Latest Odisha News

BREAKING NEWS

ନାଚି ନାଚି ଚାଲିଗଲା ୪୦୦ ଜୀବନ

ପ୍ୟାରିସ:  ନାଚି ନାଚି ଚାଲିଗଲା ୪୦୦ ଜୀବନ । ଖୁବ ସାଂଘାତିକ ଘଟଣା ନିଶ୍ଚୟ । ମନରେ ପ୍ରଶ୍ନ ଆସୁଥିବ କେଉଁଠି ଏବଂ କେମିତି ଘଟିଲା ଏ ଘଟଣା ? ହେଲେ ଏ ପ୍ରଶ୍ନର ଉତ୍ତର ବି ଆହୁରି ସାଂଘାତିକ । ଅବଶ୍ୟ ଘଟଣାଟି ଆଜି ବା କାଲିର ନୁହେଁ । ତଥାପି ଶତାଧିକ ବର୍ଷ ତଳର ଏହି ଘଟଣାଟି ଆଜି ବି ମନେ ପକାଇଲେ ଛାତି ଥରିଯିବ ।

୫୦୦ ବର୍ଷ ତଳର ଏହି ଘଟଣା । ନାଚି ନାଚି ମୃତ୍ୟୁକୁ କୋଳେଇ ନେଇଥିଲେ ୪୦୦ ଲୋକ । ଜାଣି ଆଶ୍ଚର୍ଯ୍ୟ ହେବେ, ନାଚିବା ଯୋଗୁ ଏତେ ଲୋକଙ୍କର ମୃତ୍ୟୁ ଘଟି ନ ଥିଲା ବରଂ  ଏହା ଥିଲା ଏକ ରୋଗ । ଏହି ରୋଗ ହେଲେ ଲୋକ ନାଚିବା ଆରମ୍ଭ କରି ଦେଉଥିଲେ । ଏମାନେ ସେ ପର୍ଯ୍ୟନ୍ତ ନାଚୁଥିବେ ଯେ ପର୍ଯ୍ୟନ୍ତ ସେମାନଙ୍କ ଶରୀର ନିଶ୍ଚଳ ହୋଇ ନ ଯିବ ବା ସେମାନଙ୍କର ମୃତ୍ୟୁ ନ ଘଟିବ । ତେବେ କ’ଣ ଥିଲା ଏହି ରୋଗ ଏବଂ କେଉଁଠି ରଚିଥିଲା ତାର ଏ ତାଣ୍ଡବ ?

୧୫୧୮ ମସିହାରେ ଫ୍ରାନ୍ସର ଷ୍ଟାର୍ସବର୍ଗ ସହରରେ ଦେଖା ଦେଇଥିଲା ଏହି ରୋଗ । ଏହି ରୋଗରେ ଆକ୍ରାନ୍ତ ଲୋକମାନେ ଘରୁ ବାହାରି ଆସି ହଠାତ ରାସ୍ତା ଉପରେ ନାଚିବା ଆରମ୍ଭ କରୁଥିଲେ । ନାଚି ନାଚି କେହି  ନିସ୍ତେଜ ହୋଇପଡୁଥିଲ  ତ କାହାର ମୃତ୍ୟୁ ଘଟୁଥିଲା । ଏପରି ଘଟଣା ଦୀର୍ଘ ଦିନ ଯାଏ ଚାଲିଥିଲା ।  କେମିତି ଏ ରୋଗ ଆସିଥିଲା ଏବଂ ଏହାର ବୈଜ୍ଞାନିକ କାରଣ କ’ଣ ତାହା ଏବେ ବି ଅଜଣା ।  ତେବେ ଏହି ରୋଗ ସହ ଫ୍ରାନ୍ସରେ ଘଟିଥିବା ଏକ ଘଟଣାକୁ ଯୋଡିଥାନ୍ତି ସ୍ଥାନୀୟ ଲୋକ  ।

