Latest Odisha News

BREAKING NEWS

ଚୋରକୁ ଗୋଡାଉଥିବା ବେଳେ ଧକ୍କା ଦେଲା ଡମ୍ପର, ୩ ମୃତ

ସୁନ୍ଦରଗଡ: ବିଲେଇମୁଣ୍ଡା ଛତାବର ନିକଟରେ ଦୁର୍ଘଟଣା, ୩ ମୃତ। ଟ୍ରଲର ଧକ୍କାରେ ଏକ ସଂସ୍ଥାର ୨ କର୍ମଚାରୀଙ୍କ ସମେତ ୩ ଜଣ ମୃତ୍ୟୁ ବରଣ କରିଛନ୍ତି। ସୋମବାର ରାତିରେ ସୁନ୍ଦରଗଡର ହେମାଗିରି ପୋଲିସ୍ ସୀମା ଅନ୍ତର୍ଗତ ବିଲେଇମୁଣ୍ଡା ନିକଟରେ ଘଟିଥିଲା ଏହି ସଡକ ଦୁର୍ଘଟଣା। ମୃତ ବ୍ୟକ୍ତିଙ୍କ ନାମ ମାନସ କୁମାର ରଥ, ପ୍ରିନ୍ସ ନାୟକ ଏବଂ ବୁଦ୍ଧ ଚିତିକି ବୋଲି ଜଣାପଡିଛି।

ଖବର ଅନୁଯାୟୀ, ବ୍ୟାଙ୍କବାହାଲ-ତାପାରିଆ ରାସ୍ତାରେ ଥିବା ବିଲେଇମୁଣ୍ଡା ନିକଟରେ ଏକ ଏସୟୁଭି ଓଲଟି ପଡିଥିବାର ଦେଖିବାକୁ ମିଳିଥିଲା। ଏହାକୁ ଏକ ସୁଯୋଗ ବୋଲି ବିଶ୍ୱାସ କରିଥିଲେ ତିନି ଚୋର। ପରେ ସୋମବାର ରାତିରେ ଗାଡିର ଟାୟାର ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଚୋରି କରିବାକୁ ଚେଷ୍ଟା କରିଥିଲେ। ତେବେ ସଡକ ନିର୍ମାଣକାରୀ କମ୍ପାନୀର ଜଣେ ସୁରକ୍ଷାକର୍ମୀ ଏବଂ ଜଣେ ସୁପରଭାଇଜର ଚୋରମାନଙ୍କୁ ଧରିଥିଲେ, ଏହାପରେ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା।

ସୁପରଭାଇଜର ଚୋରମାନଙ୍କୁ ଗୋଡ଼ାଇଥିଲେ ହେଲେ ଦୁର୍ଭାଗ୍ୟବଶତଃ ଏହି ସମୟରେ ଏକ ଦ୍ରୁତ ଗତିରେ ଆସୁଥିବା ଡମ୍ପର ଟ୍ରକ ଆଗରେ ଆସିବାରୁ ସେମାନଙ୍କ ମଧ୍ୟରେ ଧକ୍କା ହୋଇଥିଲା। ଯେଉଁଥିରେ ସୁରକ୍ଷା କର୍ମୀ, ସୁପରଭାଇଜର ଏବଂ ଜଣେ ଚୋର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ତେବେ ଡମ୍ପରର ଡ୍ରାଇଭର ସେହି ସ୍ଥାନରୁ ଫେରାର ହୋଇଯାଇଛି। ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏକ ମାମଲା ରୁଜୁ ହୋଇଛି ଏବଂ ପୋଲିସ ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି।

Comments are closed.