ମୂଳ ବଙ୍ଗଳା : ସୁଭାଷ ମୁଖୋପାଧ୍ୟାୟ
କି ଆଶ୍ଚର୍ଯ୍ୟ
ତୁମେ ତ କେବେ ହେଲେ
କାନ୍ଦିଲନି ଥରେ।
ଛୋଟ ଛୋଟ ପୁଡ଼ିଆ ବାନ୍ଧି
ଏ ଘରର କୋଣ ଅନୁକୋଣରେ
ଛାଡ଼ି ଯାଇଛ ଯେଉଁ ସବୁ ମନସ୍ତାପ।
ମୁଁ ଜଳି ଯାଉଛି ତା’ ଧାସରେ।
ୟେ ଏକ ପ୍ରକାର ଭଲ
କାନରେ ଠିକ୍ ଶୁଭୁନାହିଁ,
କିଏ କଣ କହିଲା କିଏ
ଅଧିକ କଣ ମାଗିଲା
କାହାରି ଭଲ ମନ୍ଦରେ
ରହିବାର ନାହିଁ ।
ଗଳି କଡ଼ରେ ତୁମର
ଏକ ଛୋଟ ବଗିଚା
ଲଙ୍କା ଗଛରେ ଫୁଲ ହୋଇଛି
ତୁମେ କେବେ ଆସୁଛ ?
ଛିଣ୍ଡା ଲୁଗା ସିଲେଇର ଛୁଞ୍ଚିରେ
ଭଙ୍ଗା ଯୋଡ଼ା ଜିନିଷର ଅଠାରେ
ତୁମେ ଅଛ
ଛୁଇଁଲେ ହିଁ ମୁଁ ଟେର ପାଏ।
ହାତରେ ବାଡ଼ି ଧରି ଉଠି
ଛୋଟେଇ ଛୋଟେଇ
ଏ ଘର ସେଘର ଘୁରି ବୁଲେ
ମୁହାଁ ମୁହିଁ କେବେବି
କହି ନାହିଁ ମୁହଁ ଖୋଲି
ଲଜ୍ଜା ଓ ସଂକୋଚରେ
ତେବେବି ଜାଣିବାକୁ ଇଚ୍ଛାହୁଏ
କେବେ ବି ନକାନ୍ଦି
ସମସ୍ତ ବର୍ଷାର ଜଳ
ହସି ହସି ଭରି ରଖ
ନିଜ ଦୁଇ ନୟନରେ
ଦିନେ ବନ୍ଧ ଭାଙ୍ଗିଦେଇ
ସେ ବନ୍ୟାରେ ମତେ
ନେବାକୁ ଭସେଇ ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.