ତନ୍ମୟୀ ପଣ୍ଡା
ୟୁନିସେକ୍ସ ପାର୍ଲରର ଯାହା ବିଶେଷତ୍ବ , ସେଥିରେ ଥାଏ ଅଭିଜ୍ଞତା ପ୍ରଚୁର । ଅଭିଜ୍ଞ ଓ ପ୍ରଶିକ୍ଷିତ ହାତ । ପୁଣି ଏସବୁ ଗୋଟେଗୋଟେ ଟ୍ରେନିଂ ସେଣ୍ଟର ମଧ୍ୟ ।
ଆଉ ସହରର ସବୁତକ ଭିଡ଼ ସେଇଠି ଯେମିତି । ଖର୍ଚ୍ଚ ମଧ୍ୟ ସେମିତି । ନୟନିକା କହିବ –
” ସ୍ତ୍ରୀ ଲୋକର ସବୁ ଖର୍ଚ୍ଚ ବଦଖର୍ଚ୍ଚ ନୁହେଁ । କିଛି ଖର୍ଚ୍ଚ ହେଉଛି ତା’ର ଇନଭେଷ୍ଟମେଂଟ୍ । ”
ନୟନିକା , ମୋ ପ୍ରିୟ ସହେଲୀର ଏଇ ଗହୀର କଥାକୁ ଆଉକିଏ ବୁଝୁକି ନବୁଝୁ ମୁଁ ବୁଝେ । ସେଥିପାଇଁ ମୁଁ ଇନଭେଷ୍ଟ କରେ ଏଇଠି । ଏଇ “ସୌନ୍ଦର୍ଯ୍ୟ ୟୁନିସେକ୍ସ ପାର୍ଲର୍” ରେ ।
ଯଥାସମ୍ଭବ ଧରି ସାଉଁଟି ରଖିବାର ଅନ୍ୟତମ ନାମ ନାରୀ ନୁହେଁ କି ?
ମୋର ଏଠାକୁ ରିତୀମତ୍ ଯାଆସ ଯୋଗୁଁ ମୁଁ ଏଠି ଚିହ୍ନା । ମୁଁ ବି ଚିହ୍ନେ ଏମାନଙ୍କୁ । ସେଇ ଯେଉଁ ସାବନୀ ରଙ୍ଗର ଝିଅଟି ହାତରେ ଗୋଟେ ଶିଳ୍ପୀର ନିପୂଣତା । ବିଶାଖା ତା’ ନା । ବାହାଘର ପରେ ସେ ଛାଡିଦେଲା ଏ କାମ କୁଆଡେ । ତା’ ପାଇଁ ଛାଡିଦେଲେ ଢେର୍ କଷ୍ଟମର୍ ଏଠୁ । ମୁଁ ଯଦି ଆଉ କାହାକୁ ଭରସା କରେ , ସିଏ ପ୍ରଶାନ୍ତ । ପିଲାଟା ଛୋଟ । ମାନେ ମୋ ଠୁଁ ତ ନିଶ୍ଚିତ ବୟସରେ ଛୋଟ । କେବେ ଅଯଥା ପ୍ରଶ୍ନ ପଚାରି ବିରକ୍ତ କରେନି । ଆଉ ବିଶାଖା ପରି ଅଭିଜ୍ଞ । ଭଲଲାଗେ ପ୍ରଶାନ୍ତ ।
ଶୈବାଳ ମୋତେ ଛାଡିଲା ବେଳେ କହିଛନ୍ତି , ସମୟ ଯେତେ ଲାଗିଲେ ବି ଅସୁବିଧା ନାହିଁ । ଏମିତିକି ପଇସା ଯେତେ ପଡିଲେ ବି କଷ୍ଟ ନାହିଁ । ତୁମେ କିନ୍ତୁ ସଜେଇ ହେବ ସେତିକି , ଯେତିକି ସେ ନବବଧୂ ଠୁଁ ଅଧିକା ।
ଶୈବାଳଙ୍କର ଏଇ ଆଗ୍ରହଟିରେ ମୁଁ ସବୁବେଳେ ହସିପଡେ । କିଛି ହସ ନିଜର କାରଣକୁ ଲୁଚାଇବାକୁ ପସନ୍ଦ କରନ୍ତି ଓ ମୁଁ ହସୁଥାଏ ।
ପ୍ରଶାନ୍ତ ଆଜି ବ୍ୟସ୍ତ । ତାର ଆପଏଣ୍ଟ ପାଇବା ମୁସ୍କିଲ । ମୁଁ ସେ ରିସେପ୍ସନିଷ୍ଟ କୁ କହିରଖିଛି , ବାସ୍ ମୋତେ ପ୍ରଶାନ୍ତର ସର୍ଭିସ ଦରକାର ।
