ଭୁବନେଶ୍ୱର: ମୋଦି ସାଙ୍ଗିଆ ସମ୍ପର୍କିତ ଟିପ୍ପଣୀ ପ୍ରସଙ୍ଗକୁ ନେଇ ରାହୁଲଙ୍କ ପିଛା ଛାଡୁନି ବିଜେପି। ଗୁଜୁରାଟ ସମେତ ଦେଶର ବିଭିନ୍ନ ରାଜ୍ୟରେ ରାହୁଲଙ୍କ ମନ୍ତବ୍ୟକୁ ନେଇ ମାନହାନି ମାମଲା ଚାଲିଥିବା ବେଳେ ସୁରଟ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ଯାହାକି ଗୁଜୁରାଟ ହାଇକୋର୍ଟରେ ମଧ୍ୟ କାଏମ ରହିଛି।
ଏଭଳି ସ୍ଥିତିରେ କଂଗ୍ରେସ ଏ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଯିବାକୁ ସ୍ଥିର କରିଛି। କିନ୍ତୁ ତା ପୂର୍ବରୁ ଗୁଜୁରାଟର ବିଜେପି ବିଧାୟକ ପୂର୍ଣେଶ ମୋଦି ସୁପ୍ରିମକୋର୍ଟରେ ପହଂଚିଯାଇଛନ୍ତି। ପୂର୍ଣେଶ ମୋଦିଙ୍କ ଅଭିଯୋଗ ଆଧାରରେ ହିଁ ସୁରଟ କୋର୍ଟ ରାହୁଲଙ୍କ ବିରୋଧରେ ଦଣ୍ଡ ଶୁଣାଇବା ସହ ତାଙ୍କ ସଦସ୍ୟ ପଦ ମଧ୍ୟ ରଦ୍ଦ ହୋଇଛି।
ଏପରିକି ଗୁଜୁରାଟ କୋର୍ଟ ମଧ୍ୟ ରାହୁଲଙ୍କ ଦଣ୍ଡ ଉପରେ ରୋକ କିମ୍ବା କୋହଳ ପ୍ରସଂଗୀତ ମାମଲାକୁ ଖାରଜ କରିଦେଇଛନ୍ତି। ତେଣୁ ଏବେ ସୁପ୍ରିମକୋର୍ଟ ରାହୁଲଙ୍କ ଏକମାତ୍ର ଭରସା ଥିବାବେଳେ ସେଠାରେ ରାହୁଲଙ୍କ ଆବେଦନ ପୂର୍ବରୁ ବିଜେପି ବିଧାୟକ ପୂର୍ଣେଶ ମୋଦି ପହଂଚିଛନ୍ତି।
ସୁପ୍ରିମକୋର୍ଟରେ ସେ କ୍ୟାଭିଟ ଫାଇଲ କରିଛନ୍ତି। ଗୁଜୁରାଟ ହାଇକୋର୍ଟଙ୍କ ରାୟ ବିରୋଧରେ ରାହୁଲ ଗାନ୍ଧୀ ସୁପ୍ରିମକୋର୍ଟରେ ଆବେଦନ କଲେ ତାଙ୍କୁ ପକ୍ଷ ରଖିବାର ସୁଯୋଗ ଦେବାକୁ ସେ ନିବେଦନ କରିଛନ୍ତି।
ଜୁଲାଇ ୭ ତାରିଖରେ ରାହୁଲ ଗାନ୍ଧୀଙ୍କ ସମ୍ପର୍କିତ ମାମଲାର ରାୟ ଆସିବା ପରେ ସେହିଦିନ ହିଁ ନିଜ ଓକିଲ ପି ଏସ ସୁଧୀରଙ୍କ ଦ୍ୱାରା ପୂର୍ଣେଶ ସୁପ୍ରିମକୋର୍ଟରେ କ୍ୟାଭିଟ ଫାଇଲ କରିଥିବା ସୁପ୍ରିମକୋର୍ଟଙ୍କ ୱେବସାଇଟରୁ ସ୍ପଷ୍ଟ ହୋଇଛି।
ତେଣୁ ରାହୁଲଙ୍କ ଦଣ୍ଡାଦେଶ ଉପରେ କୌଣସି ବି ସ୍ଥିତିରେ ରୋକ ନ ଲାଗୁ ବୋଲି ବିଜେପି ଚାହୁଁଥିବା ଚର୍ଚ୍ଚା ହେଉଛି। ସେଥିପାଇଁ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ମୌନ ସତ୍ୟାଗ୍ରହ ମଧ୍ୟ ଆୟୋଜିତ ହୋଇଛି।
ଦେଶର ପ୍ରାୟ ସମସ୍ତ ରାଜ୍ୟରେ କଂଗ୍ରେସ ନେତା ଓ କାର୍ଯ୍ୟକର୍ତା ମୌନ ପ୍ରତିବାଦ କରିଛନ୍ତି। ତେଣୁ ସ୍ଥିତି ଏଭଳି ହେଉଥିବାରୁ କଂଗ୍ରେସ ରାହୁଲଙ୍କ ପ୍ରସଙ୍ଗକୁ ନେଇ କିଭଳି ଆଗକୁ ବଢିବ ତାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି।
Comments are closed.