Latest Odisha News

‘୨୦୨୨ରେ ବ୍ୟବହୃତ ମୋବାଇଲ ଫୋନ ଶତ ପ୍ରତିଶତ ଭାରତରେ ତିଆରି’

ଭୁବନେଶ୍ୱର: କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର ସୋମବାର କାର୍ଯ୍ୟର ଭବିଷ୍ୟତ ଉପରେ ଆୟୋଜିତ ପ୍ରଦର୍ଶନୀର ଦ୍ୱିତୀୟ ଦିନର ବୈଠକକୁ ଉଦଘାଟନ କରିଛନ୍ତି । ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀର ତୃତୀୟ ବୈଠକ ପୂର୍ବରୁ ଏହି ବିଶେଷ ପ୍ରଦର୍ଶନୀ ଆୟୋଜନ କରାଯାଉଛି ।

ଏହି ଉଦଘାଟନୀ ସମାରୋହରେ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ସଚିବ ଅତୁଲ କୁମାର ତିୱାରୀ, ସିଆଇଆଇର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଟିଭିଏସ ସପ୍ଲାଇ ଚେନ ସଲ୍ୟୁସନ୍ସର ଉପସଭାପତି ଶ୍ରୀ ଆର. ଦିନେଶ, ଡେଲଏଟ୍ର ଭାଗିଦାର ଶ୍ରୀ ଏନ.ଏସ.ଏନ ମୂର୍ତ୍ତି ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ ।

ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର କହିଥିଲେ ଯେ ଏହି ସମ୍ମିଳନୀରେ ଲଜିଷ୍ଟିକ୍ସ କ୍ଷେତ୍ରରେ ସମନ୍ୱୟ, ଉପକୂଳ ଅର୍ଥବ୍ୟବସ୍ଥା ଏବଂ ଦୀର୍ଘସ୍ଥାୟିତ୍ୱ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଉଛି । ଉପକୂଳ ଅର୍ଥ ବ୍ୟବସ୍ଥାରେ ଦକ୍ଷତାବିକାଶ ପରିଦୃଶ୍ୟ ପାଇଁ ଏସବୁ ଆଲୋଚନା ଜରୁରୀ ।