ଏ ଝିଅଟି ବି ଭାରି ବିଚିତ୍ର । କେତେ ଯେ ସୁନ୍ଦରୀ ସତେ ! ନାରୀର ସୁନ୍ଦରତା ଏକ ବିପଣୀ । ତାକୁ ବ୍ୟବସାୟ କରିପାରିଲେ ସଫଳତା ଛୁଇଁଯାଏ । ଶୈବାଳଙ୍କ ଆଖି ଲାଖିଯାଏ ୟାଠାରେ । କଥା କେଉଁ ଆଡକୁ ଲମ୍ବାନ୍ତି ବସି ।
ମୁଁ ପୁଣି ହସେ । ପୁରୁଷ ସୁନ୍ଦରତା ପରଖିବାରେ କେଡେ ଅସହାୟ ସତେ ….
ପ୍ରଶାନ୍ତ ଆଜି ଗୋଟେ ବ୍ରାଇଡାଲ୍ ମେକପ୍ ରେ ଫସିଛି । ତା’ର ସମୟ ନାହିଁ । ମୋତେ ଥରୁଟିଏ ଦେଖି ହସିଦେଇ ଯାଇଛି । ତା ହସରେ ହଁ ଅଛି । ମୁଁ ତା’କୁଇ ଅପେକ୍ଷା କରିବି ।
ମୁଁ ଏତେଟା ଜିଦ୍ଦି କାହିଁକି ଆଜି ? କେବଳ ପ୍ରଶାନ୍ତ ପାଖରେ ହିଁ ନିଜକୁ ଅନାବରଣ କରିପାରିବି ଅଥଚ ଆଉ କାହାଠେଇ ନୁହେଁ ! କାହିଁକି ପ୍ରଶାନ୍ତ ଉପରେ ମୋର ଏତେଟା ଭରସା ପାଏଯେ ସତେ ? ସେ ଯେ ଆଜି ବ୍ୟସ୍ତ ।
କହିଛିନା ପ୍ରଶାନ୍ତ ବୟସରେ ସାନ । ଏକ ଅବିକଶିତ ପୁରୁଷ । ସିଏ ନାରୀ ଅନ୍ତରର ନିଭୃତ ଯନ୍ତ୍ରଣାକୁ ଭେଦିବାରେ ନିଶ୍ଚିତ ଅକ୍ଷମ । ଏଇ ବିଶ୍ବାସ ମୋର ଅଛି ।
ଶୈବାଳ ଯେବେଯେବେ ମୋ ଉପରକୁ ହାତ ଉଠାନ୍ତି , ଭୁଲିଯାନ୍ତି ମୁଁ ମଣିଷଟିଏ । ରକ୍ତ ମାଂସ ହାଡ଼ର ଛାଞ୍ଚ ଟିଏ । ମୋତେ ପେଣ୍ଡୁଟିଏ ପରି ଗଡାଇ ଗୋଡାଇ ମାଡ଼ ମାରିବାରେ ଯେଉଁ ସବୁ ପୁରୁଷାକାର , ସେସବୁକୁ ନେଇ ମୁଁ ଚୁରମାର ହୋଇପାରେ କିନ୍ତୁ ପୁଣି ଥରେ ଯୋଡିହେବାର ଅବକାଶଟିଏ ନଥାଏ ।
ଏସବୁ ପରେ ମଧ୍ୟ ମୁଁ ହସେ । ହସନ୍ତି ନାହିଁ କାହିଁକି ଯେ ? ପୁରୁଷାକାର ପରା ? କେତେ କାକୁସ୍ଥ ହୋଇଯାଏ ପୁରୁଷତନ୍ତ୍ର ? ଯେବେ ନାରୀଟିଏ ପୂର୍ଣ୍ଣ ପ୍ରସାରିତ ହୋଇଯାଏ । ଏଇଲାଗି ମୁଁ ହସୁଥାଏ ।
ତୁ ନାରୀ ପରା ! ଯେତିକି ଯେତିକି ଅସହଜ ହେବୁ ସଂସାର ନଈରେ ସେତିକି ସେତିକି ଓଲଟା ଫେରିବୁ । ମଝି ନଈରେ ଆହୁଲା ତ ଆଉ ଫିଙ୍ଗି ପାରିବୁନି ! ବୋଉ ଆହୁରି କଣ କହିଚାଲିଥିଲା ଦିନେ ….
