ବାଲିଚନ୍ଦ୍ରପୁର:ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ନଳିପୁର ପଞ୍ଚାୟତର ସେକ୍ ମହଲା ଗାଁରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଘର ପୋଡ଼ିଯିବା ସହ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ମହିଳା ଓ ଦୁଇ ଶିଶୁ ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ନିଆଁ ଲାଗିବାର ସ୍ପଷ୍ଟ କାରଣ ଏଯାଏଁ ଜଣାପଡ଼ିନି । ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳିପୁର ପଞ୍ଚାୟତର ସେକ୍ ମହଲାରେ ରହୁଥିବା ସେକ୍ ନିଜାମ ଉଦ୍ଦିନଙ୍କ ଘରେ ଶନିବାର ରାତି ପ୍ରାୟ ୮ଟା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା। ଫଳରେ ଘରର ୪ ବଖରା ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡରେ ନିଜାମ ଉଦ୍ଦିନଙ୍କ ବଡ଼ବୋହୂ, ବିବାହିତ ଝିଅ, ୧୦ ବର୍ଷର ନାତୁଣୀ ଏବଂ ମାତ୍ର ୮ ମାସର ନାତିଙ୍କ ମୃତ୍ୟୁ ଘଟିଛି। ପରିବାରର ଅନ୍ୟ ଜଣେ ସଦସ୍ୟ ୨୨ ବର୍ଷୀୟ ଯୁବକଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖବର ପାଇ ଚଣ୍ଡିଖୋଲ ଓ ବାଲିଚନ୍ଦ୍ରପୁର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ।
