Latest Odisha News

BREAKING NEWS

କର୍ଣ୍ଣାଟକରେ ମୋଦି କଷ୍ଟ ଦେଲେ, ମଲମ ବି ଲଗାଇଲେ !

ଭୁବନେଶ୍ୱର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମତଦାନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳ ଗୁଡ଼ିକର ହାର୍ଟବିଟ ସେତିକି ବଢି ବଢି ଚାଲିଛି। କର୍ଣ୍ଣାଟକ ନିର୍ବାଚନ ବହୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି। ବିଜେପି ଓ କଂଗ୍ରେସ ପାଇଁ ନିର୍ବାଚନ ବହୁ ଗୁରୁତ୍ୱ ରଖୁଛି।

ଏପରିକି କେନ୍ଦ୍ର ଓ ରାଜ୍ୟରେ ଶାସନ ବ୍ୟବସ୍ଥାରେ ଥିବା ବିଜେପି ଦଳୀୟ ନେତାଙ୍କ ଦ୍ୱାରା କଡା ଟକ୍କରର ସମ୍ମୁଖୀନ ହେଉଛି। ଦଳ ନୂଆ ମୁହଁଙ୍କୁ ନିର୍ବାଚନକୁ ଓଲ୍ହାଇଥିବା ବେଳେ ପୁରୁଣା ପ୍ରଭାବୀ ଚେହେରାଙ୍କୁ ବିଶ୍ରାମ ଦେବାକୁ ଉଦ୍ୟମ କରିଛି।

କିନ୍ତୁ ବହୁ ନାମଜାଦା ନେତା ଏଥିପାଇଁ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିବା ସହ ଅନ୍ୟ ଦଳକୁ ଯାଇ ନିର୍ବାଚନ ଲଢ଼ୁଛନ୍ତି। ଯାହା ବିଜେପି ପାଇଁ ବଡ଼ ମୁଣ୍ଡବ୍ୟଥାର କାରଣ ହୋଇଛି। ଦଳର ବହୁ ହେଭିୱେଟ ଟିକେଟ ନ ପାଇ ଦଳ ଛାଡିଛନ୍ତି।

କିନ୍ତୁ ସେ ମଧ୍ୟରେ କିଛି ନେତା ଅଛନ୍ତି ଯେଉଁମାନେ ଟିକେଟ ନ ପାଇ ମଧ୍ୟ ଦଳ ଛାଡିନାହାନ୍ତି। ତେଣୁ ଏଭଳି କିଛି ନେତାଙ୍କୁ ସ୍ୱତନ୍ତ୍ର ସମ୍ମାନ ଦେବାକୁ ଭିନ୍ନ ଉଦ୍ୟମ କରିଛି ବିଜେପି।

ପୂର୍ବରୁ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବିଜେପିର ବରିଷ୍ଠ ନେତା କେଏସ ଈଶ୍ୱରପ୍ପାଙ୍କୁ ବିଜେପି ଏଥର ଟିକେଟ ଦେଇନାହିଁ। ନୂଆ ରଣନୀତି ଅନୁଯାୟୀ ବିଜେପି ଏଥର ବରିଷ୍ଠ ନେତାଙ୍କୁ ଟିକେଟ ନ ଦେବାକୁ ନିଷ୍ପତ୍ତି ନେଇଥିଲା। ଏ କଥା ପୂର୍ବରୁ ବରିଷ୍ଠ ନେତାମାନଙ୍କୁ ଜଣାଯାଇଥିଲା।

କିନ୍ତୁ ଏଭଳି ନିଷ୍ପତ୍ତିକୁ ବହୁ ନେତା ଖୋଲା ବିରୋଧ କରିଥିଲେ। କିନ୍ତୁ ପ୍ରାର୍ଥୀ ତାଲିକା ଘୋଷଣା ହେବା ପୂର୍ବରୁ ଈଶ୍ୱରପ୍ପା ନିଜ ଆଡ଼ୁ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ। ତେଣୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଫୋନ କରି ପ୍ରଶଂସା କରିଛନ୍ତି।

କର୍ଣ୍ଣାଟକର ଶିବମୋଗା ଆସନରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଈଶ୍ୱରପ୍ପା ଦଳର ନିଷ୍ପତ୍ତିକୁ ସମ୍ମାନ ଦେବା ସହ ଦଳ ପ୍ରତି ତାଙ୍କର ନିଷ୍ଠା ଦେଖାଇଥିବାରୁ ମୋଦି ତାଙ୍କୁ ଫୋନରେ ପ୍ରଶଂସା କରିଛନ୍ତି। ଯାହାକୁ ନେଇ ଦେଶ ଓ କର୍ଣ୍ଣାଟକ ରାଜନୀତି ବେଶ ଚଳଚଞ୍ଚଳ ହୋଇଛି।

