Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନିକ ନୀତି ଚର୍ଚ୍ଚା ଭିତରେ ଦିନ ଯାଇ ରାତ୍ରିର ଆଗମନ ହୋଇଛି। ନିତ୍ୟ -ବିଧିର ଏକ ଆକର୍ଷଣ ସନ୍ଧ୍ୟା ଆଳତି ମଧ୍ଯ ସରିଯାଇଛି। ଏବେ ଅପେକ୍ଷା ସନ୍ଧ୍ୟା ଧୂପକୁ ଯାହା ପୁରୀ ବୋଲିରେ ସଁଧୂପ ଭାବେ ପରିଚିତ। ଏହି ଧୂପ ପାଇଁ ଶ୍ରୀମନ୍ଦିର ସତ୍ୱଲିପିରେ ନିର୍ଦ୍ଦେଶିତ ସମୟ ହେଉଛି ରାତ୍ର ୭ ଘଣ୍ଟା ରୁ ୮ ଘଣ୍ଟା ମଧ୍ୟରେ। ଠିକ ସକାଳ ଧୂପ ପରି ଏହି ଧୂପରେ ମଧ୍ଯ ତିନି ଜଣ ପୂଜାପଣ୍ଡା ଭୋଗ ପୂଜା କରନ୍ତି। ବଡ଼ବାଡ଼ର ଶ୍ରୀବଳଭଦ୍ରଙ୍କୁ ଜଣେ, ମା ସୁଭଦ୍ରାଙ୍କୁ ମଧ୍ଯ ଜଣେ ପୂଜାପଣ୍ଡା ଭୋଗ ପୂଜା କରୁଥିବା ବେଳେ ଶ୍ରୀଜଗନ୍ନାଥଙ୍କୁ ଯେଉଁ ପୂଜାପଣ୍ଡା ଭୋଗ ପୂଜା କରନ୍ତି, ସେ ଏକାସାଙ୍ଗରେ ସୁଦର୍ଶନ, ଶ୍ରୀଦେବୀ ଓ ଭୁଦେବୀଙ୍କୁ ମଧ୍ଯ ଭୋଗ ପୂଜା ଅର୍ପଣ କରନ୍ତି। କିନ୍ତୁ ରତ୍ନ ସିଂହାସନ ଉପରେ ଥିବା ମାଧବ ମୂର୍ତ୍ତିଙ୍କୁ ସ୍ୱତନ୍ତ୍ର ପୂଜା ହୁଏନି। କାରଣ ସେ ଶ୍ରୀଜଗନ୍ନାଥଙ୍କ ପ୍ରତୀକ ହିସାବରେ ପରିଗଣିତ ହୁଅନ୍ତି ।

ସିଂହାସନ ତଳେ ପୋଖରୀଆରେ ଭୋଗ ବଢ଼ାଯାଏ ଓ ପୂଜାପଣ୍ଡାମାନେ ସିଂହାସନ ଉପରେ ବସି ଷୋଡଶ ଉପଚାରରେ ଭୋଗ ପୂଜା କରନ୍ତି। ଏହି ଧୂପରେ ଚୂପୁଡ଼ା ପଖାଳ, ପାଣି ପଖାଳ, ସାକରା, କଅଁଳ ପୁଳି, ମାଠ ପୁଳି ଓ ବିଭିନ୍ନ ପ୍ରକାର ଅମlଲୁ ଭୋଗ ହୋଇଥାଏ। ଏହି ଧୂପ ପରେ ପୂଜାପଣ୍ଡାମାନେ ଆରତି କରିଥାନ୍ତି ଏହି ଆରତି କୁ “ଜୟମଙ୍ଗଳ ଆରତି ” କୁହାଯାଏ। ଏଥିରେ ମଧ୍ଯ କର୍ପୁର ଆଳତି, ଏକୋଇଶି ବତୀ ଆଳତି, ପିଠାଉ ଆଳତି ହୋଇଥାଏ। ଏହି ନୀତି ସହ ସମ୍ପୃକ୍ତ ସେବକମାନେ ହେଲେ :-ପୂଜାପଣ୍ଡା, ସୁଆର ବଡୁ, ପ୍ରତିହାରୀ, ପ୍ରଧାନୀ, ପାଣିଆପଟ, ପାଳିଆ ମହାସୁଆର, ପନ୍ତି ବଡୁ, ପତ୍ରୀ ବଡୁ, ଗରାବଡୁ, ମୁଦୁଲି, ରୋଷ ପାଇକ, ଚାଙ୍ଗଡ଼ା ମେକାପ, ଚନ୍ଦନ ଘଟୁଆରୀ, ପାଳିଆ ମେକାପ, ପାଳିଆ ଖୁଣ୍ଟିଆ, ଗୋଛିକାର, ହଡପ ନାଏକ, ବିଡ଼ିଆ ଯୋଗାଣିଆ, ଘଣ୍ଟୁଆ, ବଜନ୍ତ୍ରୀ ଇତ୍ୟାଦି। ସନ୍ଧ୍ୟା ଧୂପ ପରେ ପୁଣି ଭକ୍ତମାନଙ୍କ ପାଇଁ ସlହlଣ ମେଲା ହେବା କଥା । କିନ୍ତୁ ନହୋଇ ପାରିଲେ ପୁଣି ମଇଲମ ଓ ଚନ୍ଦନଲାଗି ବେଶ ହୁଏ ଆଗାମୀ ଅଧ୍ୟାୟରେ ଏହି ବିଷୟରେ ଅଧିକ ଜାଣିବା। ଏବେ କିନ୍ତୁ ସମୟ ଆରାଧନା ଓ ଭାଗବତ ପଠନ ।

ସେ ନିତ୍ୟ ସନାତନ ହରି
ଅନନ୍ତ ଶକ୍ତି ଅଛି ଧରି ।
ପ୍ରଥମେ ଏକ ରୂପ ତାର
ଅନାଦି ଅବ୍ୟକ୍ତ ଈଶ୍ୱର ।
ସେ ନିଜ ଶକ୍ତିଭାବ ବଳେ
ଅଶେଷ ରୂପ ଏ ଶୟଳେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.