Latest Odisha News

ବିଦ୍ୟୁତ କାଟକୁ ନେଇ ବର୍ଷିଲେ ଧର୍ମେନ୍ଦ୍ର; କହିଲେ, ଏହା ସରକାରଙ୍କ ଶାସନଗତ ବିଫଳତାର ଚରମ ନିଦର୍ଶନ

ଭୁବନେଶ୍ୱର: ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହେଉଛି ।  କିନ୍ତୁ ଦୀପ ତଳ ଅନ୍ଧାର ପରି ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉଛି । ଏମିତି କହି  ଗଣମାଧ୍ୟମରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଓଡ଼ିଶାରେ କିଛି ଦିନ ହେଲା ବିଚିତ୍ର କଥା ଦେଖିବାକୁ ମିଳୁଛି । ଶକ୍ତି ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଜେଡି ନେତାଙ୍କର ପରସ୍ପର ବିରୋଧୀ ବକ୍ତବ୍ୟ ଶୁଣିବାକୁ ମିଳୁଛି । ଏହା ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ସବୁଠୁ ଚରମ ନିଦର୍ଶନ । ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୁଏ ଓ ଲୋକ ମାନେ ଆଲୋକ ପାଆନ୍ତି ।  ଓଡ଼ିଶାରେ ଏତେ ପରିମାଣରେ କୋଇଲା ଓ ଜଳ ବିଦ୍ୟୁତ୍ ପ୍ରକଳ୍ପ ଥିବା ପରେ ବି ଅବ୍ୟବସ୍ଥା ଏବଂ ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଲୋକ ହଇରାଣ ହେଉଛନ୍ତି । ଓଡ଼ିଶାରେ ଶାସନ ବିଫଳ ହୋଇଛି । ଶାସକ ଦଳର ନିର୍ବାଚିତ ପ୍ରତିନିଧିମାନେ ତାଙ୍କ କାମରେ ନାହାନ୍ତି । ଯେଉଁମାନେ ସମ୍ଭାଳିବା କଥା ସେମାନେ ପ୍ରଚାର ଧର୍ମୀ କାମରେ ଲାଗିଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ବକ୍ତବ୍ୟ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯଦି ଶାସନ ମୁଖ୍ୟ, ଶାସନ ବ୍ୟବସ୍ଥା ହୁଗୁଳି ଗଲା ପରେ ଚଳିବନି ବୋଲି କହିବେ, ତେବେ କିଏ ଚଲାଇବ ? ଶକ୍ତି ମନ୍ତ୍ରୀ ବିତଣ୍ଡା ତର୍କ ବାଢ଼ଛନ୍ତି । ମନ୍ତ୍ରୀ ଓ ସଚିବ ମାନଙ୍କ ବକ୍ତବ୍ୟରେ ତାଳମେଳ ନାହିଁ । ତେଣୁ ଏହା ଏକ ବିପର୍ଯ୍ୟସ୍ତ ପରିସ୍ଥିତି ଆଡ଼କୁ ଯାଉଛି । ଯେଉଁ କମ୍ପାନୀକୁ ବିଜୁଳି ବିତରଣ ଦାୟିତ୍ଵ ଦେଇଛନ୍ତି, ତାଙ୍କ ସହ ଲୋକଙ୍କୁ ନିରନ୍ତର ବିଜୁଳି ବିତରଣ ହେବା ନେଇ ସରକାର ନିଶ୍ଚିତ ଭାବେ ଚୁକ୍ତି କରିଥିବେ । ତେଣୁ ଯେଉଁ ଚୁକ୍ତି କରିଯାଇଛି ତାକୁ କ୍ରିୟାନ୍ଵୟନ କରାଯାଉ ।  ଯଦି ଶାସନରେ ଥିବା ବ୍ୟକ୍ତିମାନେ ଭାବୁଛନ୍ତି ଓଡ଼ିଆ ଲୋକ ଏତେ ସରଳ ଓ ବୋକା ବୋଲି , ତାହେଲେ ଏହା ଗଣତନ୍ତ୍ର ପାଇଁ ଏହା ଭଲ ଲକ୍ଷଣ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Comments are closed.