ସେ ଆହୁରି କହିଥିଲେ ଯେ, ଆଗାମୀ ଦିନରେ ଲଜିଷ୍ଟିକ୍ସ କ୍ଷେତ୍ରରେ ଯୁବ ଛାତ୍ରଛାତ୍ରୀଙ୍କ ପାଇଁ ଅପାର ସୁଯୋଗ ତଥା ସମ୍ଭାବନା ସୃଷ୍ଟି ହେବ। ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିର ବିକାଶ ସହିତ ନିବେଶ, ଉଦ୍ୟମିତା ଓ ନିଯୁକ୍ତି ପାଇଁ ଅନେକ ସୁଯୋଗ ସୃଷ୍ଟି ହେବ । ଆଗାମୀ ଦିନରେ ଲଜିଷ୍ଟିକ୍ସ ଏକ ଆକର୍ଷଣୀୟ କ୍ଷେତ୍ର ହେବାକୁ ଯାଉଛି ଏବଂ ଆମ ଯୁବପିଢ଼ିଙ୍କ ପାଇଁ ଏଥିରେ ଅପାର ସମ୍ଭାବନା ରହିଛି । ଏହାକୁ ପ୍ରଯୁକ୍ତି ଦ୍ୱାରା ସଶକ୍ତ କରାଗଲେ ନିବେଶ, ଉଦ୍ୟମିତା ଓ ନିଯୁକ୍ତି ପାଇଁ ବ୍ୟାପକ ସମ୍ଭାବନା ସୃଷ୍ଟି ହେବ। ନୂଆ ବ୍ୟବସାୟ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଆହୁରି ଅନେକ ସୁଯୋଗ ସୃଷ୍ଟି ହୋଇପାରିବ ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ସୁଯୋଗର ପ୍ରତିନିଧିତ୍ୱ କରିବା ଏବଂ ଆହ୍ୱାନର ମୁକାବିଲା କରିବା ଲାଗି ସମଗ୍ର ବିଶ୍ୱ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ପରିପ୍ରେକ୍ଷୀରେ, ଭାରତ ବିଶ୍ୱର ଦ୍ରୁତ ବିକାଶଶୀଳ ରାଷ୍ଟ୍ରରେ ପରିଣତ ହୋଇଛି ଏବଂ ଭାରତକୁ ବିଶ୍ୱବ୍ୟାପୀ ଅଧିକ ସମ୍ମାନ ମିଳୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଦେଶରେ ମୋବାଇଲ ଫୋନ ଉତ୍ପାଦନ ସମ୍ପର୍କରେ ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ୨୦୧୪ରେ ଭାରତରେ ବ୍ୟବହୃତ ୮୨% ମୋବାଇଲ ଫୋନ ବାହାରୁ ଆମଦାନୀ କରାଯାଉଥିଲା, ୨୦୨୨ରେ ଭାରତରେ ଉପଯୋଗ କରାଯାଉଥିବା ପ୍ରାୟ ୧୦୦% ମୋବାଇଲ ଫୋନ ଭାରତରେ ହିଁ ନିର୍ମାଣ କରାଯାଉଛି । ୨୦୧୪ରେ ଭାରତର ମୋବାଇଲ ଫୋନ୍ ରପ୍ତାନି ସମ୍ପୂର୍ଣ୍ଣ ଶୂନ୍ୟ ସ୍ତରରେ ଥିଲା, କେବଳ ଚଳିତ ବର୍ଷ ଭାରତ ୧୧ ବିଲିୟନ ଡଲାର ମୂଲ୍ୟର ଆପଲ ଏବଂ ସାମସଙ୍ଗ ଫୋନ ବିଦେଶକୁ ରପ୍ତାନି କରିଛି । ବହୁ ଦଶନ୍ଧି ଧରି ଭାରତକୁ ନେଇ ଏକ ଅପବାଦ ରହିଥିଲା ଏବଂ ତାହା ହେଉଛି ଏକ ଉପଯୁକ୍ତ ବଜାର ଏବଂ ବିଶ୍ୱ ଉତ୍ପାଦନର କେନ୍ଦ୍ରସ୍ଥଳୀ ହେବା ଲାଗି ଭାରତ ପାଖରେ କ୍ଷମତା ନାହିଁ । କାରଣ ଏଠାରେ ଲଜିଷ୍ଟିକ୍ସ ଖର୍ଚ୍ଚ ଅଧିକ ଥିଲା ଓ ବ୍ୟବସାୟିକ କାରବାର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ନଥିଲା। ହେଲେ ଆଜି ପରିସ୍ଥିତି ବଦଳି ଯାଇଛି ।

ବିଶ୍ୱର ବଡ଼ ବଡ଼ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ, ମୋବାଇଲ ଏବଂ ଅନ୍ୟାନ୍ୟ ଉତ୍ପାଦ ନିର୍ମାତା ଭାରତରେ ସେମାନଙ୍କ ସାମଗ୍ରୀ ନିର୍ମାଣ କରିବା, ଏଠାରୁ ରପ୍ତାନି କରିବା ଓ ଭାରତରେ ବିକ୍ରି କରିବା ଲାଗି ଆଗ୍ରହୀ ହେଉଛନ୍ତି । ଦେଶରେ ଲଜିଷ୍ଟିକ୍ସ ଇକୋସିଷ୍ଟମ ଏବେ ଅଧିକ ଦକ୍ଷ ହୋଇପାରିଛି।

କେନ୍ଦ୍ର ମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, ଭବିଷ୍ୟତରେ ସ୍କିଲିଂ, ଅପସ୍କିଲିଂ ଓ ରିସ୍କିଲିଂ ବା ନିରନ୍ତର ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରାଯିବ । ତେଣୁ ଦକ୍ଷତା ବିକାଶ ସବୁବେଳେ ଏକ ନିରନ୍ତର ପ୍ରକ୍ରିୟା ହୋଇ ରହିବ । ସମାରୋହରେ ଉପସ୍ଥିତ କଲେଜ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଅନୁସରଣ କରି ଆପଣମାନେ ଡିଗ୍ରୀ ହାସଲ କରିବା ସହିତ ଦକ୍ଷତା ବିକାଶ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍।

Comments are closed.