Latest Odisha News

BREAKING NEWS

ଲଗାଣ ବର୍ଷାରେ ଜଳମଗ୍ନ ଓଡ଼ିଶା: ସହରାଞ୍ଚଳରେ ଜଳ ନିଷ୍କାସନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦେଖା ଦେଇଥିବା ଅବିରତ ବର୍ଷା ପରିସ୍ଥିତି ଉପରେ ଏକ ଜରୁରୀ ବୈଠକରେ ସମୀକ୍ଷା କରି ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ସବୁ ଜିଲ୍ଲା କଣ୍ଟ୍ରୋଲରୁମକୁ ୨୪ ଘଣ୍ଟା ଖୋଲା ରଖିବା ସହିିିତ ସବୁ ପ୍ରମୁଖ ନଦୀର ଜଳସ୍ତର ଉପରେ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଶେଷକରି ସହରାଞ୍ଚଳର ବିଭିନ୍ନ ସ୍ଥାନ ଜଳମଗ୍ନ ହେଉଥିବାରୁ ଉଚ୍ଚ ଶକ୍ତି ସମ୍ପନ୍ନ ପମ୍ପ ବ୍ୟବହାର କରି ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଗର ଉନ୍ନୟନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକସ୍ଥଳେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ ଓ ଅଗ୍ନିଶମ ସେବା ୟୁନିଟ ଗୁଡ଼ିକୁ ସଜାଗ କରି ରଖିବା ସହିତ ଭୁବନେଶ୍ୱର-କଟକର ମ୍ୟୁନିସିପାଲ ଅଞ୍ଚଳରେ ଆବଶ୍ୟକତାକୁ ଆଖିରେ ରଖି ମେଡ଼ିକାଲ ଟିମ୍ ମଧ୍ୟ ପ୍ରସ୍ତୁତ କରି ରଖିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ ।

ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟରେ ଦେଖାଦେଇଥିବା ବନ୍ୟା ଆଶଙ୍କାକୁ ମୁକାବିଲା କରିବାକୁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା । ତେବେ ରାଜ୍ୟର ୩ଟି ଜିଲ୍ଲା – ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାକୁ ଛାଡ଼ିଦେଲେ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି ।

ମାଲକାନଗିରି ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇ କେତେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜୟପୁରରୁ ମାଲକାନଗିରି, ଜୟପୁରରୁ ବାଲିମେଳା ଓ କାଲିମେଳାରୁ ମୋଟୁ ପର୍ଯ୍ୟନ୍ତ ଯୋଗାଯୋଗ ବିଛିନ୍ନ ହେବା ପରେ ଯୋଗାଯୋଗ ବ୍ୟବସ୍ଥାକୁ ପୁନଃ ସ୍ଥାପିତ କରାଯାଇଛି ।

ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଜଳମଗ୍ନ ଯୋଗୁଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗର ୟୁନିଟ ଗୁଡ଼ିକୁ ନିୟୋଜିତ କରାଯାଇଛି । ବିଭିନ୍ନ ଜଳମଗ୍ନ ଅଞ୍ଚଳରେ ଅଗ୍ନିଶମ ବିଭାଗର ପମ୍ପ ନିୟୋଜିତ କରାଯାଇ ଜଳ ନିଷ୍କାସିତ କରାଯାଉଛି । ସେହିପରି କଟକରେ ମଧ୍ୟ ଓଡ୍ରାଫ ଟିମ୍ ନିୟୋଜିତ ହୋଇ ୧୬ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଜଳ ନିଷ୍କାସନ ପାଇଁ ୧୮୧ଟି ପମ୍ପ ନିୟୋଜିତ କରାଯାଇଛି ।

ବର୍ଷା ପରିସ୍ଥିତିକୁ ଦେଖି କଟକ, ଭୁବନେଶ୍ୱର ଓ ପୁରୀରେ ସମସ୍ତ ସ୍କୁଲ ଗୁୁଡ଼ିକୁ ଛୁଟି ଘୋଷଣା କରାଯାଇଛି । ଅନ୍ୟସ୍ଥାନ ଗୁଡ଼ିକରେ ପରିସ୍ଥିତିକୁ ନିରୀକ୍ଷଣ କରି ଜିଲ୍ଲାପାଳ ଛୁଟି କରିବା ଲାଗି ଉଚିତ ପଦକ୍ଷେପ ନେବେ ।

ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ କମିଶନର, ପଞ୍ଚାୟତିରାଜ, ରାଜସ୍ୱ ଓ ଖାଦ୍ୟ ଯୋଗାଣ, ନଗର ଉନ୍ନୟନ ଆଦି ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ । ପାଣିପାଗ ବିଭାଗର ନିର୍ଦ୍ଦେଶକ ଓ ବିଏମସିର କମିଶନର ମଧ୍ୟ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.