Latest Odisha News

BREAKING NEWS

କବିତା : ଶୂନ୍ୟତା

ନିରୁପମା ପତି

ନିସ୍ତବ୍ଧତାର ପଶାଖେଳ
ସତେ ଯେମିତି
କେହି ଜଣେ ଇସାରା ଦେଉଛି,
ଖଳନାୟକ ଶକୁନିଙ୍କ ପରି
ନ୍ୟାୟ, ଧର୍ମର ବିଲୋପ କରିବା
ଲଢେଇ କରି ଛଡେଇ ଆଣିବେ
ନାରୀର ଅସହାୟତାକୁ

ଶତଶତ ଦୁର୍ଯ୍ୟୋଧନ
ପ୍ରତୀୟମାନ
ପରାକ୍ରମଶାଳୀ ଦୁଃଶାସନ ବି
ପ୍ରସ୍ତୁତ ହେଲେଣି,
ଅବିଶ୍ୱସ୍ତ ନିଃଶ୍ବାସରେ ଗଢା ଷଡ଼ଯନ୍ତ୍ର
ସତ୍ୟ ଓ ଜୟର ନିକିତି
ଆଜି ନୀରବି ଯାଇଛି।
କାହିଁ କେଉଁଠି କେହି ବି
ଶୁଣିପାରୁନାହାନ୍ତି ବିଚାରୀ
ପାଞ୍ଚାଳୀର ଆର୍ତ୍ତ ଚିତ୍କାର ।

ପଞ୍ଚସ୍ବାମୀଙ୍କ ପୌରୁଷର ରଣହୁଙ୍କାର
ଉଭେଇ ଗଲାଣି,
ଲଜ୍ଜ୍ୟାର ବିଭୀଷିକାରେ
ସଞ୍ଚରି ଗଲାଣି ପୀୟୂଷର ବିଷ
ଯଶ, ଅର୍ଥ, କ୍ଷମତା, ବିଳାସ
ଉପଭୋଗର ପରିସୀମାରେ
ଓହ୍ଲେଇ ପଡିବେ,
ଵିଶୁଦ୍ଧ ମାନସିକତା ନେଇ
ଅତିକ୍ରମ କରି ଯିବେ
କାଳର କଲ୍ଲୋଳ।

ଏମାନେ ପରା ଧନର ସୌଦାଗର !!
ପୁଞ୍ଜିର ପ୍ରଭାବଶାଳୀ ମନ୍ତ୍ର
ଉଚ୍ଚାରଣ କରି
ଭୋଗୀ ସଜାନ୍ତି,ନିଜକୁ
ସମ୍ପଦ ଶେଯରେ ଶୋଇ ସ୍ବପ୍ନ ଦେଖିବାର ଭାଗ୍ୟ
ଧନତନ୍ତ୍ରର ଧୀମତାକୁ
ଉଡେଇ ବୁଡ଼େଇ କଚାଡି ମାଡିଚାଲନ୍ତି
ନୀତି ନୈତିକତାର ଶୁଖିଲା ଡାଳପତ୍ର
ଝଡି ଯାଆନ୍ତି ପରାସ୍ତ ସୈନ୍ୟ ପରି ।

ବକ୍ଷ ବିଦାରିଲେ ବି ଆହା ପଦଟିଏ
ବାହାରେ ନାହିଁ,
ମୁହଁ ଖୋଲିଲେ ପାପ
ଚିତାନଳ ହିଁ ଅପେକ୍ଷା କରେ
ସତୀର ଆକୁଳତାକୁ।
ଅନ୍ତର ତଳର ବହ୍ନିବଳୟରେ
ହୃତପିଣ୍ଡର ସ୍ପନ୍ଦନ ଖାଲି
ପ୍ରଣତି ଜଣାଉଥାଏ, ଶୂନ୍ୟତାର
ଦିଗ୍ ବଳୟକୁ।
ନାଗଫାଶ ବନ୍ଧକରେ
ଭାସି ଆସେ,ସୁନା ହରିଣୀର
ମୃତ କଙ୍କାଳ ସବୁ ।

ଶିକ୍ଷୟିତ୍ରୀ,
ଆର୍ ଇ ସି କ୍ୟାମ୍ପସ ଉଚ୍ଚ ବିଦ୍ୟାଳୟ, ଏନ୍ ଆଇ ଟି ରାଉରକେଲା

Comments are closed.