Latest Odisha News

BREAKING NEWS

ଭାଷା ଭାଗବତ : ନ୍ୟାୟ ବେଉସା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଦୋଷୀ ପାଇଲେ ସୁଦ୍ଧା ଶାସ୍ତି
ଘଟେନି ଦୋଷର ସମାପ୍ତି
ଏପରି ନ୍ୟାୟପରାୟଣ
ଅଟଂତି ଜନସାଧାରଣ

ସମୟ, ଶକ୍ତି ଆଉ ଧନ
ବ୍ୟୟ କଲେ ବି ପ୍ରତି ଦିନ
ମିଳେନି ନ୍ୟାୟର ସଂଧାନ
ନ୍ୟାୟାଳୟ ତ ଘୋର ବନ

ନ୍ୟାୟ ବି ହେଲାଣି ବେଉସା
ତୁଟିଯାଉଛି ବହୁ ଆଶା
ନ ପାଇ ସୁବିଚାର, ନ୍ୟାୟ
ଆୟୁଷ ହେଉଅଛି କ୍ଷୟ

ପୁରୁଣା ବିଦେଶୀ ପଦ୍ଧତି
କରିଚାଲିଛି ଯେତେ କ୍ଷତି
ହୋଇନି ତହିଁର କଳନା
ବିଧି ବ୍ୟବସ୍ଥା ବାଟ ବଣା

ଲକ୍ଷ୍ୟ ନ କଲେ ବି ପୂରଣ
ବ୍ୟକ୍ତିଂକୁ ମିଳୁଛି ସମ୍ମାନ
ଦାୟିତ୍ବ ହୋଇନାହିଁ ସ୍ପଷ୍ଟ
ତେଣୁ ପ୍ରକ୍ରିୟା ହୁଏ ଭ୍ରଷ୍ଟ

ସ୍ବଦେଶୀ ଭାଷା ପ୍ରଚଳନ
ନିମଂତେ ନାହିଁ କାହା ମନ
ଜଡ଼ିତ ବହୁ କର୍ମଚାରୀ
ନ ଲଢ଼ି, ଯାଉଥାଂତି ହାରି

ପୁନର୍ବିନ୍ୟାସ ଆବଶ୍ଯକ
ବୁଝିଲେ ସୁଦ୍ଧା ଆମ ଲୋକ
କରଂତିନାହିଁ କେବେ ଚେଷ୍ଟା
ସଭିଏଁ ଏବେ ମୂକ ଦ୍ରଷ୍ଟା

ପରିବର୍ତିତ ଘନଘନ
ହେଲେ ହେଁ ଅନ୍ୟାୟୀ ଦୁର୍ଜନ
ଦେଶର ନ୍ୟାୟଜୀବୀଗଣ
ରହଂତି ସର୍ବଦା ମଉନ

ଆମର ବିଧାୟକଗଣ
ଯାହା ବି ଅଚଳ, ପ୍ରାଚୀନ
କରଂତିନାହିଁ ସଂଶୋଧନ
ଘଟୁଛି ନ୍ୟାୟର ପତନ

Comments are closed.