Latest Odisha News

ତିନି ରଥରେ ଲାଗିହେଲା ଅଧରପଣା, ଆଜି ନିଳାଦ୍ରୀ ବିଜେ

ପୁରୀ: ରଥଯାତ୍ରା ସହିତ ଜଡିତ ଆକର୍ଷଣୀୟ ରୀତିନୀତି ଗୁଡିକ ମଧ୍ୟରେ ରହିଛି ‘ଅଧର ପଣା’। ଶୁକ୍ରବାର  ସିଂହଦ୍ୱାର ନିକଟରେ ଛିଡା ହୋଇଥିବା ତିନି ରଥରେ ଏହି ଅଧରପଣା ନୀତି ପାଳନ କରାଯାଇଛି। ଏହି ଅନନ୍ୟ ବିଧି ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ, ନୀଳାଦ୍ରି ବିଜେ ପୂର୍ବରୁ ଓ ସୁନାବେଶ ପରେ ପାଳନ କରାଯାଏ। ଗତକାଲି ଅଧରପଣା ଶେଷ ହୋଇଥିବା ବେଳେ ଆଜି ନିଳାଦ୍ରୀ ବିଜେ। ଏହାପରେ ଶ୍ରୀଜିଉ ପୁଣି ରତ୍ନସିଂହାସନକୁ ଫେରିଯିବେ। ଆଉ ସ୍ବାଭାବିକ ଭାବେ ମନ୍ଦିର ଭିତରେ ନିଜ ଭକ୍ତଙ୍କୁ ଦର୍ଶନ ଦେବେ।

ଏହି ରୀତିନୀତିର ବିଶେଷତ୍ୱ ହେଉଛି ପ୍ରତ୍ୟେକ ଦେବତାଙ୍କୁ ନିଜ ନିଜ ରଥରେ ତିନୋଟି ବିଶାଳ ମାଟିର ପାତ୍ରରୁ ଏକ ମିଠା ପାନୀୟ ପ୍ରଦାନ କରାଯାଇଥାଏ ଏବଂ କୌଣସି ଭକ୍ତ ଏହାକୁ ଚାଖିବା ପାଇଁ ଅନୁମତି ଦିଆଯାଏ ନାହିଁ। ବହୁ ବର୍ଷର ପରମ୍ପରା ଅନୁଯାୟୀ କୁମ୍ଭାରପଡ଼ାର କୁମ୍ଭାରମାନେ ଏହି ପାତ୍ର ତିଆରି କରିବା ସହ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଓ ବଡ ଓଡିଆ ମଠ ପକ୍ଷରୁ ଏହାର ବ୍ୟବସ୍ଥା କରାଯାଇଥାଏ।

ପ୍ରତ୍ୟେକ ପାତ୍ରରେ କ୍ଷୀର, ଚିନି, କଦଳୀ ଏବଂ କିଛି ମସଲାରୁ ପ୍ରସ୍ତୁତ ପାନୀୟ ରହିଥାଏ। ପରମ୍ପରା ଅନୁୟାୟୀ ଶ୍ରୀମନ୍ଦିର ପ୍ରଶାସନ ଓ ରାଘବ ଦାସ ମଠ ପକ୍ଷରୁ ଏହି ପଣା ପ୍ରସ୍ତୁତ ପାଇଁ ସମସ୍ତ ସାମଗ୍ରୀର ବ୍ୟବସ୍ଥା କରାଯାଇଥାଏ। ଷୋଡଶ ଉପାଚାରା ପୂଜା ସରିବା ପରେ ଏହି ସୁବାସିତ ପାନୀୟକୁ ନିଜ ନିଜ ରଥରେ ଦେବାଦେବୀଙ୍କୁ ଅର୍ପଣ କରାଯାଇଥାଏ। ଦେବଦେବୀଙ୍କ ନିକଟରେ ଲାଗି ହେବା ପାଇଁ ମାଟି ପାତ୍ରକୁ ରଖାଯାଇଥାଏ।

ଦେବଦେବୀଙ୍କ ନିକଟରେ ଏହି ଅଧରପଣା ଲାଗି ହେବା ପରେ ସେବାୟତମାନେ ମାଟି ପାତ୍ରକୁ ଭାଙ୍ଗିଥାନ୍ତି, ଯାହା ଫଳରେ ପାଣି ଗୁଡିକ ରଥ ଉପରେ ଛିଟିକି ପଡ଼ିଥାଏ। ହାଣ୍ଡି ଭାଙ୍ଗିବା ପଛର ବିଶ୍ୱାସ ହେଉଛି ଏହି ପାନୀୟ ମଣିଷ ପାଇଁ ନୁହେଁ।

ଏହା କେବଳ ରଥ ଉପରେ ଥିବା ସହାୟକ ଦେବଦେବୀଙ୍କ ପାଇଁ ଯେଉଁମାନେ ଯାତ୍ରା ସମୟରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁରକ୍ଷା କରିଥାନ୍ତି। ଏହା ମଧ୍ୟ ବିଶ୍ୱାସ ରହିଛି ଯେ, ଦୁଷ୍ଟ ଆତ୍ମା, ପ୍ରେତ ଶରୀର ଏବଂ ଅସନ୍ତୁଷ୍ଟ ଆତ୍ମାମାନେ ମୋକ୍ଷ ପ୍ରାପ୍ତି ପାଇଁ ଏହାକୁ ସେବନ କରିଥାନ୍ତି।

Comments are closed.