ଗୋଇଠା ମାଡରେ ଛାତିଟା ଭାରି ଯନ୍ତ୍ରଣା ହେଉଥିଲା ସେଦିନ। ସେଦିନରୁ ଆଜି ଯାଏ ବୋଉ ଖାଲି କହିଚାଲିଛି , ଚାପିଦେ ! ସବୁ ସେଇ ଛାତିରେ ଚାପିଦେ !
ଏଇ ଛାତିଟା କେତେ ଇଞ୍ଚ କି ବୋଉ ? ଏ ମହଣ ମହଣ ଯନ୍ତ୍ରଣାକୁ କେମିତି ଏକାଥରେ ଚାପିପାରିବ ?
ସେପାଖର କ୍ୟାବିନ୍ ରୁ ପ୍ରଶାନ୍ତ ଦିଶୁଛି । ଦିଶୁଥିଲା ବି ସେଇ ସଜ ହେଉଥିବା ନବବଧୂର ଅଧାଅଧି ମୁହଁ । ପ୍ରଶାନ୍ତ ନିବିଡ଼ , ନିମଗ୍ନ ହୋଇ ତା କାମ ସାରୁଛି । ଈର୍ଷା ହେଉଛି ମୋତେ । ପ୍ରଶାନ୍ତ ମୋତେ ଏକା ସଜାନ୍ତାନି ? ସବୁ କାମଛାଡି ମୋ ପାଖକୁ ଆସିଯାନ୍ତା ନାହିଁ ? ମୁଁ ଏମିତି ଭାବୁଛି। ଏମିତି ଭାବିବାରେ ମୋତେ ଖୁସି ମିଳୁଛି । ମୁଁ ହସୁଛି । ମୋ ମାସ୍କ ପିନ୍ଧା ମୁହଁ ତଳର ହସକୁ ସେ ସୁନ୍ଦରୀ ରିସେପ୍ସନିଷ୍ଟ ପଢିନେଲାଣି । ମୋତେ ଆସି କଫି ପାଇଁ ଡାକିଲାଣି । ଝିଅଟିର ଛାତି ଦେଖି ମୋତେ ଆଉଥରେ ଈର୍ଷା ହେଉଛି । ଏ ଛାତିରେ କଣ ଯନ୍ତ୍ରଣା ଲୁଚିନି ? ମୁଁ ନିଜକୁ ପଚାରୁଛି । ତଥାପି କେତେ ବାଗରେ କେଡେ ଢଙ୍ଗରେ ସିଏ ଫୁଲେଇ ହେଉଛି । ହେତ୍ ମୁଁ ଏମିତି ଏସବୁ କାହିଁକି ଭାବିବାକୁ ଲାଗିଛି ? ଶୈବାଳ ଫୋନ କଲେଣି । ମୁଁ କହିଲି କାମ ଆରମ୍ଭ ହୋଇନି । ଅବଶ୍ୟ ମୁଁ ସମୟରେ ସଜ ହୋଇଯିବି ।
ଶୈବାଳ ଏ ସମୟରେ କରୁଥିବେ କଣ ? ଆଜି ତାଙ୍କର ସହକର୍ମୀର ବାହାଘର ରିସେପସନ୍ । ଆମକୁ ସେଇଠାକୁ ଯିବାକୁ ହେବ । ସେଥିପାଇଁ ଏତେ ସଜାବଟ । ମୁଁ ଯେ ଅତୁଳନୀୟ , ଏ କଥାକୁ ଶୈବାଳ ଯେତେ ଯାହାଠାରୁ ଶୁଣନ୍ତି , ସେତେ ଆନନ୍ଦିତ ହୋଇପଡନ୍ତି । ସ୍ତ୍ରୀର ସୌନ୍ଦର୍ଯ୍ୟ ସ୍ବାମୀର ଅହଂକାର । ଅସୁନ୍ଦରପଣ ନେଇ ନାରୀଟିଏ ଠୁଁ ଯେ ଅଧିକ ପୁରୁଷ ସନ୍ତୁଳି ହୁଏ ଏକଥା ଶୈବାଳଙ୍କଠାରୁ ଶିଖିବାର ଅଛି । କହିଛନ୍ତି –
