ସୋନୋମି” ବୋଲି କୁହାଯାଏ ସେଇ କାମ କରୁଥିଲେ ) ୧୭୦୫ ଖ୍ରୀଷ୍ଟାବ୍ଦରେ ପ୍ରଥମେ କୃଷ୍ଣଚୂଡା ସମ୍ପର୍କରେ କିଛି ତଥ୍ୟ ପ୍ରକାଶ କରିଥିଲେ। ମେରିଆ ସିବିଲା ମେରିଆନଙ୍କର କୃଷ୍ଣଚୂଡା ଉପରେ ଥିବା ବକ୍ତବ୍ୟ ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ। ୱେଷ୍ଟ ଇଣ୍ଡିଜରୁ ଆସିଥିବା କ୍ରୀତଦାସମାନେ ସେମାନଙ୍କର ମାଲିକମାନଙ୍କର ବିରୁଦ୍ଧରେ ଏକ ସମର୍ଥ ଅସ୍ତ୍ର ଭାବରେ କୃଷ୍ଣଚୂଡା ଗଛକୁ ବ୍ୟବହାର କରୁଥିଲେ ।

ମେରିଆନ୍ ଙ୍କ ସେତେବେଳର କହିବା କଥା ଥିଲା, ୱେଷ୍ଟ ଇଣ୍ଡିଜରୁ ଆଗତ କ୍ରୀତଦାସ ମାନେ ଯେଉଁମାନଙ୍କୁ ସେମାନଙ୍କର ଓଲନ୍ଦାଜ ବା ଡଚ୍ ମାଲିକ ମାନେ (ସେ କେବଳ ଡଚ୍ ଏବଂ ୱେଷ୍ଟ ଇଣ୍ଡିଜ ଭିତରେ ଥିବା ସେ ସମୟର କ୍ରୀତଦାସ ସମ୍ପର୍କର ଉଲ୍ଲେଖ କରିଛନ୍ତି ।)ଅତ୍ୟନ୍ତ ନିକୃଷ୍ଟ ବ୍ୟବହାର କରୁଥିଲେ ସେମାନଙ୍କୁ ଶିକ୍ଷା ଦେବାପାଇଁ ଏହି କ୍ରୀତଦାସୀ ମହିଳାମାନେ କୃଷ୍ଣଚୂଡାର ମଞ୍ଜିକୁ ବାଟି ପିଇଦେଉଥିଲେ। ଏହାଫଳରେ ସେମାନଙ୍କର ଅବାଞ୍ଛିତ ଗର୍ଭର ପତନ ହୋଇପାରିବ। ଏହି ମହିଳା ମାନେ ଜାଣିଥିଲେ ଯେ,ସେମାନଙ୍କର ସନ୍ତାନମାନେ ସେମାନଙ୍କ ଭଳି ଭବିଷ୍ୟତରେ ଆଜୀବନ କ୍ରୀତଦାସ ହୋଇ ରହିବେ। ତେଣୁ ଏହି ପ୍ରକ୍ରିୟାରୁ ଅବରୁଦ୍ଧ କରିବା ପାଇଁ ସେମାନେ କୃଷ୍ଣଚୂଡା ମଞ୍ଜିର ସାହାଯ୍ୟ ନେଉଥିଲେ । ତାହାଫଳରେ ସେମାନେ କ୍ରୀତଦାସମାନଙ୍କ କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟାରେ କିଛି ପରିମାଣରେ ବାଧା ସୃଷ୍ଟି କରିପାରୁଥିଲେ । ଏହା ସେମାନଙ୍କ ତରଫରୁ ଏକ ପ୍ରତିବାଦ,କ୍ଷୀଣ ପ୍ରତିବାଦ ,ଏହିଭଳି ଗୋଟିଏ ପ୍ରତିବାଦ ବ୍ୟତୀତ ତାଙ୍କ ପାଖରେ ଆଉ କିଛି ବିକଳ୍ପ ଉପଲବ୍ଧ ନଥିଲା।

ଅନ୍ୟପକ୍ଷରେ କ୍ରୀତଦାସ ମାଲିକମାନେ ଯଥେଷ୍ଟ କ୍ରୀତଦାସ-ଜନ୍ମ ଉପରେ ଗୁରୁତ୍ୱ ଦେଉଥିଲେ । ତେଣୁ ମାଲିକମାନଙ୍କର ଏଇ ଭଳି ଅଭିଳାଷର ବାଧକ ସାଜୁଥିଲା କୃଷ୍ଣଚୂଡା ଗଛ। ତେଣୁ କ୍ରୀତଦାସ ମହିଳାମାନଙ୍କର ଆଖପାଖରେ ଯେପରି କୌଣସି କୃଷ୍ଣଚୂଡା ଗଛ ଦେଖାନଯାଏ ସେମାନେ ଏଥିପ୍ରତି ନଜର ରଖୁଥିଲେ।

