ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପରେ ଭାରତୀୟ କ୍ରିକେଟ ଟିମ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୁଚୀ ରହିଛି । ଜୁନ ୬ରୁ ଟିମ ଇଣ୍ଡିଆ ନ୍ୟୁ ଚଣ୍ଡୀଗଡରେ ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବ । ଏହା ପରେ ଦିନିକିଆ ସିରିଜ ଖେଳାଯିବ । ଏହି ଦୁଇ ସିରିଜରେ ଶୁଭମନ ଗିଲଙ୍କ ନେତୃତ୍ୱ ଦକ୍ଷତାର ଆଉ ଏକ ପରୀକ୍ଷା ହେବ । ଟିମ ମ୍ୟାନେଜମେଂଟ ଏହି ଏକମାତ୍ର ଟେଷ୍ଟ ମ୍ୟାଚକୁ ମଧ୍ୟ ହାଲକା ଭାବେ ନେଉ ନାହାନ୍ତି । ଏହି ମୁକାବିଲା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଅଂଶବିଶେଷ ହେବନି । ଚୟନକମିଟି ଓ ମ୍ୟାନେଜମେଂଟ ଖେଳାଳିଙ୍କ ୱାର୍କଲୋଡ ଉପରେ ମଧ୍ୟ ନଜର ରଖିଛନ୍ତି ।
ବ୍ୟାଟ୍ସମ୍ୟାନଙ୍କୁ ନେଇ କୌଣସି ସମସ୍ୟା ନାହିଁ । ଶୁଭମନ ଗିଲ, କେଏଲ ରାହୁଲ, ଯଶସ୍ୱୀ ଜୈସୱାଲ ଓ ରିଷଭ ପନ୍ତ ଖେଳିବା ଏକପ୍ରକାର ନିଶ୍ଚିତ । ବୋଲରଙ୍କ ନେଇ ସାମାନ୍ୟ ଚିନ୍ତା ରହିଛି । ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇପାରେ । ସେହିପରି ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ନେଇ ନିଷ୍ପତି ପରେ ନିଆଯିବ । ହର୍ଷିତ ରାଣା, ଆକାଶଦୀପ ଆଘାତ ସମସ୍ୟା ଯୋଗୁ ଦଳରୁ ବାହାରେ ଅଛନ୍ତି । ଦଳର ମୂଖ୍ୟ ବୋଲରଙ୍କ ଉପରେ ଅତିରିକ୍ତ ଚାପ ପକାଇବା ପାଇଁ ଟିମ ମ୍ୟାନେଜମେଂଟ ଚାହୁଁନି । ଆଗକୁ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ସିରିଜ ଖେଳାଯିବାକୁ ଥିବାରୁ ବୋର୍ଡ ଏହି ନିଷ୍ପତି ନେଇଛି । ଯୁବ ବୋଲରଙ୍କୁ ସୁଯୋଗ ମିଳିବା ସମ୍ଭାବନା ଅଧିକ ରହିଛି । କୂଲଦୀପ ଯାଦବ ଓ ଅକ୍ଷର ପଟେଲ ଲୟରେ ନାହାନ୍ତି ସେମାନଙ୍କୁ ଚୟନ କମିଟି ସୁଯୋଗ ଦେଉଛନ୍ତି କି ନାହିଁ ସେଥିପ୍ରତି ନଜର ରହିଛି ।