Latest Odisha News

BREAKING NEWS

ବାତ୍ୟା ବିପର୍ଯ୍ୟୟ; ୧୫ ଜୁନ ପର୍ଯ୍ୟନ୍ତ ୯୫ ଟ୍ରେନ୍ ରଦ୍ଦ, ପ୍ରବଳ ପବନରେ ୩ ମୃତ

ଗାନ୍ଧୀନଗର: ବାତ୍ୟା ବିପର୍ଯ୍ୟୟକୁ ଯେତେ ପାଖକୁ ପାଖକୁ ଆସୁଛି ସେତେ ତାଣ୍ଡବର ଭୟ ମାଡି ଆସୁଛି । ସୌରାଷ୍ଟ୍ର ପ୍ରବଳ ପବନ ଯୋଗୁ ୩ ଜଣଙ୍କର ମୃତ୍ୟୁ ହୋଇଛି।

ଭୁଝ ଟାଉନ୍‌ରେ ପ୍ରବଳ ପବନ ଯୋଗୁ କାନ୍ଥ  ଭୁଶୁଡ଼ି ପଡ଼ିବାରୁ ଜଣେ ୪ ବର୍ଷର ନାବାଳକ ଓ ୬ ବର୍ଷର ନାବାଳିକାଙ୍କର ମୃତ୍ୟୁ ହୋଇଛି। ସେହିପରି ରାଜକୋଟର ଜାସଦନ ବ୍ଲକ୍‌ରେ ସ୍ୱାମୀସ୍ତ୍ରୀ ସ୍କୁଟ୍‌ରେ ଯାଉଥିବା ବେଳେ ଗଛ ଉପୁଡ଼ି ଉପରେ ପଡ଼ିବାରୁ ମହିଳାଙ୍କର ମୃତ୍ୟୁ ହୋଇଛି।

ବାତ୍ୟା ନେଇ ସତର୍କତା ପଦକ୍ଷେପ ଆରମ୍ଭ କରି ଦେଇଛନ୍ତି ଗୁଜରାଟ ସରକାର। ଉପକୂଳରେ ପାଟ୍ରୋଲିଂ ବଢ଼ାଇବା ସହିତ ତଳିଆ ଅଞ୍ଚଳ ଲୋକମାନଙ୍କୁ ସତର୍କ କରାଯାଇଛି। ବାତ୍ୟା ପ୍ରଭାବିତ କଚ ଓ ଦ୍ୱାରିକା ଜିଲ୍ଲାର ତଳିଆ ଅଞ୍ଚଳରୁ ପାଖାପାଖି ୧୨ ହଜାର ଲୋକଙ୍କୁ ଉଦ୍ଧାର କରିବାକୁ ଚିହ୍ନଟ କରାଯାଇଛି। ମଙ୍ଗଳବାର ରାତି ସୁଦ୍ଧା ଏମାନଙ୍କୁ ଉଦ୍ଧାର କରାଯିବ ବୋଲି ସୂଚନା ମିଳିଛି।  ଏହି ଦୁଇ ଜିଲ୍ଲାରେ ବାତ୍ୟା ସର୍ବାଧିକ ପ୍ରଭାବ ପକାଇବ ବୋଲି କୁହାଯାଉଛି

ବାତ୍ୟାକୁ ଦେଖି ପଶ୍ଚିମ ରେଳବାଇ ପକ୍ଷରୁ ୯୫ ଟି ଟ୍ରେନ୍ ବାତିଲ୍ କରାଯାଇଛି। ଯେଉଁ ଯାତ୍ରୀମାନେ ଟିକେଟ୍ କରିଥିଲେ ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି ରେଳବାଇ ସୂଚନା ଦେଇଛି। ସୋମବାର ରେଳବାଇ ପକ୍ଷରୁ ପ୍ରତିକ୍ରିୟା ଜାରି କରି ଏହି ସୂଚନା ଦିଆଯାଇଛି।

ପଶ୍ଚିମ ରେଳବାଇ କହିଛି “ ପଶ୍ଚିମ ରେଳବାଇ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ଥିବା ଯାତ୍ରୀମାନଙ୍କ ସୁରକ୍ଷା ଓ ସତର୍କତା ମୂଳକ ପଦକ୍ଷେପ ମଧ୍ୟ ନିଆଯାଇଛି।”
ଜୁନ ୧୫ ତାରିଖରେ ଗୁଜରାଟର କଚ୍‌ ଠାରେ ବାତ୍ୟା ସ୍ତଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁନ ୧୫ ଓ ୧୬ ତାରିଖରେ ଗୁଜରାଟ ସୌରାଷ୍ଟ୍ର କଚ୍‌ରେ ମୂଶଳ ଧାରାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବାତ୍ୟା ସମୀକ୍ଷା ବୈଠକ କରିଛନ୍ତି। ପ୍ରଭାତି ଏରିଆରୁ ଲୋକମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.