ଭୁବନେଶ୍ୱର: ରାଜ୍ୟର ତିନି ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ସରକାର। ବୁଧବାର ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଅନେକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦିଆଯାଇଛି।
ସିଆଇଡି-କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଅରୁଣ ବୋଥ୍ରା ଏବେ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (ସିଆରୟୁଟି)ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ପୂର୍ବରୁ ସିଆରୟୁଟି ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ।
ସେହିପରି ୧୯୯୭ ବ୍ୟାଚର ଅଭିଜ୍ଞ ଆଇପିଏସ୍ ଅଧିକାରୀ ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଓଏସ୍ଆରଟିସି (ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ (ସିଏମଡି) ଭାବେ ନିଯୁକ୍ତି ଦିଆଯାଇଛି। ଏହି ଭୂମିକା ପୂର୍ବରୁ ସେ ଜେଲ ବିଭାଗ ଏବଂ ସଂଶୋଧନ ସେବାର ଏଡିଜିପି/ଆଇଜି ଭାବେ କାର୍ଯ୍ୟ କରୁଥିଲେ ଏବଂ ଓଏସଆରଟିସିର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଉଥିଲେ।
ସେହିପରି ପରିବହନ କମିଶନର ଅମିତାଭ ଠାକୁରଙ୍କୁ ଏଡିଜିପି ସହିତ ଆଇଜି ଜେଲ୍ ଓ ସଂଶୋଧନ ସେବା ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ନବନିଯୁକ୍ତ ଅଧିକାରୀମାନଙ୍କୁ ତୁରନ୍ତ ଦାୟିତ୍ୱ ଗ୍ରହଣ କରି ସେମାନଙ୍କ ପ୍ରାଥମିକତା ଆଧାରରେ କାର୍ଯ୍ୟ ଆରମ୍ଭ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
Comments are closed.