କଟକ:ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ । ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ଡ଼ ଷଡଙ୍ଗୀ ଆଜି ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥା ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ସ୍ପେଶାଲ ଡିଜି ପୋଲିସ ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି ଭାବରେ କାର୍ଯ୍ୟ ତୁଲାଉଥିଲେ। ତା ପୂର୍ବରୁ ଟ୍ୱିନ ସିଟିର ପୋଲିସ କମିଶନର ଭାବେ ସେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି ।
ଆଜି ସକାଳ ୮ଟାରେ ଶ୍ରୀ ଷଡଙ୍ଗୀ ଅଗ୍ନିଶମ ବିଭାଗ ମୁ୍ଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କଠାରୁ ଦାୟିତ୍ୱ ନେଇଥିଲେ । ଅଗ୍ନିଶମ ବିଭାଗର ୫୪ ତମ ନିର୍ଦ୍ଦେଶକ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । କିଛି ଦିନ ତଳେ ସୁଧାଂଶୁ ଷଡଙ୍ଗୀଙ୍କର ପଦୋନ୍ନତି ହୋଇ ଡିଜି ପାହ୍ୟା ମିଳିଥିଲା ।ସରକାରଙ୍କ ପକ୍ଷରୁ ତାଙ୍କୁ ଗତ ସପ୍ତାହରେ ଅଗ୍ନିଶମ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆ ଯାଇଥିଲା ।
ଦାୟିତ୍ୱ ନେବା ପରେ ଶ୍ରୀ ଷଡଙ୍ଗୀ କହିଛନ୍ତି, ଓଡ଼ିଶା ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତା ଦେଶରେ ସୁନାମ ଅର୍ଜନ କରିଛି । ଆଗାମୀ ଦିନରେ ସେ ଏହାକୁ ବଜାୟ ରଖିବେ ବୋଲି କହିଛନ୍ତି । କୌଣସି ସଂଗଠନର ବିକାଶ ଓ ପରିଚୟ ଏକ କ୍ରମାଗତ ପ୍ରକିୟା ବୋଲି ସେ କହିଛନ୍ତି । ରାଜ୍ୟରେ କାର୍ଯ୍ୟରତ ୧୫ ହଜାର ୯୧୮ ଗୃହରକ୍ଷୀ ନିଷ୍ଠାର ସହ ସେବା କରି ଜନସାଧାରଣଙ୍କର ଅଧିକ ଆସ୍ଥା ଭାଜନ ହେବେ ବୋଲି ଆଶା କରିଛନ୍ତି ।
Comments are closed.