Latest Odisha News

BREAKING NEWS

ଭୂଆଶୁଣୀ ଡମ୍ପିଂୟାର୍ଡରେ ଆଉ ପଡ଼ିବନି ଅଳିଆ; ବାୟୋ ମାଇନିଂ ପ୍ରସ୍ତାବ ଜାରି ରହିବ

ଭୁବନେଶ୍ୱର: ଏଣିକି ରାଜଧାନୀ ଉପକଣ୍ଠ ଭୂଆଶୁଣି ଡମ୍ପିଂୟାର୍ଡରେ ପଡିବନି ଅଳିଆ । ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।ସହରର ବିଭିନ୍ନ ସ୍ଥାନରୁ ବର୍ଜ୍ୟବସ୍ତୁ ଦାରୁଠେଙ୍ଗଠାରେ ପକାଇବା କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ଘୋଷଣା କରିଛି ବିଏମସି। ତେବେ ସେହି ସ୍ଥାନରେ ବାୟୋ ମାଇନିଂ ପ୍ରସ୍ତାବ ଜାରି ରହିବ ବୋଲି ପୌରସଂସ୍ଥା ପକ୍ଷରୁ ଦାରୁଠେଙ୍ଗା ସରପଞ୍ଚଙ୍କୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି।

ଚିଠି ଅନୁଯାୟୀ, ପୂର୍ବରୁ ଧାର୍ଯ୍ୟ ସମୟସୀମା ମେ ୩୧, ୨୦୨୩ ବଦଳରେ ମେ ୧୭ ତାରିଖରୁ ଭୂଆଶୁଣି ସାଇଟକୁ ଅଳିଆ ପରିବହନ ସମ୍ପୂର୍ଣ୍ଣ ବନ୍ଦ କରିବ ବିଏମସି। ୨୦୨୨ ଅଗଷ୍ଟ ୩୦ ତାରିଖରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ “ଭୂଆଶୁଣିକୁ ବର୍ଜ୍ୟବସ୍ତୁ ପରିବହନକୁ ସର୍ବନିମ୍ନ କରିବା ପାଇଁ କାର୍ଯ୍ୟ ଯୋଜନା” ସମ୍ପର୍କରେ ଏହି ସମୟସୀମା ନିର୍ଦ୍ଧାରଣ କରାଯାଇଥିଲା।

ଏହି ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ, ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ପାଇଁ ବିଏମସି ଡମ୍ପିଂ ସାଇଟରେ ଥିବା ବର୍ଜ୍ୟବସ୍ତୁ ସମସ୍ୟାର ସମାଧାନ କରିବା ସହ ଜମିକୁ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ ବାୟୋ ମାଇନିଂ ପ୍ରକ୍ରିୟା ଆରମ୍ଭ କରିବ। ଦାରୁଠେଙ୍ଗ ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ସ୍ଥାନକୁ ଯାତାୟତ ଓ ଯନ୍ତ୍ରାଂଶ ସ୍ଥାପନରେ ବିଳମ୍ବ ନକରି ଯଥା ସମ୍ଭବ ସହମତି ପ୍ରକାଶ କରିବାକୁ ଅନୁରୋଧ କରାଯାଇଛି।

ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ବିକେନ୍ଦ୍ରୀକୃତ ମାଧ୍ୟମ ଯଥା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ମାଧ୍ୟମରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରାଯାଉଛି। ଦାରୁଠେଙ୍ଗାଠାରେ ବର୍ଜ୍ୟବସ୍ତୁ ପକାଇବା ବନ୍ଦ କରିବା ପାଇଁ ବିଏମସି ଧାର୍ଯ୍ୟ ସମୟ ସୀମାକୁ ପାଳନ କରିଛି। ପ୍ରକ୍ରିୟାକରଣ ସମୟ ଓ ଅନ୍ୟାନ୍ୟ ପ୍ରାସଙ୍ଗିକ ବିଷୟକୁ ବିଚାରକୁ ନେଇ ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି। ଆବଶ୍ୟକ କ୍ଷମତା ପ୍ରତିଷ୍ଠା ହେବା ପରେ ବାୟୋ ମାଇନିଂ ପ୍ରକଳ୍ପ ପାଇଁ ମେସିନ୍ ଓ ଯନ୍ତ୍ରପାତିର ନିୟୋଜନ ଆରମ୍ଭ ହେବ।

 

Comments are closed.