ବ୍ରହ୍ମପୁର: ଦୁଇ କୁଖ୍ୟାତ ନିଶା ବେପାରୀଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୮ ଗ୍ରାମରୁ ଉର୍ଦ୍ଧ୍ୱ ଓଜନର ବହୁ ପରିମାଣର ବ୍ରାଉନସୁଗାର ଜବତ କରିଛି। ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ସୋମବାର ଏହି ଦୁଇ କୁଖ୍ୟାତ ଗିରଫ ହୋଇଛନ୍ତି।
ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ବ୍ରାଉନସୁଗାର ବା ଧଳା ଜହର ବିକ୍ରି ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଏସପି ଶରବଣ ବିବେକ ଏମ୍, ଚଢାଉ କରିଥିଲେ, ଫଳରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି।
ଗିରଫ ବ୍ୟକ୍ତି ଦ୍ୱୟ ହେଲେ ସହରର ବଡବଜାର ଥାନା ଅନ୍ତର୍ଗତ ଧନମେରା ସାହିର ରଞ୍ଜନ ଦାସ(୩୫) ଓ ରୁତୁ ରଞ୍ଜନ ନିମାଇଁ(୨୯)। ପଚରାଉଚରା ପରେ ଅଭିଯୁକ୍ତମାନେ ଦୀର୍ଘଦିନ ଧରି ନିଶା କାରବାରରେ ଲିପ୍ତ ଥିବା ସ୍ୱୀକାର କରିଛନ୍ତି।
ସର୍ଚ୍ଚ ଅପରେସନ ସମୟରେ ପୋଲିସ ଏକ ମୋବାଇଲ୍ ଫୋନ୍ ସମେତ ବିଭିନ୍ନ ସାମଗ୍ରୀ ସହ ୨୮.୯୫ ଗ୍ରାମ୍ ବ୍ରାଉନ୍ସୁଗାର ଜବତ କରିଛନ୍ତି, ଏକ ପଲିଥିନ୍ ପ୍ୟାକେଟ୍ ଯେଉଁଥିରେ ୧୦ଟି ଛୋଟ ଛୋଟ ଖଣ୍ଡ ହଳଦିଆ ରଙ୍ଗର କାଗଜ, ଏକ ଚାମଚ ଜବତ ହେବା ସହ ୨୭୦ଟଙ୍କା ଜବତ ହୋଇଛି। ଏସପି ଆହୁରି ମଧ୍ୟ କହିଛନ୍ତି ଯେ, ଜବତ ବ୍ରାଉନସୁଗାରର ଉତ୍ସ ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ବ୍ରହ୍ମପୁର ଟାଉନ ଥାନା ପୁଲିସ ଗିରଫ ବ୍ୟକ୍ତିମାନଙ୍କ ବିରୋଧରେ ୨୧(ଖ)ରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଥିବା ଜଣାପଡ଼ିଛି। ଉଭୟ ବଡବଜାର ଓ ଟାଉନ ଥାନାରେ ରୁଜୁ ହୋଇଥିବା ୮ଟି ମାମଲାରେ ରଞ୍ଜନ ଦାସ ଫସିଥିବା ବେଳେ ବଡବଜାର ଥାନାରେ ଋତୁରଞ୍ଜନ ନିମାଇଁ ନାମରେ ଗୋଟିଏ ମାମଲା ରହିଛି।
Comments are closed.