Latest Odisha News

ଯମୁନା ନଦୀକୁ ଶାନ୍ତ କରିବା ପାଇଁ ଯମୁନା ଆସିଲା ଶାଶୁ ଘରୁ: ଗାଁରେ ଚାଲିଛି ପୂଜାପାଠ

ହରିୟାଣା: ଚଳିତବର୍ଷ ଯମୁନା ନଦୀ ଅଶାନ୍ତ ହୋଇପଡ଼ିଛି । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ଯମୁନା ନଦୀର ପାଣି ପଶିଯାଇଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତଳିଆ ଅଞ୍ଚଳର ଲୋକେ ଜିନିଷପତ୍ର ଧରି ବନ୍ଧ ଉପରକୁ ଚାଲି ଆସିଛନ୍ତି । ହରିୟାଣାର ଏମିତି ଏକ ଗାଁ ଏବେ ବି ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ତେଣୁ ଯମୁନା ନଦୀକୁ ଶାନ୍ତ କରିବା ପାଇଁ ଯମୁନାକୁ ଶାଶୁ ଘରୁ ଡ଼କାଯାଇ ନଦୀ କୂଳରେ ପୂଜାର୍ଚ୍ଚନା କରାଯାଇଛି ।

ହରିୟାଣାର ଘରୁଣ୍ଡା ନିର୍ବାଚନମଣ୍ଡଳୀର ଲାଲୁପୁରା ଗ୍ରାମରେ ଯମୁନା ନଦୀରେ ବନ୍ୟାଜଳ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ବନ୍ୟା ପରିସ୍ଥିତି ଯୋଗୁ ବ୍ୟାପକ କ୍ଷୟକ୍ଷତି ହେବା ସହ ବିଭିନ୍ନ ପ୍ରକାର ଫସଲ ନଷ୍ଟ ହୋଇଯାଇଛି । ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ନଦୀର ଉଗ୍ରରୂପକୁ ଶାନ୍ତ କରିବାକୁ ଶାଶୁଘରୁ ଯମୁନାକୁ ଡକାଯାଇଛି । ପରେ ଯମୁନା ନଦୀ କୂଳରେ ଯମୁନାକୁ ଧୁମ୍‌ଧାମରେ ପୂଜାର୍ଚ୍ଚନା କରାଯାଉଛି । ଗ୍ରାମବାସୀ ଯମୁନାଠାରୁ ଆଶୀର୍ବାଦ ଗ୍ରହଣ କରିଛନ୍ତି । ଗ୍ରାମବାସୀଙ୍କ କହିବା କଥା, ଗ୍ରାମରେ ଯମୁନାକୁ ପ୍ରତିବର୍ଷ ପୂଜାର୍ଚ୍ଚନା କରାଯାଇଥାଏ । ହେଲେ କିଛି ବର୍ଷ ହେବ ଏହି ପୂଜା ଧରି ବନ୍ଦ ରହିଛି । ଯେଉଁଥିପାଇଁ ଚଳିତ ବର୍ଷ ଯମୁନାନଦୀର ଭୟଙ୍କର ରୂପ ଦେଖିବାକୁ ପଡ଼ିଲା । କ୍ଷୟକ୍ଷତି ହେତୁ ଗାଁ ବିପଦରେ ରହିଛି । କେବଳ ସେତିକି ନୁହେଁ, ସ୍ଥାନୀୟ ପ୍ରଶାସନ ଏବଂ ବିଧାୟକ ଗ୍ରାମବାସୀଙ୍କ ସହ ମିଶି ଗାଁକୁ ବଞ୍ଚାଇବା ପାଇଁ କାର୍ଯ୍ୟ କରୁଛନ୍ତି । କ୍ଷୟକ୍ଷତି ସ୍ଥାନରେ ବାଲିବସ୍ତା ରଖାଯାଉଛି । ବନ୍ୟାପାଣି ଗାଁ ଭିତରକୁ ନ ଆସିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ।

ବହୁ ବର୍ଷ ପୂର୍ବେ ଯମୁନା ନଦୀରେ ଭୟଙ୍କର ବନ୍ୟା ପାଣି ଆସିଥିଲା । ସେ ସମୟରେ ଜଣେ ସାଧୁ ନଦୀକୁ ଶାନ୍ତ କରିବା ପାଇଁ ଜଣେ ବ୍ରାହ୍ମଣଙ୍କ ଝିଅକୁ ଯମୁନାକୁ ଉତ୍ସର୍ଗ କରିଥିଲେ । ଗ୍ରାମବାସୀ ଏହା ଜାଣିବା ପରେ ସେମାନେ ସେହି ଝିିଅକୁ ବଞ୍ଚାଇବା ପାଇଁ ନଦୀ ପାଖକୁ ଯାଇଥିଲେ । କିନ୍ତୁ ଏହାପୂର୍ବରୁ ଉକ୍ତ ଝିଅକୁ ନଦୀକୁ ଫିଙ୍ଗି ଦିଆଯାଇଥିଲା । ସେହି ଝିଅଟିର ନାମ ଯମୁନା ଥିଲା । ଏହା ପରେ, ପ୍ରତିବର୍ଷ ଯମୁନା ନଦୀ ନିକଟରେ ଯମୁନାକୁ ପୂଜା କରାଯାଉଥିଲା, ଯାହାଦ୍ୱାରା ଯମୁନା ଜଳ ଗାଁରେ ପଶେ ନାହିଁ ବୋଲି ଲୋକଙ୍କ ବିଶ୍ୱାସ ରହିଛି । କିଛି ବର୍ଷ ହେବ ଏହି ପୂଜା ଗାଁରେ ବନ୍ଦ ରହିଥିବାରୁ ଯମୁନା ନଦୀର ଭୟଙ୍କର ରୂପ ଗ୍ରାମବାସୀଙ୍କୁ ଦେଖିବାକୁ ମିଳିଛି । ତେଣୁ ଏବେ ଯମୁନାକୁ ପୂଜାର୍ଚ୍ଚନା କରିବା ପାଇଁ ତାର ଶାଶୁଘର ୟୁପିର ସିକ୍କା ଗାଁରୁ ଅଣାଯାଇଛି ।

Comments are closed.