‘ଫଟୋରେ ଦେଖିଛି ସାମ୍ ତ୍ରିପାଠୀ ର ସ୍ତ୍ରୀ ଟା ଭାରି ସୁନ୍ଦରୀ । ଆଖି ଲାଖିଗଲା ପରି । ନାକ କଟିଯିବ ମୋର । ହୁସିଆର …… ।’
ନବବଧୂଟିର କାମ ସରି ଆସିଲାଣି । ଫ୍ରି ହେବ ପ୍ରଶାନ୍ତ । ଏଥର ଝିଅଟା ମୋ ଆଡକୁ ଚାହୁଁଛି । ମନରେ ଗ୍ଲାନି ଆଣୁଥାଇପାରେ । ତାପାଇଁ ମୋର ଏତେ ବିଳମ୍ବ ହେଉଛି । ମୁଁ କେତେବେଳୁଁ ମୁହଁ ଉପରୁ ମାସ୍କ କାଢିଦେଲିଣି । ଏକ ଆଶ୍ଚର୍ଯ୍ୟ ଓ ଆଶଙ୍କିତ ହୋଇ ଚାହିଁ ରହିଛି ସେ ଝିଅ ଟି ମୋତେ । ଏଣେ ସେଇ ରିସେପ୍ସନିଷ୍ଟ ସୁନ୍ଦରୀର ମୁହଁରେଖା ଟାଣ ପଡିଗଲାଣି । ଏସବୁର କାରଣ ମୋତେ ଜଣା । ମୁଁ ପ୍ରଶାନ୍ତ ପାଖକୁ ତୁରନ୍ତ ଯିବାକୁ ଚାହେଁ । ସିଏ ମୋ ପ୍ରକୃତ ମେକପ୍ ମ୍ୟାନ୍ । ମୋତେ ସଜାଡିବ , ମୋତେ ସକ୍ଷମ କରାଇବ ସିଏ । ଏ ବିଶ୍ୱାସ ମୋର ଅଛି । ଅଥଚ ନିର୍ବୋଧ କିଛି ବୁଝି ପାରିବନି । ସିଏ ବୟସରେ ସାନ ମୋଠୁଁ ।
ଶୈବାଳ କାହିଁକି ଏ ଦେହଟାକୁ ନେଇ ସଭିଙ୍କ ଆଗରେ ଗର୍ବ କରନ୍ତି ? ପୁଣି ଏଇ ସମାନ ଦେହଟାକୁ ଭାରି ନିକୃଷ୍ଟ କରି ଛିନଭିନ୍ କରିଦେଉଥାନ୍ତି ? ଶୈବାଳ ତୁମେ ଜଣେ ବିଶାଳ କାୟା ଧାରୀ ମଣିଷ । ମୁଁ ତୁମ ଆଗରେ କେଡେ କ୍ଷୁଦ୍ର , ଅତିଷ୍ଠ । ତୁମର ସାମାନ୍ୟ ଦେହଚାପରେ ଚୂନା ହୋଇଯିବା ପରିସ୍ଥିତିକୁ ନେଇ ମୁଁ ସବୁବେଳେ ଆତଙ୍କିତ । ଅଥଚ କି ଯେ ଅତ୍ୟାଚାର ନକର ସତେ । ମୋ ମୁଣ୍ଡ ବାଳ , ମୋ ଏ ଶଂଖ ମଲମଲ ଚର୍ମ ସବୁ କେତେ ଆଉ ସାକ୍ଷ୍ୟ ରଖନ୍ତେ ତୁମ ନିଷ୍ଠୁରପଣର ? କେମିତି ମୁହଁକୁ ଆସିଯାଏ ” ମରିଯାଆ ” ପରି ଭୌତିକ ଶବ୍ଦ ସବୁ ? କେମିତି ଶାନ୍ତ ପଡୁନଥାଏ ମୋର ସକଳ ମିନତୀ ସ୍ବତ୍ତ୍ବେ ?
