Latest Odisha News

BREAKING NEWS

କଳାହାଣ୍ଡିରେ ଓଡିଶା ଜନତା କଂଗ୍ରେସର ସମାବେଶ: ଭକ୍ତଙ୍କୁ ଚାଲେଞ୍ଜ ନା ନୂଆ ରାଜନୈତିକ ସମୀକରଣ

ଭୁବନେଶ୍ୱର: ଭକ୍ତଙ୍କ ବନ୍ଦ ଡାକରା ସତ୍ତ୍ୱେ ଭବାନୀପାଟଣାରେ ପୂର୍ବତନ ବିଧାୟକ ମୋକିମଙ୍କ ଦ୍ଵାରା ଗଠିତ ଓଡ଼ିଶା ଜନତା କଂଗ୍ରେସର ବିଶାଳ ସମାବେଶ ସୋମବାର ଆୟୋଜିତ ହୋଇଯାଇଛି। ଏଥିପାଇଁ ଡିଫାଇନ କଳାହାଣ୍ଡିର ପ୍ରତିଷ୍ଠାତା ମଧୁ ମହାନ୍ତି ଗତ କିଛି ଦିନ ଧରି କଳାହାଣ୍ଡିରେ ଡେରା ପକାଇଥିଲେ। ସମାବେଶ ସଫଳ ହୋଇଥିବାବେଳେ ଏହା ସମାବେଶ ନାଁ ରେ ଭକ୍ତଙ୍କୁ ଚାଲେଞ୍ଜ ନା ସତରେ କଳାହାଣ୍ଡିରେ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେବାକୁ ଯାଉଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। କାରଣ ମଧୁ ମହାନ୍ତି ଏକଦା ଭକ୍ତ ଦାସଙ୍କ ଅନୁଗାମୀ ଥିଲେ। ଏବେ ଭକ୍ତଙ୍କ ରାଜନୈତିକ ଶତ୍ରୁ ସାଜିଥିବା ମୋକିମଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହେବା ଟିକେ ଅଡୁଆ ଲାଗୁଛି।

ଦୀର୍ଘ ଦିନର ଅନ୍ତର୍ଦ୍ଧାନ ପରେ ଗତ ୨୦୨୪ ନିର୍ବାଚନ ପୂର୍ବରୁ ମଧୁ ପୁଣିଥରେ କଳାହାଣ୍ଡିରେ ପାଦ ଥାପି ଡିଫାଇନ କଳାହାଣ୍ଡି ନାଁ ରେ ଗାଁ ଗାଁ ରେ ସମାବେଶ ଆୟୋଜିତ କରିଥିଲେ। ରାଜନୀତିରେ ସାମାନ୍ୟ ରୁଚି ରଖୁଥିବା ଲୋକ ସେତେବେଳେ ଚର୍ଚ୍ଚା କରୁଥିଲେ ଯେ ମଧୁ ଯଦି ଏଇ ୨୦୨୪ ସାଧାରଣ ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ହୁଅନ୍ତି ତେବେ ସେ କାହାର ଭୋଟ କାଟିବେ? ଏସବୁ ଚର୍ଚ୍ଚା ଭିତରେ ସେ ନିର୍ବାଚନ ଦୃଶ୍ୟପଟ୍ଟରୁ ଉଭେଇ ଗଲେ। ଏବେ ମୋକିମଙ୍କ ସହ ଉଭା ହେଇଛନ୍ତି। ମୋକିମ ବାବୁ ମଧୁ ମହାନ୍ତିଙ୍କ ଭରସାରେ ହିଁ କଳାହାଣ୍ଡିରେ ଏତେ ବଡ ସମାବେଶ କରିପାରିଛନ୍ତି।

ତେବେ ଏ ସମାବେଶର କାରଣ ହିଁ ସମସ୍ତଙ୍କ ପାଇଁ ଚର୍ଚ୍ଚାର ବିଷୟ ହୋଇଛି। ଭକ୍ତ ଦାସ ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିଲେ ବି ଏକଥା ସର୍ବଜନ ବିଦିତ ଯେ କଳାହାଣ୍ଡିରେ କଂଗ୍ରେସର ସେଭଳି କୌଣସି ଟାଣ ସଂଗଠନ ନାହିଁ। କଳାହାଣ୍ଡି ରାଜନୈତିକ ବାତାବରଣକୁ ଦେଖିଲେ ମଧ୍ୟ ସ୍ଵାଧିନତା ପର ଠାରୁ ଏ ଜିଲ୍ଲା ସର୍ବାଧିକ ଅଣକଂଗ୍ରେସ କବଜାରେ ରହିଛି ଏବଂ ବିଶେଷତଃ କଳାହାଣ୍ଡି ରାଜପରିବାରର ଅଧିନରେ ରହିଛି। ଯଦି ମୋକିମ ଏବଂ ମଧୁଙ୍କ ସଂଗଠନ ମଜବୁତ ହୁଏ ତେବେ କାହାର କ୍ଷତି ହେବ? ରାଜପରିବାରର ଭୋଟ ନା ଭକ୍ତଙ୍କ ପତିଆରା ହ୍ରାସ ହେବ ?

Comments are closed.