Latest Odisha News

ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଆର୍ଥିକ ସହଯୋଗ କରିବେ ସରକାର, ମୁଖ୍ୟନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ସରକାର ଗରିବ ପରିବାରର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ଯେକୌଣସି ସରକାରୀ ଶିକ୍ଷାନୁଷ୍ଠାନରେ ସାଧାରଣ ଡିଗ୍ରୀ ପାଠ୍ୟକ୍ରମ ପଢ଼ିବା ପାଇଁ ଏକକାଳୀନ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ କହିଛନ୍ତି। ଆଦିବାସୀ ପରାମର୍ଶଦାତା ପରିଷଦ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ରାଜ୍ୟର ଯେକୌଣସି ସରକାରୀ ଶିକ୍ଷାନୁଷ୍ଠାନରେ ସାଧାରଣ ଡିଗ୍ରୀ ପାଠ୍ୟକ୍ରମ ପଢ଼ୁଥିବା ଅଭାବୀ ଏସଟି-ଏସସି ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷଠାରୁ ୫୦ ହଜାର ଟଙ୍କା ଯାଏ ଏକକାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ଲୋକଙ୍କ ସାମାଜିକ-ଆର୍ଥିକ ଉନ୍ନତି ପାଇଁ ଶିକ୍ଷା ଏକ ପ୍ରମୁଖ ବାହକ ବୋଲି ଉଲ୍ଲେଖ କରି ନବୀନ ପଟ୍ଟନାୟକ କହିଛନ୍ତି, ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଆବାସିକ ସୁବିଧା ଯୋଗାଇବାରେ ଓଡ଼ିଶା ଅନ୍ୟତମ ଅଗ୍ରଣୀ ରାଜ୍ୟ।

ବିଭାଗ ଅଧୀନରେ କାମ କରୁଥିବା ୧୭୩୫ଟି ବିଦ୍ୟାଳୟର ୪.୨ ଲକ୍ଷ ପରିବାରର ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା ଉପଲବ୍ଧ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଗତ ୨୦ ବର୍ଷ ମଧ୍ୟରେ ଏସଟି ଓ ଏସସି ଉନ୍ନୟନ ବିଭାଗ ଅଧୀନରେ ଥିବା ହାଇସ୍କୁଲ ସଂଖ୍ୟା ୨୧୫ରୁ ୪୨୨କୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।

ରାଜ୍ୟରେ ଏସଟି ଓ ଏସସି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ପାଇଁ ୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଦିବାସୀ ସମ୍ପ୍ରଦାୟର ସାମାଜିକ-ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଶିକ୍ଷାଗତ ଆବଶ୍ୟକତାକୁ ଉପଲବ୍ଧି କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଥିବା ଦାବି କରି ନବୀନ ପଟ୍ଟନାୟକ କହିଛନ୍ତି ଯେ ଆଦିବାସୀଙ୍କ ଶିକ୍ଷା, ଜୀବିକା ଓ ସେମାନଙ୍କ ଅଧିକାରର ସୁରକ୍ଷା ଉପରେ ରାଜ୍ୟର ଫୋକସ୍ ରହିଆସିଛି।

ଆଦିବାସୀ ସଂସ୍କୃତି, ପରମ୍ପରା, ଐତିହ୍ୟ ଏବଂ ପରିଚୟର ବିକାଶ, ସୁରକ୍ଷା ଏବଂ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିବା ଲାଗି ସ୍ୱତନ୍ତ୍ର ବିକାଶ ପରିଷଦ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି।

ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ୨୩ଟି ଜିଲ୍ଲାର ୧୭୨ଟି ବ୍ଲକକୁ ସମ୍ପ୍ରସାରିତ କରାଯାଇ ୮୪ ଲକ୍ଷରୁ ଅଧିକ ଅନୁସୂଚିତ ଜନଜାତି ଲୋକଙ୍କୁ ଏଥିରେ ସାମିଲ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.