ଭୁବନେଶ୍ୱର:ଓଲିଉଡରେ ପୁଣି ସାମ୍ନାକୁ ଆସିଲା କାଷ୍ଟିଂକାଉଚ ଅଭିଯୋଗ । ଅଳ୍ପଦିନ ତଳେ ଅଭିନେତ୍ରୀ ଯସ୍ମିନ ରଥ ଏମିତି ଅଭିଯୋଗ ଆଣିଥିବାବେଳେ ତାଙ୍କ ସମର୍ଥନ କରିଥିଲେ ପ୍ରକୃତି ମିଶ୍ର । ଏବେ ଆଉଜଣେ ଅଭିନେତ୍ରୀ ସମାନ ଅଭିଯୋଗ ଆଣିଛନ୍ତି । ଏଇ ଅଭିନେତ୍ରୀ ଜଣକ ହେଉଛନ୍ତି ରପଶ୍ରୀ ପଣ୍ଡା। ସେ କହିଛନ୍ତି, ସିରିଏଲରେ କାମ ଦେବାକୁ କମ୍ପର୍ମାଇଜ ସର୍ତ୍ତ ରଖାଯାଇଥିଲା । ହେଲେ ସେ ସର୍ତ୍ତ ନ ରଖିବାରୁ ତାଙ୍କୁ ବାଦ୍ ଦିଆଗଲା ।
ଖାଲି ଝିଅ ନୁହେଁ, ପୁଅ ବି ଏଠି କାଷ୍ଟିଂ କାଉଚର ଶିକାର ହେଉଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବରୁ କାଷ୍ଟିଂ କାଉଚ୍ ସମ୍ପର୍କରେ କେହି କହୁନଥିଲେ । ହେଲେ ଏବେ ଏ ସବୁ ସମସ୍ତେ ଖୋଲାଖୋଲି ଅଭିଯୋଗ କରୁଛନ୍ତି । ସେ ଆହୁରି କହିଛନ୍ତି, ଅସଦାଚରଣ ପାଇଁ ସେ ଜଣେ ପ୍ରଯୋଜକଙ୍କୁ ମାଡ ମାରିଥିବା କଥା ବି କହିଛନ୍ତି ।
ଏଠି ମନେ ପକେଇଦେବାକୁ ଚାହିଁବୁ, କିଛିଦିନ ତଳେ ଅଭିନେତ୍ରୀ ଜସ୍ମିନ ରଥ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ଏହିପରି ସାଂଘାତିକ ଅଭିଯୋଗ ଆଣିଥିଲେ । ଏହାର ଏକ ହ୍ୱଟସଅପ ଚାଟିଂ ଭାଇରାଲ ହୋଇଥିଲା । ଭାଇରାଲ ହୋଇଥିବା ହ୍ୱାଟସଅପ ଚାଟିଂରେ ଅଭିନେତ୍ରୀ ଜସ୍ମିନ ରଥ ଲେଖିଛନ୍ତି- ସୁଟିଂ ପରେ ତାଙ୍କୁ ବିଳମ୍ବିତ ରାତିରେ ଡକାଯାଉଛି । ଏପରିକି ଏହି ନିମନ୍ତ୍ରଣ ରକ୍ଷା ନ କରିବାରୁ ତାଙ୍କୁ ପରଦିନ ଫିଲ୍ମ ପ୍ରୋଜେକ୍ଟରୁ ବାହାର କରି ଦିଆଯାଇଛି । ସେ ଆହୁରି ଲେଖିଛନ୍ତି, ଅନସ୍କ୍ରିନ ବା ସିନେ ପରଦାରେ ସେ ଚୁମ୍ବନ ଦେବେ ନା ନାହିଁ, ସେ ସମ୍ପର୍କରେ ପଚରା ଯାଉଛି । ହେଲେ ଏମିତି ପ୍ରଶ୍ନ କେତେଦୂର ଠିକ ବୋଲି ସେ ପ୍ରଶ୍ନ କରିଥିଲେ।
ଏପରି ଅଭିଯୋଗକୁ ପ୍ରକୃତି ମିଶ୍ର ସମାଲୋଚନା କରିବା ସହ ଜସ୍ମିନଙ୍କୁ ସମର୍ଥନ କରିଥିଲେ । ସେତିକି ନୁହେଁ, ଜୁନ ୧୦ ତାରିଖିରେ ସେ ମୁମ୍ବାଇର ଅନ୍ଧେରୀ ୱେଷ୍ଟର ଦାଦା ଭାଇ ନଗର ପୋଲିସ ଷ୍ଟେସନରେ ସଞ୍ଜୟଙ୍କ ବିରୋଧରେ ଏତଲା ଦେଇଥିଲେ । ସଞ୍ଜୟଙ୍କ ବିରୋଧରେ ପ୍ରକୃତି ଅପରାଧିକ ସହ ମାନହାନି କରିଥିବା ଜଣାଯେଇଛି ।
Comments are closed.