୧୫୧୮ ଜୁଲାଇ ୧୪ ତାରିଖ ଦିନ ଷ୍ଟାର୍ସବର୍ଗର ଜଣେ ମହିଳା ଫ୍ରାଉ ଟ୍ରାଫିୟା ହଠାତ ନିଜ ଘରୁ ବାହାରି ଆସିଲେ ଏବଂ ରାସ୍ତାରେ ନାଚିବାକୁ ଲାଗିଲେ ।  ନା ଥିଲା ଗୀତ, ନା ଥିଲା ବାଜା  । ତଥାପି ମହିଳା ଜଣକ ନିଜ ଧୂନରେ ନାଚି ଚାଲିଥିଲେ ।  ସବୁଠାରୁ ଆାଶ୍ଚର୍ଯ୍ୟକଥା ଥିଲା, ନାଚିବା ସମୟରେ ଫ୍ରାଉଙ୍କ ଶରୀର, ମୁହଁ କିମ୍ବା ଭାବଭଙ୍ଗୀରେ ରୋଗର କୌଣସି ଚିହ୍ନ ଦେଖିବାକୁ ମିଳି ନ ଥିଲା। ନା ହସ, ନା କାନ୍ଦ । ସେ କେବଳ ନାଚି ଚାଲିଥିଲେ । ଫ୍ରାଉଙ୍କର ଏପରି ନାଚ ଦେଖି ଆଖପାଖ ଲୋକ ବାହାରକୁ ଚାଲି ଆସିଲେ । ସମସ୍ତେ ଦେଖୁଥାନ୍ତି ଏବଂ ଭାବୁଥାନ୍ତି, ବୋଧହୁଏ ସେ ନିଶାଗ୍ରସ୍ତ ଅଛନ୍ତି । ଆଉ କିଛି ଲୋକ ଆଶଙ୍କା କରୁଥିଲେ ବୋଧହୁଏ ଫ୍ରାଉ ପାଗଳ ହୋଇ ଯାଇଛନ୍ତି ।

ଏପରିକି ତାଙ୍କ ସ୍ୱାମୀ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ଫ୍ରାଉ ତାଙ୍କ କଥା ଶୁଣି ନ ଥିଲେ । ସକାଳୁ ସେ ନାଚିବା ଆରମ୍ଭ କରିଥିଲେ ଯେ ସନ୍ଧ୍ୟା ହୋଇଗଲା । ସେତେବେଳକୁ ତାଙ୍କ  ଅଙ୍ଗପ୍ରତ୍ୟଙ୍ଗ ଫୁଲିଗଲାଣି । ହେଲେ ନାଚ ବନ୍ଦ ହେଉ ନ ଥିଲା । ହଠାତ ସେ ତଳେ ପଡି ବେହୋସ ହୋଇଗଲେ । ତା’ ପରେ ତାଙ୍କ ସ୍ୱାମୀ ତାଙ୍କୁ ଘରକୁ ନେଇ ଯାଇଥିଲେ ।

କଥା ସେତିକିରେ ସରି ନ ଥିଲା । ତା’ ପରଦିନ ଫ୍ରାଉ ଉଠି ପୁଣି ନାଚିବା ଆରମ୍ଭ କରିଦେଲେ । ନା ଖାଇଥିଲେ, ନା ପିଇଥିଲେ । ଏହିପରି ୨/୩ ଦିନ ଧରି ଫ୍ରାଉ ନାଚିଥିଲେ । ତାଙ୍କର ସ୍ୱାମୀ ଚିନ୍ତା ପଡିଗଲେ । ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ । ଏପଟେ ଫ୍ରାଉଙ୍କ ପରେ ୩୪ ଜଣ ଲୋକ ଏମିତି ନାଚିବା ଆରମ୍ଭ କରିଥିଲେ ।  ସାରା ସହରରେ ଏହି ଖବର ପ୍ରଚାରିତ ହୋଇଗଲା । ଲୋକେ ଏହି ରୋଗର ନାଁ ଦେଇଥିଲେ ଡାନ୍ସିଂ ପ୍ଲେଗ ।

ବିବିସି ରିପୋର୍ଟ ଅନୁଯାୟୀ, ସେହିବର୍ଷ ଅଗଷ୍ଟ ମାସରେ ନାଚିବା ଲୋକଙ୍କ ସଂଖ୍ୟା ୧୦୦ ଟପିଗଲା । କୁହାଯାଉଥିଲା, ଏହା ଏକ ପ୍ରକାର ସଂକ୍ରାମକ ରୋଗ ଯେଉଁଥିପାଇଁ ବିନା କାରଣରେ ଲୋକେ ନାଚୁଥିଲେ । ଦିନକୁ ଦିନ ଏପରି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା । କେହି କେହି ଏହି ରୋଗରେ ପଡି ନାଚି ନାଚି ଗୁରୁତର ହୋଇପଡିଲେ ତ କାହାରି ମୃତ୍ୟୁ ଘଟିଥିଲା । ଯେତେବେଳେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଲା, ପ୍ରଶାସନ ଚିନ୍ତାରେ ପଡିଗଲା । ପ୍ରଥମେ ଡାକ୍ତର ଭାବୁଥିଲେ ଏହା ଏକ ସାଧାରଣ ରୋଗ । ହେଲେ ପରେ ଜଣାପଡିଲା, ଶରୀରରେ ରକ୍ତର ତାପମାତ୍ରା ବୃଦ୍ଧି ପାଇବାରୁ ଏପରି ହେଉଛି । ତେବେ ରୋଗୀଙ୍କ ସଂଖ୍ୟା ଏତେ ବଢିଗଲା ଯେ, ଜଣ ଜଣଙ୍କୁ ପରୀକ୍ଷା କରି ଚିକିତ୍ସା କରିବା ଅସମ୍ଭବ ହୋଇପଡିଲା ।

