Latest Odisha News

BREAKING NEWS

ରାଜଧାନୀରେ ଡେଙ୍ଗୁ ଆତଙ୍କ, ହଟସ୍ପଟ ପାଲଟିଛି ଏହି ସବୁ ଅଞ୍ଚଳ

ଭୁବନେଶ୍ୱର: ମୌସୁମୀ ଆଗମନ ସାଙ୍ଗକୁ ଓଡ଼ିଶାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୯ ତାରିଖ ସୁଦ୍ଧା ୧୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଙ୍ଖ୍ୟା ବୃଦ୍ଧି ପାଇଛି। ମୋଟ ଉପରେ ଟେଷ୍ଟ ପଜିଟିଭିଟି ହାର କମ୍ ରହିଛି, କିନ୍ତୁ ଏହି ସଂକ୍ରମଣକୁ ରୋକିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି।

ଡେଙ୍ଗୁ ରୋଗ ସୃଷ୍ଟି କରୁଥିବା ଏଡିସ ଇଜିପ୍ଟାଇ ମଶା କଠିନ ପୃଷ୍ଠଭାଗ ଥିବା ସ୍ୱଚ୍ଛ ଜଳରେ ବଂଶ ବିସ୍ତାର କରିଥାଏ। ନିଜ ଆଖପାଖରେ ଥିବା ଟାୟାର, ନଡିଆ ଖୋଳ, ପାତ୍ର, କୁଲର ଆଦିରୁ ପାଣି ଖାଲି କରିବାକୁ ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି। ଏଥିସହ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସବୁ ଜିଲ୍ଲା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସ୍ଓପି) ଜାରି କରାଯାଇଛି ବୋଲି ସେ କହିଛନ୍ତି। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଡାକ୍ତରଖାନା ଏବଂ ମେଡିକାଲ କଲେଜଗୁଡ଼ିକୁ ବେଡ, ଔଷଧ ଏବଂ ପ୍ଲେଟଲେଟ୍ ମହଜୁଦ ରଖିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ସଂକ୍ରମଣ ରୋକିବାକୁ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ମୋଟ୍ ଉପରେ ଏଯାବତ ୧୦ ହଜାର ୭୮୧ଟି ଡେଙ୍ଗୁ ପରୀକ୍ଷା ହୋଇଛି। ଖୋର୍ଦ୍ଦା ଜିଲ୍ଲାରୁ ୯୩ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ବରରୁ ୩୬ ଚିହ୍ନଟ ରହିଛନ୍ତି। ସେହିପରି ବାଲେଶ୍ବରରୁ ୧୦, କଟକ ୧୦, ଯାଜପୁର ୧୨ ଏବଂ ଅନ୍ୟ ଜିଲ୍ଲାରୁ ଅଳ୍ପ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଜଣଙ୍କ ଘର ରାଜ୍ୟ ବାହାରର ବୋଲି ଜଣାପଡ଼ିଛି।

ଭୁବନେଶ୍ୱରରୁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ଓ୍ବାର୍ଡ ପ୍ରସ୍ତୁତ ରଖାଯାଇଛି। ସେହିପରି ଟେଷ୍ଟ ପାଇଁ ୪ଟି କେନ୍ଦ୍ର ରଖାଯାଇଛି ବୋଲି ନଗର ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ନୟାପଲ୍ଲୀ, ଡୁମଡୁମା ଆଦି ଅଞ୍ଚଳ ହଟସ୍ପଟ ପାଲଟିଛି।

Comments are closed.