Latest Odisha News

‘ଖୋଲିଦିଅ ଶ୍ରୀମନ୍ଦିର ଚାରି ଦ୍ୱାର’, ସରକାରଙ୍କୁ ଦାବି ଜଣାଇବାକୁ ଆରମ୍ଭ ହେଲା ଦସ୍ତଖତ ଅଭିଯାନ

ପୁରୀ (ସନ୍ତୋଷ କୁମାର ଦାସ) : ଶ୍ରୀମନ୍ଦିର ସମସ୍ତ ଦ୍ଵାର ପୂର୍ବଭଳି ଭକ୍ତଙ୍କ ପାଇଁ ଖୋଲାଯାଉ। ଏହି ଦାବୀ ନେଇ ପୁରୀରେ ଆରମ୍ଭ ହୋଇଛି ଦସ୍ତଖତ ଅଭିଯାନ। ଏକ ଲକ୍ଷ ଦସ୍ତଖତ ସଂଗ୍ରହ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବୀ ପତ୍ର ମାଧ୍ୟମରେ ପଠାଯିବ। ପୂରୀର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଛି।

ଶ୍ରୀମନ୍ଦିର ସିଂହ ଦ୍ୱାର ସମ୍ମୁଖରେ ଏହି ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଶ୍ରୀମନ୍ଦିରର ସମସ୍ତ ଚାରି ଦ୍ଵାର ଖୋଲିବା ଦାବି ନେଇ ଭକ୍ତଙ୍କ ଦସ୍ତଖତ ସଂଗ୍ରହ କରାଯାଉଛି। ଭକ୍ତମାନେ ମଧ୍ୟ ଏହି ପ୍ରସଙ୍ଗକୁ ସମର୍ଥନ କରିଛନ୍ତି। ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ ଦାସଙ୍କ ନେତୃତ୍ୱରେ ଏହି ଅଭିଯାନ ଆରମ୍ଭ ହୋଇଛି।

ଏହି କାର୍ଯ୍ୟକ୍ରମରେ ଅନେକ ବୁଦ୍ଧିଜୀବୀ, ଜଗନ୍ନାଥ ପ୍ରେମୀ ସାମିଲ ହୋଇଛନ୍ତି। ସଚେତନ ନାଗରିକ ମଞ୍ଚର ସଭାପତି ପ୍ରସନ୍ନ ଦାସ କହିଛନ୍ତି ଭକ୍ତ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରର ଚାରି ଦ୍ଵାର ପୂର୍ବଭଳି ଭକ୍ତଙ୍କ ପାଇଁ ଖୋଲି ଦିଆଯାଉ। କେବଳ ସିଂହଦ୍ଵାର ଦେଇ ପ୍ରବେଶ ଅନୁମତି ଥିବାରୁ ଅଯଥାରେ ଭିଡ ହେଉଛି।

ବିଭିନ୍ନ ପର୍ବପର୍ବାଣୀ ଓ ଛୁଟି ଦିନରେ ଧାଡି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଲମ୍ବି ଯାଉଛି। ଲାଇନରେ ଛିଡା ହୋଇ ବହୁ ଭକ୍ତ ଦୁର୍ଦ୍ଦଶା ଭୋଗୁଛନ୍ତି। ଦୀର୍ଘ ସମୟ ଲାଇନରେ ଠିଆ ହୋଇ ଅନେକ ଭକ୍ତ ବେହୋସ୍ ହୋଇ ପଡ଼ୁଛନ୍ତି। ଅନେକ ବୃଦ୍ଧ, ମହିଳା, ଛୋଟ ପିଲା ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ପାରୁନାହାନ୍ତି। ଜଗନ୍ନାଥ୍ ଦର୍ଶନ ପାଇଁ ଆସିଥିବା ଭକ୍ତ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହୋଇ ଅଶାନ୍ତିରେ ଫେରୁଛନ୍ତି।

ସେହିପରି ଯେଉଁ ମାନେ ଶ୍ରୀମନ୍ଦିରକୁ କେବଳ କିଛି ଅବଢ଼ା ଆଣିବା ପାଈଁ ଯିବାକୁ ଚାହୁଁଛନ୍ତି ସେମାନେ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହୋଇ ରହୁଛନ୍ତି। ଯାହାକି ବେଶ୍ କଷ୍ଟ ଦାୟକ। ପୂର୍ବରୁ ଉତ୍ତର ଦ୍ଵାର ଦେଇ ଭକ୍ତ ମାନେ ମହାପ୍ରସାଦ ପାଇଁ ଆନନ୍ଦ ବଜାର ଯାଉଥିଲେ। ହେଲେ କେବଳ ସିଂହ ଦ୍ଵାର ଦେଇ ପ୍ରବେଶ ନିୟମ ପରେ ଭକ୍ତ ମହାପ୍ରସାଦ ପାଇଁ ସିଧା ସଳଖ ଆନନ୍ଦ ବଜାର ଯାଇ ପାରୁନାହାନ୍ତି।

ଫଳରେ କେତେକ ଦଲାଲଙ୍କ ହାହୁଡରେ ପଡ଼ି ମହାପ୍ରସାଦ କିଣିବା ନାରେ ଶୋଷଣର ଶିକାର ହେଉଛନ୍ତି ବୋଲି ଅଭିଯୋଗ ହୋଇଛି। ସେହିପରି ପୁରୀ ବାସିନ୍ଦା ପ୍ରତିଦିନ ମଙ୍ଗଳ ଆଳତି, ବଡ ସିଂହାର ବେଶ ଦର୍ଶନ ପାଇଁ ବିଭିନ୍ନ ଦ୍ଵାରରେ ପ୍ରଵେଶ କରି ଆନନ୍ଦରେ ଦର୍ଶନ କରି ଫେରୁଥିଲେ। ହେଲେ କେବଳ ସିଂହଦ୍ଵାରରେ ପ୍ରବେଶ ଅନୁମତି ଫଳରେ ପୁରୀ ବାସିନ୍ଦା ମାନେ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ସହ ଲାଇନରେ ରହି ସିଂହଦ୍ଵାର ଦେଇ ପ୍ରବେଶ କରୁଛନ୍ତି। ଏଥିପାଇଁ କେତେବେଳେ ଘଣ୍ଟାଏ ତ କେତେବେଳେ ଦୁଇ ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି।

ପୁରୀ ବାସିନ୍ଦା ଆଉ ଶ୍ରୀ ମନ୍ଦିରକୁ ଯାଇ ଦର୍ଶନ କରି ପାରୁନାହାନ୍ତି। ଯାହାକୁ ନେଇ ପୁରୀ ବାସିନ୍ଦାଙ୍କ ମଧ୍ଯରେ ଅସନ୍ତୋଷ ବଢିବାରେ ଲାଗିଛ। ତେବେ ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥି ରେ ହସ୍ତକ୍ଷେପ କରି ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ପାଇଁ ନିର୍ଦ୍ଦେଶ ଦେବାକୁ ସଚେତନ ନାଗରିକ ମଞ୍ଚ ଦାବି କରିଛି।

ଖୁବଶୀଘ୍ର ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ, ଶ୍ରୀମନ୍ଦିର ଛତିଶା ନିଯୋଗକୁ ସଚେତନ ନାଗରିକ ମଞ୍ଚ ଭେଟି ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବାରେ ହସ୍ତକ୍ଷେପ କରିବାକୁ ଦାବି କରାଯିବ ସଚେତନ ନାଗରିକ ମଞ୍ଚ ପକ୍ଷରୁ କୁହାଯାଇଛି।

Comments are closed.