ଜାଲ୍ ଶିକ୍ଷକଙ୍କୁ ୨୬ ବର୍ଷର ଦରମା ଫେରାଇବାକୁ ୟୁପି ସରକାରଙ୍କ ନିର୍ଦ୍ଦେଶ, ଓଡ଼ିଶାରେ ହେବ କି ସମାନ କାର୍ଯ୍ୟାନୁଷ୍ଠାନ?
ନୂଆଦିଲ୍ଲୀ/ଭୁବନେଶ୍ୱର: ୟୁପିର ଗ୍ରେଟର ନୋଏଡ଼ାର ଜଣେ ସରକାରୀ ସ୍କୁଲ ଶିକ୍ଷକ ନିଜ ଚାକିରିକୁ ସୁରକ୍ଷିତ କରିବା ପାଇଁ ନକଲି ମାର୍କସିଟ୍ ବ୍ୟବହାର କରିବା ଅଭିଯୋଗରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ମୋଟା ଅଙ୍କର ଜରିମାନାର ସମ୍ମୁଖୀନ ହୋଇଛନ୍ତି। ଜାରଚା ଥାନା ଅନ୍ତର୍ଗତ ପତ୍ରାହି ଗାଁର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଯୋଗିନ୍ଦର କୁମାର ଦୀର୍ଘ 26 ବର୍ଷ ଧରି ଶିକ୍ଷା ବିଭାଗକୁ ଧୋକା ଦେବାରେ ସଫଳ ହୋଇଥିଲେ। ତେବେ ବିଭାଗ ପକ୍ଷରୁ କରାଯାଇଥିବା ତଦନ୍ତରୁ ନକଲି ଦସ୍ତାବିଜ ବ୍ୟବହାର ହୋଇଥିବା ଜଣାପଡ଼ିଥିଲା।
ଏବେ ପ୍ରଶ୍ନ ଉଠୁଛି ଓଡ଼ିଶାରେ ରାଜ୍ୟ ସରକାର ଏପରି ପଦକ୍ଷେପ କେବେ ନେବେ । ନିକଟରେ ବଲାଙ୍ଗୀର ସମେତ ବିଭିନ୍ନ ସ୍ଥାନରେ ଜାଲ ସାର୍ଟିଫିକେଟ ଜରିଆରେ ସରକାରୀ ଚାକିରି ହାତେଇଥିବାର ଅଭିଯୋଗ ଆସିଛି। ଆଉ ପ୍ରାଥମିକ ତଦନ୍ତରୁ ନକଲି ସାର୍ଟିଫିକେଟ ମାମଲା ସାମ୍ନାକୁ ଆସିଛି। ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ମଧ୍ୟ ଏ ଦିଗରେ ତତ୍ପରତା ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେଣୁ ଫେକ୍ ସାର୍ଟିଫିକେଟ ଦେଇ ସରକାରୀ କର୍ମଚାରୀର ମାନ୍ୟତା ପାଇଥିବା ବ୍ୟକ୍ତିଙ୍କ ବିରୋଧରେ ଗ୍ରେଟର ନୋଏଡା ଘଟଣାରେ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଯେପରି ପଦକ୍ଷେପ ନିଆଯାଇଛି ସମାନ ପ୍ରକାର କାର୍ଯ୍ୟାନୁଷ୍ଠାନ ରାଜ୍ୟ ସରକାର ନେବେ କି?
କହିରଖୁଛୁ, ନକଲି ବିଏଡ୍ ସାର୍ଟିଫିକେଟ ଦେଇଥିବାର ପ୍ରମାଣ ମିଳିବା ପରେ ଚଳିତ ବର୍ଷ ଏପ୍ରିଲ ମାସରେ କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଅଂଚଳର ୨ ଶିକ୍ଷକ ଚାକିରି ହରାଇଥିଲେ। ଉଭୟଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ। ଏହି ଦୁଇ ଶିକ୍ଷକ ହେଲେ କଟକ ଜିଲ୍ଲାର ପଦୟିନୀ ସ୍ୱାଇଁ ଏବଂ ଗଂଜାମ ଜିଲ୍ଲାର କୃଷ୍ଣଚନ୍ଦ୍ର ଶତପଥୀ। ଉଭୟଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ।
ତେଣୁ ଚାକିରି କରିବା ସମୟରେ ଏହି ଦୁଇ ଶିକ୍ଷକ ରାଜ୍ୟ ରାଜକୋଷରୁ ଯେଉଁ ଦରମା ନେଇଛନ୍ତି ତାହା ବେଆଇନ୍ ହୋଇଥିବାରୁ ରାଜ୍ୟ ସରକାର ଏବେ ନୋଏଡା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି?
Comments are closed.