ଏସବୁ ଆଉ ପ୍ରଶ୍ନ ହୋଇ ରହିନି ମୋପାଇଁ । ଜାଣ ମୁଁ ତୁମକୁ ଆଉ ଆଦୌ ଭଲପାଇପାରୁନି । ୟାକୁ ନେଇ ହୁଏତ ତୁମେ ଦୁଃଖି ହୋଇନପାର । କାରଣ ଭଲପାଇବାର ଆଉ ଏକ ଅର୍ଥ ଅଛି ତୁମଠାରେ । ଯାହା ଯବର କରି ତୁମେ ନେଇପାର ।
ପ୍ରଶାନ୍ତର ଅଭିଜ୍ଞ ହାତ କବଳରେ ମୁଁ ଏବେ । ସିଏ ପ୍ରଫେସନାଲ୍ । ଭାରି ଯତ୍ନବାନ୍ । ସେ ମୋତେ ଚିହ୍ନେ । ତଥାପି ପଚାରୁନି ଏପର୍ଯ୍ୟନ୍ତ ଏସବୁ ଦାଗମାନଙ୍କର ରହସ୍ୟ । ମୁଁ ଚାହେଁନି ମଧ୍ୟ । ସିଏ ଜଣେ ସାମାନ୍ୟ ମେକପ୍ ମ୍ୟାନ୍ । ତା କାମ ସିଏ କରୁ । ତଥାପି ପ୍ରଶାନ୍ତର ହାତଛୁଆଁ ମୋତେ ଭଲ ଲାଗୁଛି ଏବେ । ବହଳ ବହଳ ପ୍ରସାଧନ ସାମଗ୍ରୀ ବୋଳି ସଜାଉଛି ମୋତେ ପ୍ରଶାନ୍ତ ନିବିଷ୍ଟ ହୋଇ । ମୁଁ ଗଲାବେଳେ ତାକୁ ଅଲଗା କିଛି ଟିପ୍ସ ଦେଇଯିବି ନିଶ୍ଚିତ । ସିଏ ମୋ ଯନ୍ତ୍ରଣା କୁ ଘୋଡାଉଛି । ଘୋଡାଇପାରୁଛି । ସେଥିପାଇଁ ସେ ମୋ ପାଇଁ ଅଧିକ ଗୁରୁତ୍ବପୂର୍ଣ ଏବେ ।
ଗୋଟେ ମିଛ ଅହମିକା ନେଇ ଶୈବାଳ ଥାନ୍ତୁ । ସୁଖ ପାଉଥାନ୍ତୁ । ନାରୀଟିଏ ନିଜ ଅପମାନର ଏଇପରି ଶୀତଳ ଭରଣା କରିନିଏ । ଏ ରହସ୍ୟ ଗୋପନୀୟ ହୋଇ ରହିଥାଉ ।
‘ ପରଫେକ୍ଟ ‘ କାର୍ ର ଦରଜା ଖୋଲି ଶୈବାଳ କହୁଛନ୍ତି । ଆଃ କେଡେ ଆନନ୍ଦିତ ମୋ ପୁରୁଷ ।
ଆଭିଜାତ୍ୟପୂର୍ଣ୍ଣ ପରିବେଶ । ସାମ୍ ତ୍ରିପାଠୀର ରିସେପସନ୍ ପାର୍ଟି । ଶୈବାଳଙ୍କ ସହକର୍ମୀ । ଅନ୍ୟ ସବୁଙ୍କର ପତ୍ନୀମାନେ ଝଲମଲ ହେଉଛନ୍ତି ଏକତ୍ର । କେତେ ହସ କେତେ ସୁଖ ଏଠି । ମୋତେ ସାମିଲ୍ ହେବାକୁ ପଡିବ ଏ ପରାଭବ ଭିତରେ । ଶୈବାଳ ମୋ ହାତରେ ହାତ ଛନ୍ଦିଛନ୍ତି । ମୁଁ ହସୁଛି । ଅନେକ ହସର କାରଣ ରହସ୍ୟମୟ । ସମସ୍ତେ ମୋତେ ମୁହଁ ବୁଲାଇ ଚାହୁଁଛନ୍ତି । ଭିଡ ଭିତରର ବୈଶିଷ୍ଟ୍ୟ ମୁଁ ଏବେ । କିଏ ନିଷ୍କପଟ ହୋଇ ତ ଆଉକିଏ ଇର୍ଷାରେ ମୋତେ ପ୍ରଶଂସା କରି ଚାଲିଛନ୍ତି । ପୁରି ଉଠୁଛନ୍ତି ସ୍ବାମୀ ଶୈବାଳ ଚୌଧୁରୀ ।
ମୁଁ ଦେଖୁଥିଲି ସାମ୍ ତ୍ରିପାଠୀର ନବବଧୂ କୁ । ସେଇ ଝିଅ ଯିଏ ମୋ ପୂର୍ବରୁ ପ୍ରଶାନ୍ତ ର ମେକାପ୍ ନେଇ ଫେରିଛି । ହଁ ସେଇ ଏକା ଝିଅ । ମୋ ଆଖି ତଳରେ ଯନ୍ତ୍ରଣା । ଯାହା ବାହାରକୁ ଦିଶୁନି । ଦକ୍ଷ ମେକାପ୍ ମ୍ୟାନ୍ ପ୍ରଶାନ୍ତ କୌଶଳ କରି ସବୁତକ ଦାଗ ଲୁଚାଇ ଦେଇଛି ।
ଭାରି ବିକଳ ହୋଇ ସାମ୍ ତ୍ରିପାଠୀର ନବବଧୂ ଚାହୁଁଛି ମୋତେ । ଇଛା କରି ପ୍ରଶ୍ନ ଟିଏ ପଚାରିବି ପାରିବନି ସିଏ ମୋତେ ଏବେଳରେ । ଏଇତକ କେବଳ ମାତ୍ର ଆଶ୍ବାସନା ଏବେ ମୋ ପାଇଁ ।
ଶୈବାଳ ଚୁପଚାପ କିଛି କହୁଛନ୍ତି ସାମ୍ ତ୍ରିପାଠୀ ର କାନତଳେ । ସେଇ ପୁଅ ପିଲାଙ୍କ କଥା । ହେଇଥିବ ନାରୀର ସୁନ୍ଦରତାକୁ ନେଇ କିଛି ଅସଭ୍ୟ କଥା ।
ମୁଁ ଗିଫ୍ଟ ଦେଇ ମଞ୍ଚରୁ ଓହ୍ଲାଇ ଆସିଲି । ମୋତେ ଭିଡି ଧରିଲା ନବବଧୂ । ଫଟୋ କାଢିବ ମୋ ସହ । ମୁଁ ହସିଲି । ସିଏ ବି ହସୁଥିଲା । ଆମ ଦୁହିଁଙ୍କ ହସର କାରଣ ଭିନ୍ନ ଭିନ୍ନ । ଅବା ହୋଇପାରେ ଏକାପରି । ନାରୀକଷ୍ଟ ।
ଯାହା ବି ହେଉ ମୁଁ ପୁଣିଥରେ “ସୌନ୍ଦର୍ଯ୍ୟ ୟୁନିସେକ୍ସ ପାର୍ଲର୍” କୁ ଯେବେ ଗଲେ ପ୍ରଶାନ୍ତକୁ କୃତଜ୍ଞତା ଜଣାଇବି ।
କନିକା ଛକ, କଟକ
୭୫୩୦୦୮
୮୯୧୭୩୯୨୨୪୭
Comments are closed.