ମୁମ୍ବାଇ:‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ହେଲେ ଫିଲ୍ମ ରିଲିଜ୍ ହେଉ ହେଉ ବିବାଦ ଦେଖାଦେଲା । ଏହି ଫିଲ୍ମକୁ ଭାରତ ସମେତ ନେପାଳରେ ବି ବିରୋଧ କରାଯାଇଛି । ସେଠାରେ ଫିଲ୍ମକୁ ବ୍ୟାନ କରିବା ପାଇଁ କାଠମାଣ୍ଡୁର ମେୟର ବାଲାନ ଶାହା ଘୋଷଣା ବି କରିସାରିଛନ୍ତି । ଫିଲ୍ମ ନିର୍ମାତା ଏକ ଚିଠି ଲେଖି ନେପାଳ ବାସିନ୍ଦାଙ୍କୁ କ୍ଷମା ମାଗିଛନ୍ତି ।
‘ଆଦିପୁରୁଷ’ ଫିଲ୍ମରେ ମାତା ସୀତାକୁ ଭାରତର ଝିଅ ବୋଲି କୁହାଯାଇଛି । ଏକ ସଂଳାପକୁ ନେଇ ଫିଲ୍ମ ନିର୍ମାତା କାଠମାଣ୍ଡୁର ମେୟର ବାଲାନ ଶାହାଙ୍କୁ କ୍ଷମା ମାଗିଛନ୍ତି । ନିର୍ମାତା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଫିଲ୍ମରେ ଯାହା ସବୁ ଛୋଟ ଛୋଟ ଭୁଲ ହୋଇ ଜାଣିବୁଝି କରାଯାଇ ନାହିଁ । ଯାହାବି ତ୍ରୁଟି ଅଛି ତାହାକୁ ସଂଶୋଧନ କରି ଦେବୁ । ଯଦି ଆମେ ନେପାଳ ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇଛୁ, ସେଥିପାଇଁ କ୍ଷମା ମାଗୁଛୁ । କଳ୍ପନାତ୍ମକ ଭାବରେ ସିନେମା ଦେଖନ୍ତୁ । ଆମ ଇତିହାସ ପ୍ରତି ଆଗ୍ରହ ବଜାୟ ରଖନ୍ତୁ । ଅଧିକରୁ ଅଧିକ ଦର୍ଶକଙ୍କ ନିକଟରେ ସିନେମାକୁ ପହଞ୍ଚାଇବା ପାଇଁ ଅନୁରୋଧ କରୁଛୁ ।
ଫିଲ୍ମରେ ସୀତାଙ୍କ ଜନ୍ମସ୍ଥାନ ବିହାରର ସୀତାମାରୀ ଜିଲ୍ଲାରେ ହୋଇଥିବା ଦର୍ଶାଯାଇଛି । କିନ୍ତୁ ନେପାଳ ସରକାର ସୀତାଙ୍କ ଜନ୍ମ ନେପାଳର ଜନକପୁରରେ ହୋଇଥିଲା ବୋଲି ଦାବି କରିଛନ୍ତି । କିନ୍ତୁ ଫିଲ୍ମରେ ସୀତାଙ୍କୁ ଭାରତର ଝିଅ ବୋଲି କୁହାଯାଉଛି । ଏହା ଆଦୌ ଗ୍ରହଣୀୟ ନୁହେଁ ।
Comments are closed.