ଭୁବନେଶ୍ୱର: କର୍ଣ୍ଣାଟକରେ ଗୋଟିଏ ପରେ ଗୋଟିଏ ମାଷ୍ଟରଷ୍ଟ୍ରୋକ ଖେଳିଚାଲିଛି କଂଗ୍ରେସ। ନିର୍ବାଚନରେ ଐତିହାସିକ ସଫଳତା ଓ ପୂର୍ଣ୍ଣ ବହୁମତ ନେଇ ସରକାର ଗଢ଼ିବା ପରେ ଏବେ ବିଜେପିର ଯୋଜନା ଉପରେ ପ୍ରହାର ଆରମ୍ଭ କରିଛି ଦଳ।
କର୍ଣ୍ଣାଟକରେ ପୂର୍ବ ବିଜେପି ସରକାର ଦ୍ୱାରା କରାଯାଉଥିବା ୨୦ ହଜାର କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ ଟେଣ୍ଡରକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଅଟକାଇ ଦେଇଛନ୍ତି। ଏହା ପୂର୍ବର ବିଜେପି ସରକାର ଦ୍ୱାରା ଅନୁମତି ପାଇଥିଲା।
ଏପରିକି କେନ୍ଦ୍ର ସରକାରଙ୍କ ଫ୍ଲାଗସିପ ଯୋଜନା ଜଳ ଜୀବନ ମିଶନ ମଧ୍ୟ ଏଥିରେ ସାମିଲ ଅଛି। ଯାହାକୁ ନେଇ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଦିଆଯାଇଥିବା ନୋଟରେ କାର୍ଯ୍ୟ ଅଟକାଯିବାର କାରଣ ସମ୍ପର୍କରେ ଉଲ୍ଲେଖ ରହିଛି।
ଭିତ୍ତିଭୂମି କାର୍ଯ୍ୟ ବିଜ୍ଞାନ ସମ୍ମତ ଢଙ୍ଗରେ ହେଉନାହିଁ ଓ କାର୍ଯ୍ୟରେ ଅନିୟମିତତା ଏହାକୁ ବନ୍ଦ ରଖିବାର କାରଣ ବୋଲି କୁହାଯାଇଛି। ବନ୍ଦ କରାଯାଇଥିବା କାମ ମଧ୍ୟରେ ବହୁ ଜଳସେଚନ ପ୍ରକଳ୍ପ ରହିଛି। ତା ସହିତ ଶକ୍ତି ବିଭାଗ ସହ ଜଳ ଜୀବନ ମିଶନ ଅଧୀନରେ ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ବିଭାଗର ଏସବୁ ପ୍ରକଳ୍ପ କାମକୁ ବନ୍ଦ କରାଯାଇଛି।
କୋଡ଼ିଏ ହଜାର କୋଟି ଟଂକାର ଏହି କାମ ଟେଣ୍ଡର ରୂଲକୁ ଉଲ୍ଲଂଘନ କରୁଛି ବୋଲି ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କ ପକ୍ଷରୁ କୁହାଯାଇଛି। ତେଣୁ ଏସବୁକୁ ଆଖି ଆଗରେ ରଖି କାମ ବନ୍ଦ ରଖାଯାଇଥିବାବେଳେ ସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯିବ। ତେଣୁ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ କାମ ବନ୍ଦ ରହିବ ବୋଲି କୁହାଯାଇଛି।
ଏପରିକି କଂଗ୍ରେସ ସରକାର ଗଠନ ପରେ ପୂର୍ବ ବିଜେପି ସରକାର ଦ୍ୱାରା କରାଯାଉଥିବା ସବୁ କାମର ଅର୍ଥ ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଜଳ ଜୀବନ ମିଶନ ସ୍କିମ ଅଧିନସ୍ଥ ସବୁ କାର୍ଯ୍ୟ କ୍ୟାବିନେଟ ଅନୁମୋଦନ ପାଇଥିବା ବେଳେ ଏହାକୁ ବନ୍ଦ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।
୨୦୧୯ ପର୍ଯ୍ୟନ୍ତ କର୍ଣ୍ଣାଟକକୁ ୬୯ ଲକ୍ଷ ଟ୍ୟାପ ପାଣି ସଂଯୋଗ ଦିଆଯାଇଥିଲା। ଜେଜେଏମ ଅଧୀନରେ ଏକ କୋଟି ଏକ ଲକ୍ଷ ପରିବାରକୁ ଟ୍ୟାପ ପାଣି ଦିଆଯିବା ପାଇଁ ୧୦ ହଜାର ୩୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଚଳିତ ବର୍ଷ ଜଳ ଜୀବନ ମିଶନ ପ୍ରକଳ୍ପ ପାଇଁ ୨୫ ହଜାର କୋଟି ଖର୍ଚ୍ଚର ଯୋଜନା ରହିଛି।
ତେଣୁ ଏଭଳି ସ୍ଥିତିରେ ଏହି ପ୍ରକଳ୍ପକୁ ହଠାତ ବନ୍ଦ କରିବାକୁ ନେଇ ଆଲୋଚନା ହେଉଛି। ସେପଟେ ବିଜେପି ଦ୍ୱାରା କରାଯାଇଥିବା ବିଭିନ୍ନ ବିଲ ଓ ଆଇନକୁ ସମୀକ୍ଷା କରି ପ୍ରତ୍ୟାହାର କରାଯିବ ବୋଲି କଂଗ୍ରେସ କହିସାରିଥିବା ବେଳେ ବହୁ ଉନ୍ନୟନମୂଳକ କାର୍ଯ୍ୟକୁ କଂଗ୍ରେସ ସରକାର ଗଢିବା ପରେ ତୁରନ୍ତ ବନ୍ଦ କରିବା ରାଜନୀତିକୁ ସରଗରମ କରିଛି।
Comments are closed.