Latest Odisha News

କଳାକାରଙ୍କ ଧର୍ମଘଟ ଯୋଗୁ ସମଗ୍ର ହଲିଉଡ୍ ବନ୍ଦ

ମୁମ୍ବାଇ: ହଲିଉଡ଼ର ହଜାର ହଜାର ଅଭିନେତା ଅଭିନେତ୍ରୀ ଗୁୁରୁବାର ମଧ୍ୟରାତ୍ରିରୁ ଧର୍ମଘଟ ଚଳାଇଛନ୍ତି । ଫଳରେ ସମଗ୍ର ହଲିଉଡ଼ର ଫିଲ୍ମ ଓ ଟେଲିଭିଜନ ଶିଳ୍ପ ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ହଲିଉଡ଼ ପାଇଁ ଲେଖୁଥିବା ଲେଖକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି । ଏହାର ଚୂଡ଼ାନ୍ତ ପର୍ଯ୍ୟାୟ ଆଲୋଚନା ବିଫଳ ହେବାରୁ ଲେଖକମାନଙ୍କ ସହିତ ମିଶି କଳାକାରମାନେ ଧର୍ମଘଟ ଆରମ୍ଭ କରିଛନ୍ତି । ଦୀର୍ଘ ୬୩ ବର୍ଷ ପରେ ହଲିଉଡ୍‌ରେ ପ୍ରାୟ ସମସ୍ତ ଫିଲ୍ମ ଓ ଟେଲିଭିଜନ୍ ପ୍ରସାରଣ ପାଇଁ ଉଦ୍ଦିଷ୍ଟ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି ।

‘ଦି ସ୍କ୍ରିନ୍ ଆକ୍ଟର୍ସ ଗିଲ୍‌ଡ୍‌’ କହିଛି ଯେ, ସେମାନଙ୍କ ଦାବି ଉପରେ କୌଣସି ରାଜିନାମା ହୋଇ ନ ପାରିବାରୁ ବୁଝାମଣା ବିଫଳ ହୋଇଛି । ପାରିଶ୍ରମିକ ମିଳିବାରେ ଅନିୟମିତା ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ୍ ଯୋଗୁଁ ସୃଷ୍ଟି ହୋଇଥିବା ପେସାଗତ ବିପଦ ସଂକ୍ରାନ୍ତରେ କଳାକାରମାନେ ବୁଝାମଣା କରିବାକୁ ଦାବି କରିଛନ୍ତି ।

ଶୁକ୍ରବାର ସକାଳେ ଅଭିନେତା ଅଭିନେତ୍ରୀମାନେ ଲେଖକମାନଙ୍କ ସହିତ ପ୍ରତିଷ୍ଠାନ ଆଗରେ ଧାରଣା ଦେଇଛନ୍ତି । ୧୯୬୦ ପରେ ଏହା ହେଉଛି ହଲିଉଡ୍‌ରେ ‘ଡବଲ୍ ଷ୍ଟ୍ରାଇକ୍‌’ । ଉପରୋକ୍ତ ଦାବି ନେଇ ଲେଖକମାନେ ୧୧ ସପ୍ତାହ ହେବ ଏହି ଧାରଣା ଚଲାଇଛନ୍ତି ।

Comments are closed.