ଅଷ୍ଟାଦଶ ଶତାବ୍ଦୀର କିଛି ଇଉରୋପୀୟ ଚିକିତ୍ସାପୁସ୍ତକରେ କୃଷ୍ଣଚୂଡା ଗଛର ଏଇ ଭଳି ଉଲ୍ଲେଖ ରହିଅଛି। କୃଷ୍ଣଚୂଡା ଗଛର ମଞ୍ଜିକୁ ବାଟି ଖାଇଲେ ଗର୍ଭନଷ୍ଟ ହେବ ଆଉ ଏହାର ପ୍ରୟୋଗ କ୍ରୀତଦାସୀ ମହିଳାମାନେ କରୁଥିବା ଭଳି କଥା ସେଥିରେ ରହିଛି। ସେ ସମୟର ଏଇ ଭଳି ଗୋଟିଏ ଚିକିତ୍ସା ବିଚାରକୁ ଆଜି ନିଜର ଜୀବନରେ କୌତୁହଳବଶତଃ କେହି ପ୍ରୟୋଗ ନକରିବାକୁ ବିନମ୍ର ଅନୁରୋଧ। ସେତେବେଳେ ଚିକିତ୍ସକମାନେ ମନେ କରୁଥିଲେ ଯେ,କୃଷ୍ଣଚୂଡାର ମଞ୍ଜିରେ ଯେହେତୁ କୃଷ୍ଣଚୂଡା ଭଳି ଏକ ଉଗ୍ର ପୁଷ୍ପପ୍ରବୃତ୍ତି ସୃଷ୍ଟି କରିବା ଭଳି କ୍ଷମତା ରହିଅଛି ତେଣୁ ଏହାର ସେବନରେ ନାରୀ ଯଥାଶିଘ୍ର ପୁଷ୍ପବତୀ( ଋତୁମତୀ) ହେବା ସମ୍ଭବପର। ତେଣୁ ସେ ସମୟର ବିଚାରରେ କୃଷ୍ଣଚୂଡାର ମଂଜି ନାରୀର ମେନାର୍କି ବା ଋତୁକ୍ରିୟାକୁ ତ୍ୱରାନ୍ୱିତ କରୁଥିବା କାରଣରୁ ଏହାଅବାଞ୍ଛିତ ଗର୍ଭାଧାନକୁ ପ୍ରତିହତ କରିପାରିବ ବୋଲି ସେ ସମୟର କ୍ରୀତଦାସୀ ମହିଳାମାନଙ୍କର ବିଶ୍ୱାସ ଥିଲା । ଆଉ ସେହି କ୍ରୀତଦାସୀ ମହିଳାମାନଙ୍କର ଏହି ଭଳି ଗୋଟିଏ ବିଶ୍ୱାସ ସେମାନଙ୍କର ମୂଳଦେଶ ଅର୍ଥାତ୍ ୱେଷ୍ଟ ଇଣ୍ଡିଜ୍ ରୁ ଆସିଥିଲା ବୋଲି କହିଲେ କଥାଟି ସେମିତି ଭୁଲ୍ ହୋଇଯିବ ନାହିଁ ।

ଅବାଞ୍ଛିତ ଗର୍ଭକୁ ପ୍ରତିହତ କରିବା ଭଳି ଏକ ଉପଯୋଗୀତା ଆକାରରେ କୃଷ୍ଣଚୂଡାକୁ ସୁନ୍ଦରପଣର ଆଢୁଆଳରେ ଅର୍ଥାତ୍ ଗୋପନରେ ରଖିଦେବା, ସେଦିନର ୱେଷ୍ଟ ଇଣ୍ଡିଜର ମହିଳାମାନଙ୍କର ଅଭିଳାଷ ଥିଲା।

କୃଷ୍ଣଚୂଡା ତେଣୁ ସୁନ୍ଦର ହେଲା। ଏବେ ବି ସୁନ୍ଦର ଅଛି । ମାତ୍ର ତାହାର ଅନ୍ୟାନ୍ୟ ବିବର୍ତ୍ତନ କଥା ଆଢୁଆଳରେ ଅଛି।

ସେ ଯାହାହେଉ ,ଯେଉଁ ଉଦ୍ଭିଦବିତ୍ ମାନେ ଉଦ୍ଭିଦବିଦ୍ୟା ସହିତ ଇତିହାସର ବିବର୍ତ୍ତନକୁ ଏକାଠି ଅଧ୍ୟୟନ କରିଥାନ୍ତି ସେସମୟରେ ସେମାନଙ୍କ ଭିତରୁ କିଛି କୃଷ୍ଣଚୂଡାକୁ ଦୁଷ୍ଟ ଉଦ୍ଭିଦ ବା ୱିକେଡ୍ ପ୍ଲାଣ୍ଟର ତାଲିକା ଭିତରେ ରଖିଦେବା ,ଆମକୁ ଗୋଟିଏ କଥା କହେ,ଅବାଞ୍ଛିତ ଗର୍ଭକୁ ନେଇ ନାରୀ ଯେତିକି ସଂତ୍ରସ୍ତ,ପୁରୁଷ ସେତିକି ବେପରବାୟ ।

ବନ୍ଧୁଗଣ ଏହା ଅଷ୍ଟାଦଶ ଶତାବ୍ଦୀର କଥା ।

Comments are closed.