Latest Odisha News

BREAKING NEWS

ରାଜ୍ୟରେ ଅପରାଧକୁ ନେଇ ଚାଞ୍ଚଲ୍ୟ: ଅନଡ୍ୟୁଟି ଲେଡି ଆଇପିଏସଙ୍କୁ ଦୁର୍ବ୍ୟବହାର

କଟକ: ରାଜ୍ୟରେ ବଢିଚାଲିଛି ଅପରାଧ। ୨୪ ଘଣ୍ଟାରେ ୩ ସନ୍ଦେହଜନକ ମୃତ୍ୟୁ। ଏବେ ଅପରାଧ ନିୟନ୍ତ୍ରଣକୁ ନେଇ ଉଠିଛି ପ୍ରଶ୍ନ । ଅନ୍ୟପଟେ ଦୀପାବଳି ରାତିରେ କଟକରେ ମହିଳା ଆଇପିଏସ୍‌ ଅଧିକାରୀଙ୍କୁ ଦୁର୍ବ୍ୟବହାର ଘଟଣା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଅନଡ୍ୟୁଟି ଲେଡି ଆଇପିଏସଙ୍କୁ ଦୁର୍ବ୍ୟବହାର କରାଯାଇଛି। କଟକରେ ଉନ୍ମତ୍ତ ଆଚରଣକୁ ନେଇ ସାରା ରାଜ୍ୟରେ ଚାଞ୍ଚଲ୍ୟ।

ଦୀପାବଳି ରାତିରେ କଟକ ଲାଲବାଗ ଥାନା ଅନ୍ତର୍ଗତ ନୟାସଡ଼କ ଅଞ୍ଚଳରେ ବେଆଇନ ଭାବେ ବାଣ ଫୁଟାଇବାକୁ ବାରଣ କରିବାରୁ ପୋଲିସକୁ ଘେରିଥିଲେ କିଛି ଲୋକ। ଏହି ସମୟରେ ଏସିପି ଅନନ୍ୟା ଅୱସ୍ତିଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ୧୦ ଜଣଙ୍କୁ ଅଟକ ରଖିବା ପରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି କମିସନରେଟ୍‌ ପୋଲିସ ।

ସେପଟେ କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ପଧାନ ଗାଁର ଇଦ୍‌ଘା ପଡ଼ିଆରେ ଏକ ଅଟୋରିକ୍ସାରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଟୋର ମିରର୍‌ରେ ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ମୃତକ ଜାଭିର ମହମ୍ମଦ ବୋଲି ଜଣାପଡ଼ିଛି । ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି ।

ସେହିପରି ଚୌଦ୍ୱାରରେ ଶନିବାର ରାତିରୁ ନିଖୋଜ ଥିବା ନାବାଳକ କୁନା ହେମ୍ବ୍ରମଙ୍କ ମୃତଦେହ ଏକ କେନାଲରୁ ମିଳିଛି । ଘଟଣାର ତଦନ୍ତ କରୁଛି ପୁଲିସ । ସେହିପରି କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଅଁରା ଗାଁର ଏକ ପରିତ୍ୟକ୍ତ ସ୍ଥାନରୁ ଶାନ୍ତନୁ ଜେନା ନାମକ ଜଣେ ଯୁବକଙ୍କ ମୃତଦେହ ମିଳିଛି । ଗତକାଲି ରାତିରେ ଭୋଜି କରିବା ପରେ ସେ ଜଣେ ସାଙ୍ଗଙ୍କ ଘରେ ଶୋଇଥିଲେ। ତାଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.