ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ବୁଝିଲେ ‘ଈଶ୍ବର’ର ଅର୍ଥ
ଜ୍ଞାନ ହୋଇପାରେନି ବ୍ୟର୍ଥ
ଈଶ୍ବରମୟ ଏହି ବିଶ୍ବ
ନୁହେ, ନ ଥିଲା କେବେ ନିଃସ୍ବ
ଲୋକଂକୁ ଈଶ୍ବରାନୁଭୂତି
ଦେଲେ ହେଁ ସମଗ୍ର ପ୍ରକୃତି
ତାଂକୁ ମଣିଲେ ବସ୍ତୁ, ବ୍ଯକ୍ତି
ଘଟଇ ସୁଜ୍ଞାନର କ୍ଷତି
ଈଶ୍ବର ଯେଣୁ ପୂର୍ଣ ସ୍ଥିତି
ସେ ସ୍ଥିତି ପ୍ରତି ଅନୁରକ୍ତି
ନ ହେଲେ କେବେ ବି ସମାପ୍ତ
ମନୁଷ୍ୟ ହୋଇପାରେ ଭକ୍ତ
ଈଶ୍ବର ଦର୍ଶନ ଲାଳସା
ବର୍ଜନ କଲେ ଜାଗେ ଆଶା
ମଣିଷ ଯେଣୁ ଜଣେ ସୃଷ୍ଟି
ତାହାକୁ ଲୋଡ଼ା ଅଂତର୍ଦୃଷ୍ଟି
ଯାହା ବି ଅଟେ ସର୍ବବ୍ୟାପୀ
ତାହାକୁ ନ ବୁଝି ଅଦ୍ୟାପି
ଗଗନେ ଖୋଜୁଁ ଯଦି ସ୍ବର୍ଗ
ମିଳେନି ଯିବା ପାଇଁ ମାର୍ଗ
ଆଂକି ଛବି ଓ ଗଢ଼ି ମୂର୍ତି
ଶିଳ୍ପୀଏ ଯାହା ବି କରଂତି
ତାହା ତ କେବଳ ପ୍ରତୀକ
ବୁଝଂତିନାହିଁ ବହୁ ଲୋକ
ନିଜ ସୀମାରେ ବଂଦୀ ହୋଇ
ମଣିଷ ବୁଝିପାରେନାହିଁ
ଈଶ୍ବରମୟ ଏ ସଂସାର
ଅଲୋଡ଼ା ସମସ୍ତ ମଂଦିର
ଯେଉଁଠି ଥାଇ ସୁଦ୍ଧା ଲୋକ
ଦେଖିଲେ ନିର୍ମଳ ଆଲୋକ
କରିପାରଇ ଅନୁଭବ
ଈଶ୍ବର ସର୍ବତ୍ର ସଂଭବ
ଭାଷାରେ ନାହିଁ ଏତେ ଶକ୍ତି
ଭକ୍ତି ଅଥବା ଅନୁରକ୍ତି
କରିବ ସ୍ବଚ୍ଛଂଦେ ପ୍ରକାଶ
ଏହି ସଂସାରେ କରି ବାସ
Comments are closed.