ପରେ ଡାକ୍ତର ପରାମର୍ଶ ଦେଲେ  ଆକ୍ରାନ୍ତ ବ୍ୟକ୍ତିଙ୍କୁ ନାଚିବାକୁ ଛାଡି ଦିଆଯାଉ । ନାଚି ନାଚି ରକ୍ତର ତାପମାତ୍ରା କମିଗଲେ ନାଚ ବି ବନ୍ଦ ହୋଇଯିବ । ଶେଷରେ ନାଚିବା ଲାଗି ଏକ ବଡ ଜାଗା ପ୍ରସ୍ତୁତ କରାଗଲା । ହେଲେ କିଛି ଲାଭ ହେଲାନି । କାରଣ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାକୁ ଲାଗିଲା ।

ନ୍ୟୁୟର୍କ ଟାଇମ୍ସ ତଥ୍ୟ ଅନୁଯାୟୀ, କେତେ ଲୋକ ଏହାକୁ ଅନ୍ଧବିଶ୍ୱାସ ବୋଲି ଭାବିବାକୁ ଲାଗିଲେ  । କେହି କେହି ଭାବିଲେ ଏହା ସେଣ୍ଟ ଭାଇଟସଙ୍କ ଅଭିଶାପ କାରଣରୁ ହେଉଛି । କୁହାଯାଏ ଫ୍ରାନ୍ସରେ ସେଣ୍ଟ ଭାଇଟସ ନାମକ ଜଣେ ସନ୍ଥ ଥିଲେ ଯିଏ ଲୋକଙ୍କ ରୋଗ ନାଚିଗାଈ ଦୂର କରପାରୁ ଥିଲେ । ତେଣୁ ଲୋକେ ନାଚୁଥିବା ଲୋକଙ୍କୁ ସେଣ୍ଟ ଭାଇଟସଙ୍କ ପ୍ରାର୍ଥନା ଗୃହକୁ ନେଇଗଲେ । ସେଠାରେ ରୋଗୀଙ୍କ ହାତରେ କ୍ରସ ଦେଇ ନାଚିବାକୁ କହିଥିଲେ । ଅନ୍ଧବିଶ୍ୱାସ କୁହ ବା ସଂଯୋଗ, ଏପରି କରିବା ଦ୍ୱାରା କିଛି ଲୋକ ଭଲ ହୋଇଗଲେ । ଅବଶ୍ୟ   କିଛି ଲୋକ ଆପେ ଆପେ ବି ଭଲ ହେଉଥିଲେ ।

ଯାହା ବି ହେଉ, ଏହି ରୋଗୀ ମାସ ମାସ ଧରି ଲାଗି ରହିଥିଲା । ଏଥିରେ ୪୦୦ ଲୋକ ପ୍ରାଣ ହରାଇଥିଲେ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ମଣିଷ ଶରୀରର ଭତରେ ଏହି ରୋଗ  Ergot Fungi Toxic   ଏବଂ  Carcinogenic Reaction   କାରଣରୁ ହୋଇଥାଏ । ଅର୍ଥାତ ରୋଗ ଫୁଡ ପଏଜନ କାରଣରୁ ହୋଇଥାଏ । କାରଣ Ergot Fungi ଗହମ ଏବଂ ମକା ଜମିରୁ ବାହାରିଥାଏ । ଏହି ଫଙ୍ଗସ ମସ୍ତିଷ୍କକୁ ଯାଇ ଡ୍ରଗ୍ସ ପରି କାମ କରେ । ଲୋକଙ୍କର ନିଜ ଉପରେ ନିୟନ୍ତ୍ରଣ ରୁହେନି । ଅବଶ୍ୟ ଏହି ଥିଓରୀକୁ ପ୍ରସିଦ୍ଧ ଲେଖକ ଜନ ୱାଲର ଭୁଲ ବୋଲି ଦର୍ଶାଇଛନ୍ତି । ଜନ ଏହି ରୋଗ ଉପରେ ଏକ ବହି ବି ଲେଖିଛନ୍ତି ଯାହାର ନା  ‘The Dancing Plague: The Strange, True Story of an Extraordinary Illness’.

Comments are closed.