Latest Odisha News

ମହାନଦୀ ଜଳବିବାଦ: ଟ୍ରିବ୍ୟୁନାଲର କାର୍ଯ୍ୟକାଳ ବୃଦ୍ଧି କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ବଢ଼ିଲା ମହାନଦୀ ଜଳବିବାଦ ପାଇଁ ଗଠିତ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଅବଧି। କେନ୍ଦ୍ର ସରକାର ଦୁଇ ବର୍ଷ ପାଇଁ ଏହି ଅବଧି ବଢାଇଛନ୍ତି। ୨୦୨୬ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସୃଷ୍ଟି ହୋଇଥିବା ଜଳ ବିବାଦର ସମାଧାନ ପାଇଁ ୨୦୧୮ରେ ଏହି ଟ୍ରିବ୍ୟୁନାଲ ଗଠନ ହୋଇଥିଲା।

ଟ୍ରିବ୍ୟୁନାଲକୁ ୨୦୨୧ ମାର୍ଚ୍ଚ ୧୧ ସୁଦ୍ଧା ତିନି ବର୍ଷ ମଧ୍ୟରେ ରିପୋର୍ଟ ଓ ନିଷ୍ପତ୍ତି ପ୍ରଦାନ କରିବାକୁ ଥିଲା। କିନ୍ତୁ ଏହା ସମ୍ଭବ ହୋଇପାରିନଥିଲା ଏବଂ ଅବଧି ବୃଦ୍ଧି ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଥିଲା। ଏହାପରେ କେନ୍ଦ୍ର ସରକାର ଏହାକୁ ଦୁଇ ବର୍ଷ ପାଇଁ ୨୦୨୩ ମାର୍ଚ୍ଚ ୧୧ ଯାଏ ବୃଦ୍ଧି କରିଥିଲେ।

କୋଭିଡ୍-୧୯ ମହାମାରୀ ଯୋଗୁଁ ଟ୍ରିବ୍ୟୁନାଲ ପୁଣି ଧାର୍ଯ୍ୟ ସମୟ ସୀମା ପୂରଣ କରିବାରେ ଅସମର୍ଥ ହୋଇଥିଲା। ଏହା ପରେ ମାର୍ଚ୍ଚ ୨୦୨୦ରୁ ଜୁନ୍ ୨୦୨୧ ଯାଏ ସମୟକୁ କାର୍ଯ୍ୟକ୍ଷମ ନ କରିବାକୁ ବିଚାର କରିବାକୁ କେନ୍ଦ୍ରକୁ ଅନୁରୋଧ କରିବା ସହ ଆଉ ଏକ ଅବଧି ବୃଦ୍ଧି ପାଇଁ ଅନୁରୋଧ କରାଯାଇଥିଲା।

ଏବେ ଜଳଶକ୍ତି ମନ୍ତ୍ରାଳୟ ଟ୍ରିବ୍ୟୁନାଲକୁ ରିପୋର୍ଟ ଦେବା ପାଇଁ ସମୟ ସୀମାକୁ ୨୦୨୬ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

ପ୍ରଥମେ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଥିଲେ। କମିଟିର ଆଉ କୌଣସି ବୈଠକ ଫଳପ୍ରଦ ହେବ ନାହିଁ ବୋଲି ୨୦୧୭ ମେ’ରେ ହୃଦବୋଧ ହୋଇଥିଲା। ଏହାପରେ ୨୦୧୮ ମାର୍ଚ୍ଚ ୧୨ରେ କେନ୍ଦ୍ର ସରକାର ମହାନଦୀ ଓ୍ବାଟର ଡିସପୁଟ ଟ୍ରିବ୍ୟୁନାଲ ଗଠନ କରିଥିଲେ।

ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଜଳ ବିବାଦରେ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ବୃଦ୍ଧି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା। ଟ୍ରିବ୍ୟୁନାଲଙ୍କ ରିପୋର୍ଟରେ ଦୁଇ ରାଜ୍ୟ ମଧ୍ୟରେ ନଦୀ ପାଣିକୁ ନେଇ ଯେଉଁ ବିବାଦ ରହିଛି ତାହା ସମାଧାନ ହେବ ବୋଲି ଆଶା କରାଯାଉଛି ।

Comments are closed.