ନୂଆଦିଲ୍ଲୀ: କୋଭିଡ-୧୯କାଳରେ କ୍ଷତିଗ୍ରସ୍ତ ହୋଇଥିବା ଏମ୍ଏସ୍ଏମ୍ଇ ଉଦ୍ୟୋଗଗୁଡିକୁ ସହାୟତା ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାର “ବିବାଦ ସେ ବିଶ୍ୱାସ-୧” ଯୋଜନା ଆରମ୍ଭ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟର ବ୍ୟୟବିଭାଗ ପକ୍ଷରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମନ ତାଙ୍କର ୨୦୨୩-୨୪ ବଜେଟ୍ରେ କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଦେଶର ଏମ୍ଏସ୍ଏମ୍ଇ ଶିଳ୍ପ ସଂସ୍ଥାଗୁଡିକୁ ସହାୟତା ଯୋଗାଇବା ବିଷୟ ଘୋଷଣା କରିଥିଲେ।
ଏହି ସହାୟତା ଯୋଜନାଟି କେନ୍ଦ୍ରୀୟ ବଜେଟ୍ର ୬୬ନମ୍ବର ପାରାଗ୍ରାଫ୍ରେ ଉଲ୍ଲେଖ ଅଛି । ଏଥିରେ କୁହାଯାଇଛି, “କୋଭିଡ କାଳରେ ଏମ୍ଏସ୍ଏମଇମାନେ ଯଦି ଚୁକ୍ତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥାନ୍ତି ତା’ହେଲେ ସେମାନଙ୍କ ବିଡ୍ର ୯୫% କିମ୍ବା ପରଫରମାନ୍ସ ସିକ୍ୟୁରିଟି (ଅମାନତ ରାଶି) ସେମାନଙ୍କୁ ସରକାର କିମ୍ବା ସରକାରୀ ଉପକ୍ରମରେ ଥିବା ସଂସ୍ଥା ଫେରାଇଦେବେ । ଏହା ଫଳରେ ଏମ୍ଏସ୍ଏମଇଗୁଡିକ ଉପକୃତ ହେବେ।
ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଏହି ମର୍ମରେ ୨୦୨୩ ଫେବୃୟାରୀ ୬ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏଥିରେ ଏହି ଯୋଜନାର ସବିଶେଷ ବିବରଣୀ ଓ ତଥ୍ୟ ରହିଛି । ଏ ସଂକ୍ରାନ୍ତ ଚୂଡାନ୍ତ ନିର୍ଦ୍ଦେଶାବଳୀ ୨୦୨୩ ଏପ୍ରିଲ ୧୧ ତାରିଖରେ ପ୍ରକାଶ ପାଇଥିଲା । ସେଥିରେ କ୍ଷତିଗ୍ରସ୍ତ ଏମ୍ଏସ୍ଏମ୍ଇଗୁଡିକୁ ସହାୟତା ପ୍ରଦାନ ପାଇଁ ଆବେଦନ ସମୟ ମିଆଦି ବୃଦ୍ଧି, କେତେ ଟଙ୍କା ଫେରସ୍ତ ଦିଆଯିବ ଓ ଆଉ କେତେକ ତଥ୍ୟ ରହିଥିଲା। ଏହା ପରେ ଏହି ଯୋଜନାଟିକୁ ୨୦୨୩ ଏପ୍ରିଲ ୧୭ତାରିଖରୁ କାର୍ଯ୍ୟକାରୀ କରାଯାଇଛି । ଯେଉଁ ଏମ୍ଏସ୍ଏମଇ ଉଦ୍ୟୋଗ କରୋନା ମହାମାରୀ କାରଣରୁ ସରକାରଙ୍କ ସହିତ କରିଥିବା ଚୁକ୍ତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବେ ସେମାନେ ନିଲାମ ବା ବିଡ୍ ବାବଦରେ ଦେଇଥିବା ଅର୍ଥର ୯୫% କିମ୍ବା ପ୍ରଦର୍ଶନଭିତ୍ତିକ ଅମାନତ ଅର୍ଥ ବା ପରଫରମାନ୍ସ ସିକ୍ୟୁରିଟି ଫେରି ପାଇବାକୁ ନିର୍ଦ୍ଧାରିତ ତାରିଖ ୨୦୨୩ ଜୁନ ୩୦ତାରିଖ ସୁଦ୍ଧା ଆବେଦନ କରିପାରିବେ। ସେମାନଙ୍କୁ “ବିବାଦ ସେ ବିଶ୍ୱାସ-” ଯୋଜନାରେ ଏହି ଅର୍ଥ ଫେରସ୍ତ ଦିଆଯିବ।
