ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବିଷୟରେ ଆଲୋଚନା କରିବା ସମୟରେ ଗୋଟିଏ କଥା ମନକୁ ଆସେ ଭକ୍ତମାନଙ୍କ ପାଇଁ ଶ୍ରୀମହାପ୍ରସାଦର ଆକର୍ଷଣ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିବା ଶ୍ରଦ୍ଧାଠାରୁ ଅଧିକ କାହିଁକି? ଶ୍ରୀମନ୍ଦିର ପ୍ରବେଶ କରୁ କରୁ ଶ୍ରୀଜୀଉମାନଙ୍କ ଦର୍ଶନ ଇଚ୍ଛା ସହ ଶ୍ରୀମହାପ୍ରସାଦ ସେବନର ଦୁର୍ବାର ଇଚ୍ଛା ଭକ୍ତଙ୍କ ପାଗଳ କରେ କାହିଁକି? ଏ ସବୁ ପ୍ରଶ୍ନର ଉତ୍ତର ସ୍ୱୟଂ ଶ୍ରୀଜଗନ୍ନାଥ ଦେଇଛନ୍ତି। ପ୍ରଭୁ ନିଜେ ସ୍ୱୀକାର କରିଛନ୍ତି ଶ୍ରୀକ୍ଷେତ୍ରରେ ଶ୍ରୀମହାପ୍ରସାଦର ମହିମା ବା ଆଦର ନିଶ୍ଚୟ ତାଙ୍କଠାରୁ ବି ଅଧିକ। ଯଥା :- “ମମାଧିକ୍ୟମ ମମ କୈବଲ୍ୟମ ” । ଅର୍ଥାତ ଶ୍ରୀଜଗନ୍ନାଥଙ୍କଠାରୁ ଶ୍ରୀମହାପ୍ରସାଦ ସର୍ବୋତ ଭାବେ ଅଧିକ ଆଦରଣୀୟ। କେବଳ ସେତିକି ନୁହେଁ ପ୍ରଭୁ ଏହା ବି କହିଛନ୍ତି, ମୋତେ ନିନ୍ଦା କର ମୁଁ ସହିବି କିନ୍ତୁ ମୋ ମହାପ୍ରସାଦକୁ ନିନ୍ଦା କରନି। ବୃହଦ ବିଷ୍ଣୁ ପୁରାଣରେ ଶ୍ରୀମହାପ୍ରସାଦ ଙ୍କୁ ସ୍ୱୟଂ ବ୍ରହ୍ମ ସ୍ୱରୂପରେ ବର୍ଣ୍ଣିତ ହୋଇଛି “ବ୍ରହ୍ମବନ୍ନିବ୍ରିକାରଂ ହି ଯଥା ବ୍ରହ୍ମ ତଥେବ ତତ “। ବ୍ରହ୍ମ ଯେପରି ବାକ୍ୟ, ମନ ଓ ବୁଦ୍ଧିର ଅଗୋଚର ଅନ୍ନବ୍ରହ୍ମ ଶ୍ରୀମହାପ୍ରସାଦ ମଧ୍ଯ ଠିକ ସେହିପରି। କେବଳ ସେତିକି ନୁହେଁ ସ୍କନ୍ଦ ପୁରାଣ ପୁରୁଷୋତ୍ତମ କ୍ଷେତ୍ର ମହାତ୍ମ୍ୟରେ କୁହାଗଲା ।
“ଜଗଦ୍ଧାତ୍ର୍ୟl ହି ତତପକ୍ଵଂ ବୈଷ୍ଣବାଗ୍ନୋ ସୁସଂସ୍କୃତେ, ଭୁଂକ୍ତେ ଅନ୍ନ ଅହଂ ଚକ୍ରପାଣି ଯୁଗମନ୍ୱନ୍ତରାଦିଷୁ “(ସ୍କନ୍ଦ ୩୮ /୨୧ ) ଅର୍ଥାତ ଜଗଦ୍ଧାତ୍ରୀ ଲଷ୍ମୀ ଦେବୀ ସ୍ୱୟଂ ସୁସଂସ୍କୃତ ବୈଷ୍ଣବ ଅଗ୍ନିରେ ଏହା ପାକ କରନ୍ତି ଏବଂ ସ୍ୱୟଂ ବିଷ୍ଣୁ ଭଗବାନ ଚକ୍ରପାଣି ବହୁ ମନ୍ୱନ୍ତର ଓ ଯୁଗ ଯୁଗରୁ ଅଦ୍ୟାବଧି ଏହା ଭୋଜନ କରି ଆସୁଛନ୍ତି। କାରଣ ଏକ୍ଷେତ୍ର ପ୍ରଭୁଙ୍କର ଭୋଜନ କ୍ଷେତ୍ର, ତେଣୁ ଶ୍ରୀମହାପ୍ରସାଦ ଆଜି ସର୍ବ ଶ୍ରଦ୍ଧାର ଆଧାର ପାଲଟିଛି। କୁହାଯାଏ କୋଟି ଯଜ୍ଞାନୁଷ୍ଠାନ ଓ କୋଟି ମାସ ଉପବାସରେ ଯେଉଁ ପୁଣ୍ୟ ମିଳେ ଶ୍ରୀମହାପ୍ରସାଦ ସେବନରେ ତାଠାରୁ ଅଧିକ ପୁଣ୍ୟ ଲାଭ ହୁଏ। କେହି କେହି ଏହାବି କହନ୍ତି ଶ୍ରୀକ୍ଷେତ୍ରରେ ଉପବାସ ନାହିଁ କାରଣ ଏଠାରେ ଅନ୍ନ ବ୍ରହ୍ମ ଶ୍ରୀମହାପ୍ରସାଦ ଉପସ୍ଥିତ ଅଛନ୍ତି ।
ଏପରିକି ସ୍କନ୍ଦ ପୁରାଣରେ ବର୍ଣ୍ଣିତ ହୋଇଛି। ଏକହଜାର ଅଗ୍ନିଷ୍ଟୋମ ଓ ଶତ ବାଜପେୟ ଯଜ୍ଞ ଅନୁଷ୍ଠାନର ସମସ୍ତ ଫଳ ଶ୍ରୀମହାପ୍ରସାଦ ସେବନ ହିଁ ପ୍ରଦାନ କାରିଥାଏ। ଆଗାମୀ ଅଧ୍ୟାୟରେ ଆହୁରି ଅନେକ ମହିମା ଜାଣିବା । ଏବେ କିନ୍ତୁ କରିବା ଆରାଧନା ଓ ଭାଗବତ ପୁଣ୍ୟ ଶାସ୍ତ୍ର ପଠନ ।
କୃଷ୍ଣ କଥାରେ ରତି ଯାର
ସେ ପ୍ରାଣୀ ଭବ ମଧ୍ୟେ ସାର ।
ଏ କଳି ଯୁଗେ ଯେତେ ନରେ
ପଡିବେ ମାୟା ଅନ୍ଧକାରେ ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
Comments are closed.