Latest Odisha News

BREAKING NEWS

ଧୋଇଗଲା ଅସ୍ଥାୟୀ ରାସ୍ତା, କେମିତି ଧବଳେଶ୍ୱର ଦର୍ଶନ କରିବେ ଭକ୍ତ ?

ଆଠଗଡ଼: ଓଡ଼ିଶା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଝୁଲାପୋଲ ବନ୍ଦ ଥିବାରୁ ଲୋକେ ନୂଆ କରି ତିଆରି ହୋଇଥିବା ଏକ ଅସ୍ଥାୟୀ ରାସ୍ତା ଦେଇ ମହାଦେବ ଦର୍ଶନ କରୁଥିଲେ।  ହେଲେ ମହାନଦୀ ପାଣି ସବୁ ବିଗାଡ଼ି ଦେଲା। ପାଣିସୁରେ ଅସ୍ଥାୟୀ ରାସ୍ତା ଧୋଇଯିବାରୁ ଶ୍ରଦ୍ଧାଳୁମାନେ ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ସୂଚନା ମିଳିଛି। ଝୁଲାପୋଲ ବନ୍ଦ ଥିବାରୁ ଅସ୍ଥାୟୀ ରାସ୍ତାରେ ଭକ୍ତମାନେ ଯାତାୟତ କରୁଥିଲେ।

ସୂଚନା ଥାଉକି, ଦୀର୍ଘ ୭ ମାସରୁ ଅଧିକ ସମୟ ହେଲାଣି ଧବଳେଶ୍ୱରକୁ ଯିବାକୁ ରାସ୍ତା ବନ୍ଦ ହୋଇପଡ଼ିଛି। ସ୍ୱାଭାବିକ ରାସ୍ତା ନଥିବାରୁ ଶ୍ରଦ୍ଧାଳୁମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ତେବେ ଯେଉଁ ଗୋଟିଏ ଅସ୍ଥାୟୀ ରାସ୍ତା ଥିଲା ତାହା ବି ପାଣିରେ ଧୋଇଗଲା।  ହେଲେ ପ୍ରଶାସନିକ ନିଦାବିଷ୍ଣୁ ସାଜିଥିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଶନ୍ତୋଷ ଦେଖା ଦେଇଛି। ଝୁଲା ପୋଲକୁ ବନ୍ଦ ଥିବା ବେଳେ ମହାନଦୀରେ ଡଙ୍ଗାରେ ଯିବା ବି ବନ୍ଦ କରାଯାଇଛି। ଏଭଳି ସ୍ଥିତିରେ ମହାନଦୀରେ ନିର୍ମିତ ଅସ୍ଥାୟୀ ରାସ୍ତା ଦେଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବାର ସୁଯୋଗ ରହିଛି।

ଏତିକି ବର୍ଷାରେ ରାସ୍ତା ଧୋଇଯିବା ବେଳେ ଆଗକୁ ଶ୍ରାବଣ ମାସ ଆସୁଛି। ସବୁ ରାସ୍ତା ଯଦି ବନ୍ଦ ହୋଇଯାଏ ତେବେ ଶ୍ରଦ୍ଧାଳୁ ମନ୍ଦିରକୁ କେଉଁ ବାଟେ ଯିବେ, ତାକୁ ନେଇ ଚିନ୍ତା ବଢ଼ିଛି। ଝୁଲା ପୋଲ ମରାମତି ହେଉନି କି ପୀଠକୁ କଂକ୍ରିଟ ପୋଲ କାମ ସରୁନି। ଗଲା ମାର୍ଚ୍ଚ ମାସ ସୁଦ୍ଧା କଂକ୍ରିଟ ପୋଲ କାମ ସରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ବାସ୍ତବରେ ଏବେ ବି ପୋଲ କାମ ସରିବାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ତେଣୁ ବାବା ଧବଳେଶ୍ୱର ଦର୍ଶନ ନେଇ ଶ୍ରଦ୍ଧାଳୁ ଚିନ୍ତାରେ ।

Comments are closed.