Latest Odisha News

ଅଧାବାଟରେ ଅଟକି ଥିଲା ଦୁଇ ରଥ ; ଆଜି ପୁଣି ଗୁଣ୍ଡିଚାଘର ଅଭିମୁଖେ ଗଡ଼ିଲା ଦର୍ପଦଳନ ଓ ନନ୍ଦିଘୋଷ

ପୁରୀ: ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନବଦିନ ଯାତ୍ରାର ଆଜି ୨ୟ ଦିନ । ଜନ୍ମବେଦୀକୁ ବାହାରିଥିବାବେଳେ ଅଧାବଟରେ ଅଟକି ଯାଇଥିଲେ ତିନି ଠାକୁର । ଆଜି ସକାଳୁ ସକାଳୁ ପୁଣି ଆରମ୍ଭ ହୋଇଛି ରଥଟଣା ।   ବଡଶଙ୍ଖରେ ଦର୍ପଦଳନ ଅଟକିଥିବାବେଳେ ଗଳଗଣ୍ଡି ଛକରେ ଅଟକି ଯାଇଥିଲା ନନ୍ଦିଘୋଷ  । ଆଜି ସକାଳୁ ସକାଳୁ  ଦେବୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ଟାଣି ନେଉଛନ୍ତି ଭକ୍ତ ।

ଗତକାଲିଠାରୁ ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ଯାଇଛି । ବଡଦାଣ୍ଡରେ ୨ ରଥ ଏବଂ ଶରଧାବାଲିରେ ଗୋଟିଏ ରଥ । ରଥ ଉପରେ ଠାକୁରଙ୍କୁ ଦେଖିବା ପାଇଁ ଭକ୍ତଙ୍କର ଭିଡ ଲାଗିଛି ।  ଅନ୍ୟପଟେ ଶରଧାବାଲିରୁ ବଳଗଣ୍ଡି ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି  ।   ଭଜନ କୀର୍ତ୍ତନରେ କମ୍ପୁଛି ବଡଦାଣ୍ଡ । ଯେମିତି ପୁରୀର ମାଟିରୁ ଆକାଶ ସବୁଆଡ  ଭକ୍ତିମୟ ପରିବେଶ  ।   ଘଣ୍ଟନାଦ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହେଉଛି ପୂରା ପରିବେଶ ।

ଗତକାଲି ରଥଯାତ୍ରା ସୁରୁଖୁରୁରେ ହୋଇଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଭୁଙ୍କର ନୀତିକାନ୍ତି ବି ସରିଥିଲା । ଅପରାହ୍ନ ୪ଟାରେ ରଥଟଣା ହେବ ବୋଲି ପୂର୍ବରୁ ନୀତି ନିର୍ଘଣ୍ଟ ହୋଇଥିଲେ ହେଁ ତାହାର ପ୍ରାୟ ୧ ଘଣ୍ଟା ପୂର୍ବରୁ ରଥଟଣା ହୋଇଥିଲା । ତଥାପି ତିନି ରଥ ଶରଧାବାଲିରେ ପହଞ୍ଚି ପାରି ନ ଥିଲା । କେବଳ ବଳଭଦ୍ରଙ୍କ ତାଳଧ୍ୱଜ ହିଁ ପହଞ୍ଚି ପାରିଥିଲା । ତେଣୁ ଆଜି ସକାଳୁ ସକାଳୁ ଦର୍ପଦଳନ ଓ ନନ୍ଦିଘୋଷକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ଭକ୍ତ ।

Comments are closed.