Latest Odisha News

ଧାର ଟଙ୍କା ମାଗିବାରୁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲା ପ୍ରେମିକ

ହାଇଦ୍ରାବାଦ : ପୁଣି ରକ୍ତରେ ଭିଜିଲା ପ୍ରେମ। ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲା ପ୍ରେମିକ । ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ମନରୁ ନ ଲିଭୁଣୁ ପୁଣି ସାମ୍ନାକୁ ଆସିଲା ବିଭତ୍ସ ହତ୍ୟାକାଣ୍ଡ । ହାଇଦ୍ରାବାଦରେ ଏଭଳି ଘଟଣା ଘଟିଛି । ଜଣେ ବ୍ୟକ୍ତି ତା ପ୍ରେମିକାକୁ ହତ୍ୟା କରି  କଟାମୁଣ୍ଡକୁ ନଦୀରେ ଫିଙ୍ଗିଥିବା ବେଳେ ଶରୀରର ଅନ୍ୟ ଅଂଶ ଗୁଡ଼ିକ ଫ୍ରିଜ୍‌ରେ ଲୁଚାଇ ରଖିଥିଲା । ନଦୀ କୂଳରୁ କଟାମୁଣ୍ଡ ମିଳିବା ପରେ ଏହି ଘଟଣାର ପର୍ଦ୍ଦାଫାସ୍‌ ହୋଇଛି ।

ସୂଚନା ଅନୁଯାୟୀ, ମୃତ ମହିଳା ଜଣକ ୫୫ ବର୍ଷୀୟା ଏରମ ଅନୁରାଧା ରେଡ୍ଡୀ । ଅନୁରାଧା ହାଇଦ୍ରାବାଦର ଦିଲ୍‌ ସୁଖ ନଗରରେ ରୁହନ୍ତି । ସେ ସ୍ଥାନୀୟ ଏକ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ । ଗତ ୧୭ ତାରିଖରେ ଥିଗଲଗୁଡ଼ା ମୁସି ନଦୀ କୂଳରୁ ତାଙ୍କର କଟାମୁଣ୍ଡ ମିଳିଥିଲା । ସଫେଇ କର୍ମଚାରୀ ମାନେ ନଦୀ କୂଳକୁ ଯିବା ବେଳେ ଅଳିଆ ଗଦାରେ ଏକ କଳା ବ୍ୟାଗରେ ମହିଳାଙ୍କ କଟାମୁଣ୍ଡ ପାଇଥିଲେ । ସେମାନେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିବାରୁ ସମସ୍ତ ଘଟଣା ବାହାରକୁ ଆସିଥିଲା ।

ଅନୁରାଧା ଦୀର୍ଘ ବର୍ଷ ହେବ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିଲେ  । ସେ ସୁଧରେ ଟଙ୍କା ଧାର ଦେଇ ନିଜ ଗୁଜରାଣ ମେଣ୍ଟାଉଥିଲେ। ତାଙ୍କର ଚନ୍ଦ୍ରମୋହନଙ୍କ ସହ ପରିଚୟ ହୋଇଥିଲା। ପରେ ଚନ୍ଦ୍ରମୋହନଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଥିଲା । ୧୫ ବର୍ଷ ହେଲା ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ଏବଂ ମହିଳା ତାଙ୍କରି ଘରେ ଭଡାରେ ରହୁଥିଲେ । ମୋହନ ସେୟାର ମାର୍କେଟରେ କାରବାର କରୁଥିଲେ ଏବଂ ଲୋକଙ୍କୁ ଟଙ୍କା ଲଗାଇବାକୁ ଉସକାଉ ଥିଲେ । କିଛି ମାସ ତଳେ ସେ ଅନୁରାଧାଙ୍କୁ ଭଲ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଇ ତାଙ୍କ ଠାରୁ ୭ ଲକ୍ଷ ଟଙ୍କା ନେଇ ମାର୍କେଟରେ ଲଗାଇଥିଲେ । ହେଲେ ସବୁତକ ଟଙ୍କା ବୁଡି ଯାଇଥିଲା । ଏହାସତ୍ତ୍ବେ ମୋହନ ପ୍ରେମିକା ଅନୁରାଧାଙ୍କୁ ପୁଣିଥରେ ଟଙ୍କା ମାଗିଥିଲେ । କିନ୍ତୁ ସେ ମନା କରିଦେଇଥିଲେ । ଏହାକୁ ନେଇ ଗତ ୧୨ ତାରିଖରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ରାଗି ଯାଇ ଚନ୍ଦ୍ରମୋହନ ଅନୁରାଧାଙ୍କୁ ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ଛୁରୀ ଓ ଟାଇଲ କଟରରେ କାଟି ଖଣ୍ଡ ଖଣ୍ଡ କରିଥିଲେ ।

ଅଟୋରେ କଟା ମୁଣ୍ଡକୁ ବ୍ୟାଗରେ ଭର୍ତ୍ତି କରେ ନଦୀ କୂଳରେ ଫିଙ୍ଗି ଦେଇଥିଲେ ଏବଂ ବଳକା ଶରୀରକୁ ଘରେ ଫ୍ରିଜରେ ଲୁଚାଇ ରଖିଥିଲେ । ଏଥିସହ ଦୁର୍ଗନ୍ଧ ନହେବା ପାଇଁ ସେ ବିଭିନ୍ନ ପ୍ରକାରର ଅତର ବହୁଳ ମାତ୍ରାରେ ବ୍ୟବହାର କରୁଥିଲେ । କଟା ମୁଣ୍ଡ ଜବତ ହେବା ପରେ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ହତ୍ୟାର ତଦନ୍ତ ଆରମ୍ଭ କରିଥିଲା ଏବଂ ଚନ୍ଦ୍ରମୋହନ ପାଖରେ ପହଞ୍ଚିଥିଲା । ଚନ୍ଦ୍ରମୋହନଙ୍କ ଫ୍ରିଜ୍‌ରୁ କଟା ହାତ, ଗୋଡ଼ ମିଳିଥିଲା । ଏନେଇ ପୋଲିସ ମୃତ ଦେହ ଖଣ୍ଡଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଚଳାଇଛି ।

 

 

Leave A Reply

Your email address will not be published.