ଫୋନରେ କଥାବାର୍ତ୍ତା ଭିଡିଓକୁ ଈଶ୍ୱରପ୍ପା ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଈଶ୍ୱରପ୍ପାଙ୍କୁ ପ୍ରଶଂସା କରିବା ସହ କର୍ଣ୍ଣାଟକ ଗସ୍ତରେ ଆସିଲେ ତାଙ୍କୁ ଭେଟିବେ ବୋଲି ମୋଦି କହିଛନ୍ତି। ତେଣୁ ଏଭଳି କରି ମୋଦି ଏକ ଉଦାହରଣ ସୃଷ୍ଟି କରିବାକୁ ଚାହୁଁଥିବା କୁହାଯାଉଛି।

ଏହି କଥୋପକଥନ ଦ୍ୱାରା ଈଶ୍ୱରପ୍ପାଙ୍କ ଭଳି ଟିକେଟ ନ ପାଇ ବିଦ୍ରୋହ ନ କଲେ ବିଜେପି ଶୀର୍ଷ ନେତୃତ୍ୱ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଶୀର୍ବାଦ ମିଳିବ ବୋଲି ତୃଣମୂଳ ସ୍ତରକୁ ଏକ ବାର୍ତ୍ତା ଯାଇଥିବା ଆଲୋଚନା ହେଉଛି। ଈଶ୍ୱରପ୍ପା ଏବେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ତାଙ୍କ ନିର୍ବାଚନମଣ୍ଡଳରେ ପ୍ରଚାର କରିବେ ଓ ବିଜେପିକୁ କର୍ଣ୍ଣାଟକରେ ଜିତାଇବାକୁ ଚେଷ୍ଟା କରିବେ ବୋଲି ମୋଦିଙ୍କୁ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି।

ରାଜ୍ୟର ଜଣେ ଦଳୀୟ ନେତାଙ୍କୁ ଖୋଦ ମୋଦି ଫୋନ କରି ପ୍ରଶଂସା କରିବା ଆଲୋଚ୍ୟର ବିଷୟ ହୋଇଛି। କର୍ଣ୍ଣାଟକରେ ବିଜେପି ନେତାଙ୍କ ବିଦ୍ରୋହ ଯୋଗୁ ଦଳ ଅଡୁଆରେ ପଡିଛି। ଏପରିକି ବିଦ୍ରୋହୀ ମାନେ ବିରୋଧୀ ଦଳ କଂଗ୍ରେସ ଓ ଜେଡିଏସକୁ ଖୋଲା ସମର୍ଥନ ଦେଉଛନ୍ତି।

ଏପରିକି ଟିକେଟ ଘୋଷଣା ହେବା ପରେ ଲଗାତର ଏ ପ୍ରକ୍ରିୟା ଚାଲିଛି। ତେଣୁ ଏଭଳି ସ୍ଥିତିରେ ଏଥିରେ ରୋକ ଲଗାଇବା ପାଇଁ ବିଜେପିର ଏହା ଏକ ଷ୍ଟ୍ରାଟେଜି ବୋଲି କୁହାଯାଉଛି। ଏପରିକି ଆଉ ବିଦ୍ରୋହ କରିବାକୁ ମନସ୍ଥ କରିଥିବା ନେତାଙ୍କ ମାନସିକତା ଉପରେ ଏହା ପ୍ରଭାବ ପକାଇବ ବୋଲି କୁହାଯାଉଛି।

ଏଭଳି ପରିସ୍ଥିତିର ଫାଇଦା ନେଇ କଂଗ୍ରେସ ବହୁ ପ୍ରମୁଖ ବିଦ୍ରୋହୀଙ୍କୁ ନିଜ ପକ୍ଷକୁ ଆଣିବାକୁ ସକ୍ଷମ ହୋଇଛି। ଏପରିକି ଆହୁରି ବହୁ ଅସନ୍ତୁଷ୍ଟ ନେତା ଦଳରେ ଥିଲେ ମଧ୍ୟ ସେମାନଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ଭାବିବା ସହ ଅନ୍ୟର ପ୍ରରୋଚନାରେ ଦଳୀୟ ନେତାଙ୍କୁ ହରାଇବାକୁ ଭିତିରିଆ ଯୋଜନା କରୁଥିବା କୁହାଯାଉଥିଲା।

କିନ୍ତୁ ମୋଦିଙ୍କ ଏହି ଫୋନ କଲ ବିଦ୍ରୋହୀ ନେତାଙ୍କ ଉପରେ କେତେ ପ୍ରଭାବ ପକାଇବ ତା ଉପରେ ନଜର।

Comments are closed.