ଭୁବନେଶ୍ୱର: କଲବଲ କରୁଛି ତାତି । ପ୍ରବଳ ଗ୍ରୀଷ୍ମପ୍ରବାହରେ ଅତିଷ୍ଠ ରାଜ୍ୟବାସୀ । ଗତକାଲି ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ତାପମାତ୍ର ୪୦ ଉପରେ ଥିଲା । ଟ୍ୱିନ ସିଟିରେ ୪୨ ଅତିକ୍ରମ କରିଥିଲା । ଭୁବନେଶ୍ୱର ତାପମାତ୍ରା ୪୨.୭ ଡିଗ୍ରୀ ସେଲସିୟସ ଥିବାବେଳେ କଟକରେ ୪୨.୫ ଡିଗ୍ରୀ ଥିଲା । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆଗାମୀ ଦୁଇ ଦିନ ପାଇଁ ତାତିରୁ ମୁକ୍ତି ନାହିଁ । ରାଜ୍ୟର ୮ଟି ଆଭ୍ୟନ୍ତରୀଣ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ୮ଟି ଜିଲ୍ଲା ହେଲା ସୁନ୍ଦରଗଡ, ମୟୁରଭଞ୍ଜ, କେଉଁଝର, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ ବୌଦ୍ଧ । ବାୟୁମଣ୍ଡଳ ଉପରି ଭାଗରେ ଏକ ଗୁରୁଚାପ ବଳୟ ଯୋଗୁଁ ଶୁଷ୍କ ବାୟୁ ରାଜ୍ୟକୁ ପ୍ରବେଶ କରୁଛି । ଫଳରେ ଆସନ୍ତା ଦୁଇ ଦିନ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟରେ ଗୁଳୁଗୁଳି ସହ ଗରମ ଅଧିକ ଅନୂଭବ ହୋଇପାରେ।
ଗ୍ରୀଷ୍ମ ଲହରୀକୁ ଦେଖି ଆଜିଠାରୁ ପୁଣି ଦୁଇଦିନ ପାଇଁ ସ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଆଜି ଓ ଆସନ୍ତାକାଲି ପାଇଁ ବନ୍ଦ ଘୋଷଣା କରିଛନ୍ତି ସରକାର । ଏପରିକି ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବି ହିଟ୍ ୱେଭ୍ ଯୋଗୁ ଗତ ୧୨ରୁ ୧୬ ତାରିଖ ୫ ଦିନ ଯାଏ ସ୍କୁଲ୍ ଛୁଟି କରାଯାଇଥିଲା।
ଆସନ୍ତା ୨୧ ତାରିଖ ଯାଏ ଏଭଳି ତାତି ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତେବେ ୨୧ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ଦେଖାଦେବା ସହ ତାତିରୁ ଆଶ୍ୱସ୍ତି ମିଳିବ । ୨୧ରେ ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେଥିପାଇଁ ଏଠାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
Comments are closed.