ଏହି ଯୋଜନାରେ ସବୁ ମନ୍ତ୍ରଣାଳୟକୁ କୋଭିଡ କାଳିନ ବିଭିନ୍ନ ଅମାନତ ଜମା ଯଥା ପରଫରମାନ୍ସ ସିକ୍ୟୁରିଟି, ବିଡ୍ ସିକ୍ୟୁରିଟି ଏବଂ ଜବତ ହୋଇଥିବା ଲିକ୍ୟୁଡେଟେଡ ଡ୍ୟାମେଜ ଅର୍ଥ, କାଟି ରଖାଯାଇଥିବା ଅର୍ଥ ଆଦିକୁ ସମ୍ପୃକ୍ତ ଏମ୍ଏସ୍ଏମ୍ଇଗୁଡିକୁ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆହୁରି ମଧ୍ୟ ମହାମାରୀ ଯୋଗୁଁ ଚୁକ୍ତି ଭଙ୍ଗ କରିବାକୁ ବାଧ୍ୟ ହୋଇଥିବା ଏମ୍ଏସ୍ଏମ୍ଇ ଉଦ୍ୟୋଗକୁ ଆଉ କୌଣସି ସରକାରୀ ନିଲାମରେ ଭାଗ ନେବାକୁ ଅନୁମତି ନ ଦେବାକୁ ଯେଉଁ ନିୟମ ଥିଲା ସରକାର ତାହାକୁ ପ୍ରତ୍ୟାହାର କରି ନେଇଛନ୍ତି।
କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଏହି ଯୋଜନା ମାଧ୍ୟମରେ ମହାମାରୀ ପ୍ରଭାବିତ ଏମ୍ଏମ୍ଏମ୍ଇଗୁଡିକୁ ନିମ୍ନଲିଖିତ ଅତିରିକ୍ତ ସୁବିଧା ସୁଯୋଗ ଓ ଲାଭ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ସେଗୁଡିକ ହେଲା
୧) ଜବତ ହୋଇଥିବା ୯୫% ପ୍ରଦର୍ଶନ ଭିତ୍ତିକ ଅମାନତ ରାଶି ଫେରସ୍ତ ଦିଆଯିବ
୨) ବିଡ୍ ସିକ୍ୟୁରିଟି (ନିଲାମରେ ଅମାନତ)ର ୯୫% ସରକାର ନିଲାମଧାରୀ ଉଦ୍ୟୋଗୀଙ୍କୁ ଫେରାଇବେ
୩) କାଟି ରଖାଯାଇଥିବା ଲିକ୍ୟୁଡେଟେଡେ ଡ୍ୟାମେଜର ୯୫% ଫେରସ୍ତ ଦିଆଯିବ
୪) ଜବତ ହୋଇଥିବା ରିସ୍କ ପର୍ଚେଜ୍ ଅର୍ଥର ୯୫% ଫେରାଯିବ
୫) କରୋନା ଯୋଗୁ ଚୁକ୍ତି ପାଳନରେ ବିଫଳ ହୋଇ ପରବର୍ତ୍ତୀ ନିଲାମରୁ ନିଷିଦ୍ଧ ହୋଇଥିବା ସଂସ୍ଥାଙ୍କ ଉପରୁ ନିଷେଧାଦେଶ /କଟକଣା ଉଠିବ । ଏଥିପାଇଁ ସାମଗ୍ରୀ କ୍ରୟକାରୀ ସଂସ୍ଥା ଏକ ବିଧିବଦ୍ଧ ନିର୍ଦ୍ଦେଶାବଳୀ ଜାରି କରିବେ । ତେବେ ଯେଉଁ ସଂସ୍ଥାସବୁ କରୋନା ପୂର୍ବରୁ ଚୁକ୍ତି ଖିଲାପ କରି ନିଲାମ ନିମନ୍ତେ ଅଯୋଗ୍ୟ ହୋଇଛନ୍ତି ସେମାନଙ୍କୁ ଏହି ଯୋଜନାରେ ଲାଭ ମିଳିବ ନାହିଁ ।
୬) ସମ୍ପୃକ୍ତ ପକ୍ଷଙ୍କୁ ଫେରସ୍ତ ଅର୍ଥ ଉପରେ କୌଣସି ସୁଧ ଦିଆଯିବ ନାହିଁ
ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଏହି ଅର୍ଥ ଫେରସ୍ତ ସଂକ୍ରାନ୍ତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ସବୁ ମନ୍ତ୍ରଣାଳୟ, ବିଭାଗର ସଚିବ ସବୁ ରାଜ୍ୟର ମୁଖ୍ୟ ସଚିବ, କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ପ୍ରଶାସକ ମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶପତ୍ର ପ୍ରଦାନ କରାଯାଇଛି।
Comments are closed.