ଯମୁନାନଗର : ପଶୁପ୍ରେମୀଙ୍କ ପାଇଁ ଖୁସି ଖବର । ହରିୟାଣାର କଲେସର ଜାତୀୟ ପାର୍କରେ ମହାବଳ ବାଘ ଦେଖିବାକୁ ମିଳିଛି । ୧୯୧୩ ପରେ ପ୍ରାୟତଃ ବିଲୁପ୍ତ ହେଉ ଯାଉଥିବା ଏହି ବାଘକୁ ଦେଖିବା ପରେ ପଶୁପ୍ରେମୀ ଉତ୍ସାହିତ ହୋଇ ପଡିଛନ୍ତି । ଜଙ୍ଗଲରେ ଲଗା ଯାଇଥିବା ଫ୍ଲାଶ ଆଣ୍ଡ କ୍ଲିକ କ୍ୟାମେରାରେ ଏହା କୈଦ ହୋଇଛି । ବଣ୍ୟ ବିଭାଗ ମନ୍ତ୍ରୀ କଁୱରପାଲ ଗୁଜର ଏହି ସୂଚନା ଦେବା ସହ ସୋସିଆଲ ମିଡିଆରେ ଫଟୋ ମଧ୍ୟ ଶେୟାର କରିଛନ୍ତି । ହିମାଚଳ ଓ ଉତରାଖଣ୍ଡର କର୍ବେଟ ନ୍ୟାଶନାଲ ପାର୍କକୁ ଲାଗି କରି ରହିଛି କଲେସର ଜାତୀୟ ପାର୍କ । ମହାବଳ ବାଘ ଦୃଶ୍ୟମାନ ହେବା ପରେ ପାଖାପାଖି ଗ୍ରାମର ଲୋକମାନେ କିନ୍ତୁ ଭୟଭୀତ ହୋଇ ପଡିଛନ୍ତି । ୧୯୧୩ ପରଠାରୁ ଏହି ଅଂଚଳରେ ଆଉ ମହାବଳ ବାଘ ଦେଖିବାକୁ ମିଳୁ ନ ଥିଲା ।
ପ୍ରଥମେ ଏହି ଫଟୋକୁ ଗୁଜବ ଭାବେ ବର୍ଣ୍ଣନା କରାଯାଉଥିଲା । ବଣ୍ୟବିଭାଗ ମଧ୍ୟ ଏଥିନେଇ ବିଶେଷ ଉତ୍ସାହିତ ନ ଥିଲେ । ମାତ୍ର ଅନୁଧ୍ୟାନ ପରେ ଏହା ସତ୍ୟ ଜଣାପଡିବା ପରେ ସେମାନେ ବାଘର ପ୍ରକୃତ ଲୋକେଶନ ଜାଣିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ମନ୍ତ୍ରୀ ଫଟୋ ଶେୟାର କରିବା ପରେ ସାଧାରଣ ଜନତା ମଧ୍ୟ ଏହାକୁ ବିଶ୍ୱାସ କରିଥିଲା । ଏହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ କହିଛନ୍ତି । ମହାବଳ ବାଘର ବଂଶ ବିସ୍ତାର ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି ।
Comments are closed.