Latest Odisha News

BREAKING NEWS

ମାଲକାନଗିରିରେ ମାଓ କ୍ୟାମ୍ପ ଠାବ କରିବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କଲା ବିଏସଏଫ

ମାଲକାନଗିରି : ଜିଲ୍ଲାରେ ସର୍ଚ୍ଚ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ବିଏସଏଫ ଯବାନ। ମାଲକାନଗିରି ବିଏସ୍ଏଫ୍ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ବିଏସ୍ଏଫ୍ ଯବାନମାନେ ଗୋମଫାକୋଣ୍ଡା ସଂରକ୍ଷିତ ଜଙ୍ଗଲର ସାଧାରଣ ଅଞ୍ଚଳରେ ଚଢ଼ଉ କରିଥିଲେ।

ଏହି ସମୟରେ ଟାର୍ଗେଟ୍ କରାଯାଇଥିବା ଅଞ୍ଚଳରେ ଖୋଜାଖୋଜି କରିବା ସମୟରେ ଜିଲ୍ଲାର କାଲିମେଳା ପୁଲିସ ସୀମା ଅନ୍ତର୍ଗତ ମାରିଗେଟ୍ଟା ଗାଁ ନିକଟରେ ଏକ ପୁରୁଣା ମାଓ କ୍ୟାମ୍ପ ଠାବ କରିଥିଲେ ଯବାନମାନେ। ଘଟଣାସ୍ଥଳରୁ ଆଇଇଡି ତିଆରି ସାମଗ୍ରୀ ଓ ମାଓ ସାମଗ୍ରୀ ଜବତ କରାଯାଇଛି। ଯେଉଁଥିରେ ଇଲେକ୍ଟ୍ରୋନିକ୍ସ ଡିଟୋନିଟର ୨୫ଟି, ୪ଟି ସେଫଟି ଫ୍ୟୁଜ ବଣ୍ଡଲ, ଜିଲେଟିନ ଷ୍ଟିକ ୧୦୮ଟି, ହାତ ତିଆରି ଗ୍ରେନେଡ୍ ୨୦ଟି, ନକ୍ସଲ ସିନ୍ଥେଟିକ୍ ବେଲଟ ୧୦ଟି, ନକ୍ସଲଙ୍କ ବହି ଆଦି ଜବତ ହୋଇଛି।

ବିଏସ୍ଏଫ୍ କହିଛି ଯେ ଏହି ଅଞ୍ଚଳରେ ପୂର୍ବରୁ ମାଓବାଦୀ ଓ ସେମାନଙ୍କ ସମର୍ଥକଙ୍କ ଅତ୍ୟଧିକ ଆଧିପତ୍ୟ ଥିଲା। ମାଓବାଦୀ ସଂଗଠନଗୁଡ଼ିକ ଆଇଇଡି ତିଆରି ସାମଗ୍ରୀକୁ ବିଚ୍ଛିନ୍ନାଞ୍ଚଳ ଓ ନିଛାଟିଆ ସ୍ଥାନରେ ରଖି ଆଇଇଡିକୁ ସୁରକ୍ଷା ବାହିନୀ ଓ ପୁଲିସ ବିରୋଧରେ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରିଥାନ୍ତେ।

ମାଲକାନଗିରି ଜିଲ୍ଲାରେ ବିଏସ୍ଏଫ୍ ସକ୍ରିୟ ଭାବେ କାମ କରୁଛି ଏବଂ ବ୍ୟାପକ ଭାବେ ଏହି ଅଞ୍ଚଳରେ ଆଧିପତ୍ୟ ବିସ୍ତାର କରୁଛି। ଏହି ଅଞ୍ଚଳକୁ ସୁରକ୍ଷିତ କରିବା ପାଇଁ ଆହୁରି କମ୍ବିଂ ଏବଂ ସର୍ଚ୍ଚ ଅପରେସନ ଜାରି ରହିବ ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି।

Comments are closed.