ମୂଳ ବଙ୍ଗଳା : ସୁଭାଷ ମୁଖୋପାଧ୍ୟାୟ
ମୁହଁରେ ନିଆଁ ଲଗାଇ
ନଡ଼ିଆ କତାର ରସିଟିଏ
ଦୋକାନ ବାଡ଼ରେ ଝୁଲୁଥିଲା,
ସିଗାରେଟ୍ ଲଗାଇବାକୁ ଯାଇ
କାନ୍ଥ ଉପରେ ନଜର ପଡିଲା ମୋର
ଠିକ୍ ମୋ ପାଖରେ ଛିଡା ହୋଇ
ମୋତେ ଅବିକଳ ନକଲ କରୁଛି
ମୋର ଛାଇ।
ମୁଣ୍ଡରେ ମୋ ଭଳି
ଚଢ଼େଇବସା ପରି ବାଳ
ଆଖିରେ ଚଷମା
ଓଠରେ ସିଗାରେଟ୍
ଧୂଆଁର ଛବି ଗୁଡ଼ିକ
ନିଖୁଣ ଭାବରେ ଫୁଟି ଉଠୁ ଥିଲେ ବି
ମୁଁ ଲକ୍ଷ୍ୟ କଲି , ନିଆଁର ଜାଗାଟା
ଜାଣିଶୁଣି ଯେମିତି ଲୁଚାଇ ଦେଉଛି।
କାନ୍ଥ ଦେହରୁ ଛାଇଟାକୁ
ଅଲଗା କରି ମୁଁ ଫୁଟପାଥକୁ
ନେଇ ଆସିଲି ଓ ତା’ପରେ
ଟାଣି ଓଟାରି ଏକ ଗଛ
ତଳକୁ ନେଇଗଲି।
ଛାଇଟାକୁ ରଖି ବାହାରି ଆସୁଛି
ମୋ ଆଗକୁ ଡେଇଁପଡି
ପଛରୁ ସାମନାକୁ ଚାଲି ଆସିଲା
ମୋର ସେଇ ଛାଇ।
ଘୁରାଇ, ଫେରାଇ, ହଲଚଲ
ଘୁଞ୍ଚା ଘୁଞ୍ଚି ସହ, ଅନେକ ଚେଷ୍ଟା କରିବି
ମୁଁ ତାକୁ ଅଲଗା କରିପାରିଲିନି।
ଅନ୍ୟ ଉପାୟ ନ ପାଇ
ମୁଁ ତାକୁ ଶାସନ କରିବା
ସ୍ୱରରେ କହିଲି, ସୟତାନ,
ରହ, ଏଥର ମୁଁ ନିଆଁ ଭିତରକୁ ପଶିଯିବି।
ଅନୁବାଦ: ମନୋରଞ୍ଜନ ହୋତା