ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଉ ୧୩ ଜଣଙ୍କ ମୃତଦେହ ଶନିବାର ଚିହ୍ନଟ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଭୁବନେଶ୍ୱରସ୍ଥିତ ଏମ୍ସରେ ଥିବା ଶବ ଗୁଡିକ ମଧ୍ୟରୁ ବିହାରକୁ ୪ଟି, ପଶ୍ଚିମବଙ୍ଗକୁ ୮ଟି ଓ ଝାଡ଼ଖଣ୍ଡକୁ ଗୋଟିଏ ମୃତଦେହ ପଠାଯାଇଛି।
ପରିବାର ପାଇଁ ଆମ୍ବୁଲାନ୍ସ ଓ ଏସ୍କର୍ଟ ଗାଡିର ବ୍ୟବସ୍ଥା ଯଥାକ୍ରମେ ଓଡ଼ିଶା ସରକାର ଓ ପୂର୍ବତଟ ରେଳପଥ ପକ୍ଷରୁ କରାଯାଇଛି।ଡିଏନ୍ଏ ପରୀକ୍ଷା ଫଳ ଆଧାରରେ ଏବଂ ଏମ୍ସ ଭୁବନେଶ୍ୱର ମହାନଗର ନିଗମ ଓ ଜିଆରପିର ସମନ୍ୱୟରେ ମୃତଦେହଗୁଡ଼ିକୁ ଚିହ୍ନଟ କରାଯାଇଛି। ଏହାପୂର୍ବରୁ ୬ଟି ମର ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଭାରତୀୟ ରେଳବାଇ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିସାରିଛି। ଦାବିଦାର ନ ଆସିବା ଯାଏ ଶବ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିବ ବୋଲି ସୂଚନା ରହିଛି।
ଜୁନ ଦୁଇ ସଂଧ୍ୟାରେ ବାଲେଶ୍ୱର ବାହାନଗାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ୨୯୩ ଜଣଙ୍କର ଏଯାବତ ମୃତ୍ୟୁ ଘଟିଛି। ଅନେକ ମର ଶରୀର ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଶୁକ୍ରବାର ଡିଏନଏ ପରୀକ୍ଷା ରିପୋର୍ଟ ଆସିବା ପରେ ଏମ୍ସ ହସ୍ପିଟାଲରେ ଥିବା ମର ଶରୀରକୁ ଚିହ୍ନଟ କରାଯିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି।
Comments are closed.